ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବର ଦିନ । ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ରାଜ୍ୟସଭାରେ ଜଣେ ଓଡ଼ିଆ ସାଂସଦଙ୍କୁ ଅଧ୍ୟକ୍ଷ ଆସନରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଯୁବ ସାଂସଦ ଡ. ସସ୍ମିତ୍ ପାତ୍ର ଆଜି ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଥିଲେ । ପାର୍ଲିଆମେଣ୍ଟର ଅପର୍ ହାଉସ୍ ତାହା ପୁଣି ମହାମାରୀ ରୋଗ(ସଂଶୋଧନ) ଅର୍ଡିନାନସ୍,୨୦୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନା କାଳରେ ସସ୍ମିତ୍ ଙ୍କୁ ଗୃହ ପରିଚାଳନା କରିବାର ଦାୟିତ୍ୱ ମିଳିଥିବାରୁ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି ।
ଭୁବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରେ ଅଧ୍ୟାପନା କରୁଥିବା ଡ. ସସ୍ମିତ୍ ମାତ୍ର ବର୍ଷକ ତଳେ ବିଜେଡ଼ି ଟିକେଟରେ ରାଜ୍ୟସଭା ଯାଇଥିଲେ । ପାର୍ଲିଆମେଣ୍ଟକୁ ପ୍ରଥମ ଥର ଯାଇଥିଲେ ବି ଗୃହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସକ୍ରିୟ ଭାଗନେଇ ଆସୁଛନ୍ତି । ବିଷୟ ଉପରେ ତାଙ୍କର ଗଭୀର ଅନୁଶୀଳନ, ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ପାଇଁ ସେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୋଦ୍ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସସ୍ମିତ୍ ଙ୍କୁ ଗୃହ ମଧ୍ୟରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ ।
ନିକଟରେ ନିଜ ଯୋଗ୍ୟତାର ସ୍ୱୀକୃତି ବି ସସ୍ମିତ୍ ଙ୍କୁ ମିଳିଥିଲା । ଅଧ୍ୟକ୍ଷ/ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଗୃହରେ ଅଧ୍ୟକ୍ଷତା କରିବା ପାଇଁ ଗଠିତ ପ୍ୟାନେଲ୍ ରେ ସସ୍ମିତ୍ ସ୍ଥାନ ପାଇଥିଲେ । ଆଉ ଆଜି ପ୍ରଥମ ସୁଯୋଗରେ ମହାମାରୀ ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନାର ପରିଚାଳନା କରିଥିଲେ । ଅଳ୍ପ ସମୟ ପାଇଁ ଅଧ୍ୟକ୍ଷତା କରିଥିଲେ ବି ଗୃହକୁ ଦକ୍ଷତାର ସହ ପରିଚାଳନା କରି ସମସ୍ତଙ୍କର ପ୍ରିୟଭାଜନ ହୋଇଛନ୍ତି ।
ସସ୍ମିତ୍ ଙ୍କୁ ଦଳମତ ନିର୍ବିଶେଷରେ ସବୁଦଳର ସାଂସଦମାନେ ଅଭିନନ୍ଦନ ଜଣାଇଛନ୍ତି । ଯୁବ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଦକ୍ଷତା ଓ ନମ୍ରତାକୁ ସେମାନେ ପସନ୍ଦ କରିଛନ୍ତି ।
ଆଜିର ଦିନକୁ ଏକ ସ୍ମରଣୀୟ ଦିନ ବୋଲି ସସ୍ମିତ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଓ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ନ ଥିଲେ ଏହା ସମ୍ଭବ ହୋଇନଥାଆନ୍ତା ବୋଲି ସେ କହିଛନ୍ତି । ଓଡ଼ିଶାବାସୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କୁ ସମର୍ଥନ ଜଣାଇଥିବା ସାଂସଦ ଏବଂ ସର୍ବାପରି ଅଧ୍ୟକ୍ଷଙ୍କୁ ସସ୍ମିତ୍ ଗଭୀର କୃତଜ୍ଞତା ଜଣାଇଛନ୍ତି ।