ହାଇଦ୍ରାବାଦ: ରୁଷୀୟ ଟିକା ସ୍ପୁଟନିକ-ଭି କୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି । ଭାରତୀୟ ସହଯୋଗୀ ହାଇଦ୍ରାବାଦସ୍ଥିତ ଡକ୍ଟର ରେଡିସ୍ ଲାବ ଏହାର ଦର ଧାର୍ଯ୍ୟ କରିଛନ୍ତି । ଡୋଜ୍ ପିଛା ପ୍ରାୟ ୯୯୫ ଟଙ୍କାରେ ଏହା ମିଳିପାରିବ । ଆମଦାନୀ ଟିକାର ମୂଳ ଦର ୯୪୮ ଟଙ୍କା ଥିଲା ବେଳେ ଅତିରିକ୍ତ ୫% ଜିଏସଟିକୁ ମିଶାଇ ଏହା ୯୯୫ ଟଙ୍କା ୪୦ ପଇସା ଧାର୍ଯ୍ୟ କରାଯାଇଛି ।
ଏଥିସହ ସ୍ପୁଟନିକ-ଭି ଟିକାକରଣ ପରୀକ୍ଷାମୂଳକ ଭାବେ ଆଜିଠୁ ଆରମ୍ଭ ହୋଇଛି । ହାଇଦ୍ରାବାଦରେ ଡକ୍ଟର ରେଡିସ୍ ଲାବ୍ ପକ୍ଷରୁ ଏହାର ପ୍ରଥମ ଡୋଜ୍ ଟିକାକରଣ କରାଯାଇଛି ।
ଗତ ମେ ୧ ତାରିଖରେ ସ୍ପୁଟନିକ-ଭି ଟିକା ଭାରତକୁ ଆସିଥିଲା । ମାତ୍ର ଗତକାଲି ସେଣ୍ଟାଲ୍ ଡ୍ରଗସ୍ ଲାବରେଟୋରି ଏହାର ରେଗୁଲେଟୋରି କ୍ଲିୟରାନ୍ସ ପ୍ରଦାନ କରିଥିଲା ।
ଡକ୍ଟର ରେଡିସ୍ ପକ୍ଷରୁ ଅର୍ଡର ଦିଆଯାଇଥିବା ଦ୍ୱିତୀୟ ପର୍ଯାୟ ସ୍ପୁଟନିକ-ଭି ଆସନ୍ତା ମାସରେ ପହଞ୍ଚିବ । ଏଥିସହ ଭାରତୀୟ ମାନୁଫ୍ୟାକଚରିଂ ପାର୍ଟନରମାନଙ୍କଠାରୁ ଟିକା ଯୋଗାଣ ଆରମ୍ଭ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।