ପୁରୀ: କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର କଟକଣା ଅବଧିକୁ ଆହୁରି ମାସେ ବଢ଼ାଇ ଦିଆଯାଇଛି । ଜୁନ୍ ୧୫ ଯାଏଁ ସାଧାରଣ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇ ପାରିବେ ନାହିଁ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ କୋଭିଡ୍ ସ୍ଥିତି ଗମ୍ଭୀର ଥିବାରୁ ଶ୍ରୀମନ୍ଦିର ଦର୍ଶନ କଟକଣା ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥଯାତ୍ରାରେ ନୀତିକାନ୍ତି ବ୍ୟାଘାତ ନ ହେବା ପାଇଁ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ପରିସ୍ଥିତି ଅନୁଯାୟୀ ଏସଓପିରେ ପରିବର୍ତ୍ତନ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।