ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ଦର୍ଶନ ଉପରେ କଟକଣା ଫେରିଛି । ଏଣିକି ପ୍ରତି ଶନି ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ କେବଳ ରବିବାର ଦିନ ଦର୍ଶନ ବାରଣ ଥିଲା । ସେଦିନ ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଉଥିଲା । ତେବେ ବର୍ତ୍ତମାନର କରୋନା ସଂକ୍ରମଣ ଦୃଷ୍ଟିରୁ ଆଜିର ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି । ଏଥିରେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ କଡ଼ା କଟକଣା ଜାରି ହୋଇଛି । ଭକ୍ତ ଓ ସେବାୟତ ସମସ୍ତେ ଭଲଭାବରେ ମାସ୍କ ପିନ୍ଧିବେ ଏବଂ ସାନିଟାଇଜର୍ ବ୍ୟବହାର କରିବେ । ଭିତରବେଡ଼ା, ବ୍ୟାରିକେଡ଼, ବଡ଼ଦାଣ୍ଡ ସାନିଟାଇଜ ହେବ ।
ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି । ଏହା ୭ ଦିନ ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ ହୋଇଥିବା ଦରକାର । ଦୁଇଟି ଯାକ ଡୋଜ୍ ନେଇଥିବା ଟିକା ରିପୋର୍ଟ ଦେଖାଇ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ଭକ୍ତମାନଙ୍କ ପାଇଁ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି । ବାହାର କାଠ ନିକଟରୁ ଭକ୍ତମାନେ ବଡଠାକୁରଙ୍କୁ ଦର୍ଶନ କରିବେ ।
ଶ୍ରୀମନ୍ଦିର ଭିତରେ କୋଭିଡ୍ ନିୟମ ଅନୁପାଳନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୁଲିସର ୩ ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ । ପରଷ୍ପର ମଧ୍ୟରେ ସମନ୍ୱୟ ରଖି ସେମାନେ ନିୟମ ଅନୁପାଳନର ତଦାରଖ କରିବେ ଏବଂ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।