ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ତଦନ୍ତକାରୀ ସଂସ୍ଥା ପାଖରେ ବ୍ୟକ୍ତିଗତ ହାଜିରା ଦେବାକୁ ଡରୁଛନ୍ତି କି? କ୍ରାଇମବ୍ରାଞ୍ଚ , ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ବ୍ୟକ୍ତିଗତ ହାଜିରା ପାଇଁ ଜାଗୀଙ୍କୁ ଦିଆଯାଉଥିବା ସମନ୍ କୁ ସେ ବାରମ୍ବାର ଅବଜ୍ଞା କରୁଥିବାରୁ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟର ଏକ ନମ୍ବର ଟିଭିର ମାଲିକ ତଥା ଏକ ନମ୍ବର ଶିଳ୍ପପତିଙ୍କ ବୋହୁ ଓ ପତ୍ନୀ ହୋଇଥିବାରୁ ଏହା ତାଙ୍କର ଅହଂକାର ହୋଇପାରେ । ତେବେ ଆଇନ ଆଖିରେ ଜଣେ ଅଭିଯୁକ୍ତଙ୍କ ପକ୍ଷେ ଏଭଳି ଅହଂକାର ଶୋଭା ପାଉନି ବୋଲି ଏବେ ସବୁଠି ଚର୍ଚ୍ଚା, ଟାହିଟାପରା ।
ପୂର୍ବରୁ ମହିଳା କମିଶନ ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ବ୍ୟକ୍ତିଗତ ହାଜିରା ସମନ୍ କୁ ଫାଙ୍କି ଦେଇଥିବା ଶ୍ରୀମତୀ ଜାଗୀ ପଣ୍ଡା ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସମନ୍ କୁ ମଧ୍ୟ ଅବଜ୍ଞା କରିଛନ୍ତି । ନିଜେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ନିଜର ଜଣେ ପ୍ରତିନିଧିଙ୍କୁ ପଠାଇ ଦେଇଥିଲେ ଜାଗୀ । ନିଜ ଓକିଲଙ୍କ ସହ ଅଭିଯୋଗକାରିଣୀ ପକ୍ଷ ରଖିଥିଲା ବେଳେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଆଜି ଉପସ୍ଥିତ ନହୋଇ କରୋନା କାର୍ଯ୍ୟ ବ୍ୟସ୍ତତା ପାଇଁ ସମୟ ମାଗିଥିଲେ । ପ୍ରାୟ ଦୁଇଘଣ୍ଟା ଧରି ଶୁଣାଣି ହୋଇଥିଲା । ଯେଉଁଥିରେ ଅଭିଯୋଗକାରିଣୀଙ୍କ ପକ୍ଷରୁ ଓଟିଭି ଏମଡିଙ୍କ ବିରୋଧରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଥିଲା । ପୀଡ଼ିତାଙ୍କ ଘରକୁ ନିଜେ ଜାଗୀ ପଣ୍ଡା ଦୁଇ ଦୁଇ ଥର ଯାଇ ମାମଲା ଚାପିବାକୁ ଧମକାଇଥିବା ଅଭିଯୋଗ ହୋଇଛି ।
ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି କମିଶନ । ସେଦିନ ଜାଗୀ ପଣ୍ଡା ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ବାଧ୍ୟ । ନଚେତ୍ ପୁଲିସ ଲଗାଇ ତାଙ୍କୁ ଅଣାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କମିଶନ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ।
ନ୍ୟାୟଭିକ୍ଷା କଲେ ପୀଡ଼ିତାଙ୍କ ମାଆ
ପୀଡ଼ିତା ମାଆଙ୍କ ଏକ ଭିଡ଼ିଓ ବୟାନ ଆଜି ଭାଇରାଲ୍ ହୋଇଛି । ସେଥିରେ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ ସାଂଘାତିକ କଥା କହିଛନ୍ତି ତାଙ୍କର ପୂର୍ବତନ କର୍ମଚାରୀ(ରିସେପସିନିଷ୍ଟ୍) ଏହି ପୀଡ଼ିତାଙ୍କ ମାଆ ।