ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଛନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ହୋଇପାରେ । ପତ୍ନୀ ଏବଂ ଡିଏଫଓ ମିଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ସିଧାସଳଖ ଅଭିଯୋଗ ହୋଇଛି ।
ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୧୦ ଦିନ ପରେ ଡିଏଫଓ ଶ୍ରୀ ବେହେରାଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁଲିସ ପଚରାଉଚୁରା କରିବାକୁ ଯାଉଛି । ଇତିମଧ୍ୟରେ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ ଚିଠିରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆଦୌ ଭଲ ନ ଥିଲା ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଏବେ ଡିଏଫଓଙ୍କ ବୟାନ ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ।
ଡିଏଫଓ ସଂଗ୍ରାମ କେଶରୀ ବେହେରା ଯେ ଏହି ମାମଲା ପଛର ଖଳନାୟକ ଲୋକଙ୍କ ମନରେ ସେହି ସନ୍ଦେହ ଦୃଢ଼ୀଭୂତ ହୋଇଛି । ତେବେ ଏହି ସଂଗ୍ରାମ କିଏ ସେକଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥିବ ବୋଲି ଆମର ବିଶ୍ୱାସ । ତେଣୁ ଏଠାରେ ତାଙ୍କ କ୍ୟାରିୟର୍ ସମ୍ପର୍କରେ ଉଲ୍ଲେଖ କରୁଛୁ ।
ଛାତ୍ରାବସ୍ଥାରେ ସମସ୍ତଙ୍କର ଆଦର୍ଶ ଓ ପ୍ରେରଣାଦାୟୀ ଥିଲେ ସଂଗ୍ରାମ । ଜଣେ ସୁନାପୁଅ ଭାବେ ତାଙ୍କର ନାଁ ଥିଲା । ଆଇଏଫଏସ୍ ଟପ୍ପର୍ ଭାବେ ସାରା ରାଜ୍ୟର ଗୌରବ ବଢ଼ାଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ । ସଂଗ୍ରାମଙ୍କୁ ନେଇ ଛାତିଏ ଗର୍ବ ଥିଲା ବାପା ମା’ ଓ ବନ୍ଧୁ ପରିଜନଙ୍କଠାରେ । ମାତ୍ର ଭାଗ୍ୟର ବିଡମ୍ବନା ଯେ ୧୨ ବର୍ଷ ତଳର ସେହି ନାୟକ ଆଜି ନିନ୍ଦା, ଅପବାଦରେ ପୋତି ହୋଇଛନ୍ତି । ତାଙ୍କ ବିରୋଧରେ ପରକୀୟା ପ୍ରୀତି ଏବଂ ଯୋଜନା ବଦ୍ଧ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ପୁରୁଣା ବ୍ରହ୍ମପୁର ଅଞ୍ଚଳ ଅଇଁଠାବନ୍ଧରେ ସଂଗ୍ରାମଙ୍କ ଘର । ଘର ପାଖରେ ସେଲୁନ୍ କରିଥିବା ବାପାଙ୍କ ସ୍ୱଳ୍ପ ରୋଜଗାରରେ ପାଠ ପଢ଼ି ବଡ଼ ମଣିଷ ହୋଇଛନ୍ତି । ୨୦୦୮ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମଏସସି(ପ୍ରାଣୀବିଜ୍ଞାନ)ରେ ସେ ଗୋଲଡ ମେଡାଲିଷ୍ଟ । ୨୦୦୮ ମସିହା ସିଭିଲ୍ ସର୍ଭିସ୍ ଫାଇନାଲ୍ ପରୀକ୍ଷା କ୍ଲିୟର୍ କରିଥିଲେ ମଧ୍ୟ ସାକ୍ଷାତକାରରେ କଟି ଯାଇଥିଲେ । ତେବେ ୨୦୦୯ ଭାରତୀୟ ବନସେବା ପରୀକ୍ଷା(ଆଇଏଫଏସ) ପରୀକ୍ଷାରେ ସେ ହୋଇଥିଲେ ଟପର୍ । ଜଣେ ସାଧାରଣ ସେଲୁନ୍ ବାଲା(ବାରିକ)ଙ୍କ ୨୪ ବର୍ଷୀୟ ପୁଅ ବିନା କୋଚିଂରେ ଆଇଏଫଏସ୍ ଟପର୍ ହୋଇଥିବାରୁ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ । ସବୁଆଡୁ ତାଙ୍କୁ ମିଳିଥିଲା ଅଜସ୍ର ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ, ସାରା ରାଜ୍ୟ ପାଇଁ ତୁମେ ଗର୍ବ ଆଣିଛ ବୋଲି କହିଥିଲେ ।
ସେତେବେଳେ ଜାତୀୟ ଗଣମାଧ୍ୟମରେ ତାଙ୍କର ଅନେକ ସାକ୍ଷାତକାର ପ୍ରକାଶ ପାଇଥିଲା । ଭବିଷ୍ୟତ ଆଶାୟୀମାନଙ୍କ ପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହାଁନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସଂଗ୍ରାମ ଗୋଟେ କଥା କହୁଥିଲେ । ତାହା ହେଲା-Faint hearts have never won fair ladies. if you want to, you have to be a braveheart! ଓଡ଼ିଆରେ ଯାହାର ସାରମର୍ମ ହେଲା, ସୁନ୍ଦରୀ ମହିଳାଙ୍କୁ ଜିତିବା ପାଇଁ ମୋଟା ଛାତି ଦରକାର । ଦୁର୍ବଳ ହୃଦୟରେ ଏହା ସମ୍ଭବ ନୁହେଁ ।
ଉଚ୍ଚ କ୍ୟାରିୟର୍ ଗଢ଼ିବାକୁ ଯାଉଥିବା ଯୁବକମାନେ ସଫଳତା ପାଇବାକୁ ହେଲେ ସାହାସୀ ହେବା ଦରକାର ବୋଲି ସଂଗ୍ରାମଙ୍କର ଏହି ଉକ୍ତିଟି ମୋଟାମୋଟି ଉଦ୍ଦିଷ୍ଟ ଥିଲେ ମଧ୍ୟ ସଫଳତା ପାଇଲା ପରେ ସମ୍ଭବତଃ ସେ ନିଜେ ଭ୍ରମରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି । ଜଣେ ବିବାହିତା ମହିଳାଙ୍କୁ ପାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେବାର ପରିକଳ୍ପନା ଯଦି ସତ ହୋଇଥାଏ, ତାହା ସାହାସୀ ନୁହେଁ ବରଂ ଘୃଣିତ ଓ କାପୁରୁଷତାର କାର୍ଯ୍ୟ ନିଶ୍ଚିତ । ସଂଗ୍ରାମଙ୍କ ଭଳି ଜଣେ ଟାଲେଣ୍ଟ ଏମିତିକା ବ୍ରେଭହାର୍ଟର ମଣିଷ ହୋଇ ନ ପାରନ୍ତି ବୋଲି ବିଶ୍ୱାସ କରାଯାଇପାରେ । ପୁଲିସ ତଦନ୍ତ କାଳରେ ସଂଗ୍ରାମ ଏହାର ଉତ୍ତର ରଖିବେ । ଆଉ ଯଦି ସିଏ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି, ତେବେ ତାଙ୍କୁ କଠୋର ଦଣ୍ଡବିଧାନ ଦେବା ପାଇଁ ସବୁ ମହଲରୁ ଦାବି ହେଉଛି ।
ଶେଷରେ..ଡିଏଫଓ ସଂଗ୍ରାମ ବେହେରାଙ୍କୁ ଏବେ ବୟସ ୩୬ ବର୍ଷ । ୨୪ ବର୍ଷରେ ଆଇଏଫଏସ୍ ପାଇଥିବା ସଂଗ୍ରାମ ଘରର ଏକମାତ୍ର ପୁଅ । ମାତ୍ର ଏ ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି । ବିବାହ କରିବା ନ କରିବା ଯଦିଓ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଛନ୍ଦି ହେବା ଯୋଗୁଁ ଲୋକଙ୍କ ଦୃଷ୍ଟି ସେୟାଡକୁ ଯାଇଛି । ଏତେବର୍ଷ ପର୍ଯ୍ୟନ୍ତ ବିବାହ ନ କରିବା ପଛର କାରଣ କ’ଣ ସେହି ତଥାକଥିତ ପରକୀୟ ପ୍ରୀତି ନା ଆଉ କିଛି? ଏ ପ୍ରଶ୍ନ ମଧ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।