ଶନିବାର ବିହାରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ୧୫ ଜିଲ୍ଲାର ୭୮ ଆସନ ପାଇଁ ନିଆଯିବ ମତ । ଦୌଡ଼ରେ ଅଛନ୍ତି ୧୨୦୭ ପ୍ରାର୍ଥୀ, ସେମାନଙ୍କ ମଧ୍ୟରୁ ୮ ଜଣ ନୀତୀଶ ସରକାରରେ ମନ୍ତ୍ରୀ ଅଛନ୍ତି । ବିହାରର ପଛୁଆ ଏବଂ ମୁସଲିମ୍ ବହୁଳ ସୀମାଞ୍ଚଳ ହିଁ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଦେବାକୁ ଯାଉଛି । ଯାହା ସମୀକରଣ ଦୃଷ୍ଟିରୁ ଦେଖିଲେ ସବୁ ଦଳକୁ ଟେନସନରେ ରଖୁଛି ।
୭୮ ଆସନରୁ ମହାଗଠବନ୍ଧନର ଆରଜେଡି ୪୬ ଆସନରେ, ୨୫ ଆସନରେ କଂଗ୍ରେସ ଏବଂ ୭ ଆସନରେ ବାମ ଦଳ ପ୍ରାର୍ଥୀ ଦେଇଛନ୍ତି । ସେହିଭଳି ଏନଡିଏରୁ ୩୭ ଆସନରେ ଜେଡିୟୁ, ୩୫ରେ ବିଜେପି, ବିକାଶଶୀଳ ଇନସାନ୍ ପାର୍ଟି ୫ ଏବଂ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା ଗୋଟେ ଆସନରେ ପ୍ରାର୍ଥୀ ଦେଇଛନ୍ତି ।
ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୬୫ ଆସନ ପାଇଁ ଭୋଟିଂ ସରିଥିଲେ ବି ତୃତୀୟ ପର୍ଯ୍ୟାୟ ଭୋଟିଂରୁ ଉଭୟ ଏନଡିଏ ଏବଂ ମହାଗଠବନ୍ଧନ ଅନେକ ଆଶା ରଖିଛନ୍ତି । ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ସୀମାଞ୍ଚଳ ମୁସଲିମ୍ ବହୁଳ । ତେଣୁ ଏଭଳି ସ୍ଥିତିରେ ଉଭୟ ମହାଗଠବନ୍ଧନ ଏବଂ ଏନଡିଏ ପାଇଁ ଏଲଜେପି, AIMIM ଏବଂ ଏନସିପି ଭୋଟ୍ କଟର୍ ହେବା ସମ୍ଭାବନା ରହୁଛି ।
ମୋଟାମୋଟି କହିବାକୁ ଗଲେ, ତୃତୀୟ ପର୍ଯ୍ୟାୟରେ ଅନେକ ଗୁରୁତ୍ବ ରଖୁଛି ସୀମାଞ୍ଚଳ । ସୀମାଞ୍ଚଳ ଅଧୀନରେ ଆସୁଛି ପୂର୍ଣ୍ଣିଆ, କଟିହାର, କିଶନଗଞ୍ଜ ଏବଂ ଆରାରିଆ ଜିଲ୍ଲା । ଏଠି ରହୁଛି ୨୪ ଆସନ । ସୀମାଞ୍ଚଳ ହିଁ ବିହାରର ସବୁଠାରୁ ପଛୁଆ ଅଞ୍ଚଳ । ବିହାରରେ ୧୭ ପ୍ରତିଶତ ମୁସଲିମ୍ ଥିବା ବେଳେ କେବଳ ସୀମାଞ୍ଚଳରେ ୪୭ ପ୍ରତିଶତ । କିଶନଗଞ୍ଜରେ ୭୦ ପ୍ରତିଶତ, ଆରାରିଆରେ ୪୨ ପ୍ରତିଶତ, କଟିହାରରେ ୪୩ ପ୍ରତିଶତ ଏବଂ ପୂର୍ଣ୍ଣିଆରେ ୩୮ ପ୍ରତିଶତ ଭୋଟର ମୁସଲିମ୍ । ୨୦୧୫ରେ କିଶନଗଞ୍ଜ ଜିଲ୍ଲାରୁ ଓସାଦୁଦ୍ଦିନ୍ ଅୱେସୀଙ୍କ AIMIM ଗୋଟିଏ ସିଟ୍ ଅକ୍ତିଆର କରିଥିଲା । ଏଥର କିନ୍ତୁ ଦଳ ୧୯ ଆସନରେ ପ୍ରାର୍ଥୀ ଦେଇଛି ।
ସୀମାଞ୍ଚଳ, ଆରଜେଡିର ଭୋଟ୍ ବ୍ୟାଙ୍କ ହୋଇଥିବା ବେଳେ ଏଠାକାର ୨୪ ଆସନରୁ ଏଥର ୧୯ ଆସନରେ ପ୍ରାର୍ଥୀ ଦେଇଛି AIMIM । ଯାହା ସବୁ ଦଳକୁ ଟେନସନରେ ରଖୁଛି ସତ, କିନ୍ତୁ ଆରଜେଡି ପାଇଁ ମୁଣ୍ଡବିନ୍ଧା ଟିକେ ଅଧିକ । ଭୌଗଳିକ, ରାଜନୈତିକ ଓ ଆର୍ଥିକ ଦୃଷ୍ଟିରୁ ସୀମାଞ୍ଚଳ, ବିହାର ରାଜନୀତିରେ ଅନେକ ଗୁରୁତ୍ବ ରଖୁଛି । ୨୦୧୫ରେ ଏଠି ଆରଜେଡି-ଜେଡିୟୁ ନେତୃତ୍ବରେ ମହାଗଠବନ୍ଧନ ଫାଇଦା ପାଇଥିଲା । ୭୮ ଆସନରୁ ଆରଜେଡି ସହ ମହାଗଠବନ୍ଧନରେ ଥିବା ଜେଡିୟୁକୁ ୨୩ଟି ଆସନ ମିଳିଥିଲା । କିନ୍ତୁ ଏଥର ସମୀକରଣ ଅଲଗା ରହିଛି । ଆରଜେଡି ସହ ନୁହେଁ ବରଂ ବିଜେପି ସହ ଅଛି ଜେଡିୟୁ । ତେଣୁ ଜେଡିୟୁ ମଧ୍ୟ, ଆଶଙ୍କାରେ ରହିବା ସ୍ବାଭାବିକ ।
୨୦୧୦ ନିର୍ବାଚନରେ ବିଜେପିକୁ ଏହି ଅଞ୍ଚଳରୁ ମିଳିଥିଲା ୨୭ ଆସନ । କିନ୍ତୁ ପୂର୍ବର ସେ ସମୀକରଣ ୨୦୨୦ରେ ନାହିଁ । ଏନଡିଏ ଫୋଲ୍ଡରେ ଜେଡିୟୁ ଥିବା ବେଳେ ସବୁ ଦଳ ପାଇଁ ତୃତୀୟ ଫେଜ୍ ଚ୍ୟାଲେଞ୍ଜିଂ । ୭୮ରୁ ୨୩ ଆସନରେ ମୁହାଁମୁହିଁ ହେଉଛନ୍ତି ଆରଜେଡି ଓ ଜେଡିୟୁ । ବିଜେପିର ୨୦ ପ୍ରାର୍ଥୀଙ୍କ ସହ ଆରଜେଡି ଦେଉଛି ଟକ୍କର । ୧୪ ଆସନରେ କଂଗ୍ରେସ, ବିଜେପି ସହ ଏବଂ ୯ ଆସନରେ ଜେଡିୟୁ ସହ ସାମ୍ନାସାମ୍ନି ଲଢେଇ କରୁଛି ।
୨୦୧୫ ନିର୍ବାଚନରେ ବିହାରରେ କଂଗ୍ରେସ ୨୭ଟି ଆସନ ହାତେଇ ଥିଲା । କିନ୍ତୁ ଦଳର କବଜାରେ ଥିବା ୪ଟି ଆସନ, ଏଥର ସହଯୋଗୀଙ୍କ ହାତକୁ ଯାଇଛି । ତେଣୁ ୨୦୨୦ ନିର୍ବାଚନ କଂଗ୍ରେସ ପାଇଁ ୨୦୧୫ ଠାରୁ ଅଧିକ ଚ୍ୟାଲେଞ୍ଜିଂ ।