କଟକ: ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ । ଆଜି ଭୋର ୫ଟାରେ ସେଠାରେ ଅଗ୍ନିକାଣ୍ଡ ଘଟି ୩ ଟି ଡିଲକ୍ସ କଟେଜ୍ ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି । ଦୁର୍ଘଟଣାରୁ ସୌଭାଗ୍ୟକୁ ବର୍ତ୍ତି ଯାଇଛନ୍ତି ଆଇପିଏସ୍ ଦମ୍ପତ୍ତି ସଞ୍ଜୀବ ପଣ୍ଡା ଏବଂ ପତ୍ନୀ ସନ୍ତୋଷ ବାଲା । ଗତକାଲି ରାତିରେ ଏହି ଦମ୍ପତ୍ତି ଡିଲକ୍ସ କଟେଜ୍ ରେ ଥିଲେ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।
କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍ ରେ ମୋଟ ୨୮ ଟି କଟେଜ୍ ରହିଛି । ସେଥିରୁ ୨୪ ଟି କଟେଜ୍ ରେ ପ୍ରାୟ ୪୦ ଜଣ ପର୍ଯ୍ୟଟକ ଥିଲେ । ଅବଶିଷ୍ଟ କଟେଜ୍ ରୁ ଗୋଟିଏ ଡିଲକ୍ସ କଟେଜ୍ ରେ ଆଇପିଏସ୍ ପଣ୍ଡା ଦମ୍ପତ୍ତି ଥିଲେ । ଭୋର ୫ଟାରେ ହଠାତ୍ ସେଠାରେ ନିଆଁ ଲାଗିଥିଲା । ନିଆଁକୁ ଦେଖି ପଣ୍ଡା ଦମ୍ପତ୍ତି ବାହାରକୁ ଚାଲି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଭଗବାନଙ୍କ ଆଶିର୍ବାଦରୁ ଆମେ ଅକ୍ଷତ ଅବସ୍ଥାରେ ବର୍ତ୍ତିଗଲୁ ବୋଲି ରାଜ୍ୟ ପରିବହନ କମିଶନର ଶ୍ରୀ ପଣ୍ଡା ଟ୍ୱିଟ୍ କରିଛନ୍ତି ।
ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ତତ୍ପରତା ତଥା ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ପହଞ୍ଚିଯିବାରୁ ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ ୩ଟି ଡିଲକ୍ସ କଟେଜ୍ ସମ୍ପୂର୍ଣ୍ଣ ଜଳିସାରିଥିଲା ।
ଖବର ପାଇ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ପର୍ଯ୍ୟଟକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବିଧାୟକ ସୂଚନା ଦେଇଛନ୍ତି ।