ଭୁବନେଶ୍ୱର: କିନ୍ନରମାନଙ୍କ ପାଇଁ ଖୁସି ଖବର । ପୁଲିସ ବିଭାଗରେ ସେମାନଙ୍କୁ ଚାକିରି ସୁବିଧା ଦେଇଛନ୍ତି ରାଜ୍ୟ ସରକାର । ୪୭୭ ସବଇନସପେକ୍ଟର ଏବଂ ୨୪୪ କନେଷ୍ଟବଳ ପଦବୀ ପାଇଁ କିନ୍ନରମାନେ ଆବେଦନ କରିପାରିବେ । ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଏବଂ ସିଲେକ୍ସନ୍ ବୋର୍ଡ ପକ୍ଷରୁ ପୃଥକ୍ ଭାବେ ଆଜି ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞାପନରେ ଏହା କୁହାଯାଇଛି । ପ୍ରଥମ ଥର ପାଇଁ ସରକାରୀ ଚାକିରିରେ କିନ୍ନରମାନଙ୍କୁ ଏଭଳି ସୁବିଧା ଦିଆଯାଇଛି ।
ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ୪୭୭ ସବ ଇନସପେକ୍ଟର(ଏସଆଇ) ଏବଂ ସିଲେକ୍ସନ୍ ବୋର୍ଡ ପକ୍ଷରୁ ୨୪୪ କନେଷ୍ଟବଳ ନିଯୁକ୍ତି ପାଇଁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ନରମାନେ ସାଧାରଣ ପ୍ରାର୍ଥୀଙ୍କ ଭଳି ଏଥିପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଏସଆଇ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥିବା ବେଳେ କନେଷ୍ଟବଳ ପାଇଁ ରହିଛି ଯୁକ୍ତ ଦୁଇ ।
କିନ୍ନରମାନଙ୍କୁ ପୁଲିସ ଚାକିରି ସୁବିଧା ଦେଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ କିନ୍ନର ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି । କିନ୍ନର ନେତ୍ରୀ ମୀରା ପରିଡ଼ା ତାଙ୍କ ପ୍ରତିକ୍ରିୟାରେ ଓଡ଼ିଶା ସରକାରଙ୍କ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ।