ଭୁବନେଶ୍ୱର: କରୋନା ଯୋଗୁଁ ଏବର୍ଷ ଅଣ୍ଡର ଗ୍ରାଜୁଏଟ(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ(ପିଜି) ପରୀକ୍ଷା ବାତିଲ ହେବ ନାହିଁ । ପରୀକ୍ଷା ପ୍ରାୟତଃ ହେବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ୟୁଜି/ପିଜି ପରୀକ୍ଷା ସମ୍ପର୍କରେ ବିଚାର ଆଲୋଚନା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ଆଜି ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ଡାକି ସେମାନଙ୍କ ମତାମତ ନେଇଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ପରୀକ୍ଷା ସପକ୍ଷରେ ପ୍ରାୟ ସମସ୍ତେ ମତ ଦେଇଥିବା ଜଣାପଡ଼ିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ପାଇଁ କୁଳପତିମାନେ ୭ ଦିନ ସମୟ ନେଇଛନ୍ତି । ଏହି ସମୟରେ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ର ପ୍ରତିନିଧିଙ୍କ ସହ ସେମାନେ ଆଲୋଚନା କରିବେ । ଆସନ୍ତା ୧୮ ତାରିଖ ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ୟୁଜି ଓ ପିଜି ଶ୍ରେଣୀର ଅନଲାଇନ୍ କ୍ଲାସ୍ ଚାଲିଛି । ଜୁନ୍ ସୁଦ୍ଧା କୋର୍ସ ଶେଷ ହୋଇଯିବ ।