ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତି ପାଇବେ ସଂପୃକ୍ତ ଅଞ୍ଚଳର ମିଶନ ଶକ୍ତି ମହାସଂଘ । ଦୁଇ ମାସ ମଧ୍ୟରେ ଏହି ସମ୍ପତ୍ତି ହସ୍ତାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲାମାନଙ୍କରେ ଅବ୍ୟବହୃତ ଅବସ୍ଥାରେ ଅନେକ ସରକାରୀ କୋଠା, ଦୋକାନ ଘର, ଗଡ଼ିଆ ପୋଖରୀ ଆଦି ରହିଛି । ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ଏଗୁଡ଼ିକୁ ସଂପୃକ୍ତ ଅଞ୍ଚଳର ମିଶନ ଶକ୍ତି ମହାସଂଘମାନଙ୍କୁ ଦିଆଗଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ଯେଉଁଥିରୁ ସାଧାରଣ ଲୋକ ଉପକାର ପାଇବେ । ମିଶନ ଶକ୍ତି ମା’ ମାନେ ତାକୁ ଆର୍ଥିକ କାର୍ଯ୍ୟରେ ମଧ୍ୟ ଲଗାଇ ପାରିବେ ।
ମହିଳାମାନଙ୍କ ସଶକ୍ତିକରଣ ତାଙ୍କ ସରକାରର ପ୍ରାଥମିକତା ରହି ଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ଏହି ପଦକ୍ଷେପ ମା’ ମାନଙ୍କର ନୀରବ ଆନେ୍ଦାଳନକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ମିଶନ ଶକ୍ତି ରେ ବର୍ତ୍ତମାନ ୭୦ ଲକ୍ଷ ମହିଳାଙ୍କ ଯୋଗଦାନ ଅଛି । ରାଜ୍ୟ ସରକାର ନିକଟରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି ।