ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ରେକର୍ଡ ଭାଙ୍ଗିଛି । ୩୦ଟି ଯାକ ଜିଲ୍ଲାରୁ ସର୍ବାଧିକ ୪୨୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ଆକ୍ରାନ୍ତ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୭୪ ଏବଂ ପୁରୀ ଜିଲ୍ଲାରୁ ୨୮୭ ଆକ୍ରାନ୍ତ ହୋଇଛନ୍ତି । ଏହି ତିନୋଟି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି ।
ଆକ୍ରାନ୍ତ ତାଲିକାର ଶୀର୍ଷରେ ରହିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଘରେ ଘରେ ଲୋକଙ୍କୁ ଜ୍ୱର, ଥଣ୍ଡା, କାଶ । ମାସେ ତଳେ ଗଞ୍ଜାମର ଯେଉଁ ଅବସ୍ଥା ଥିଲା ଏବେ ଭୁବନେଶ୍ୱର, କଟକର ଅବସ୍ଥା ତାଠାରୁ ଅଧିକ ଭୟଙ୍କର । ସଂକ୍ରମଣ ସହ ତାଳ ଦେଇ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା । କରୋନା କେତେବେଳେ କାହା ଘରେ ପଶିବ କହିହେବ ନାହିଁ । କରୋନା ଆତଙ୍କରେ ଜୀବନ କାଟୁଥିବା ଟୁଇନ୍ ସିଟି ବାସୀଙ୍କ ମାନସିକ ସ୍ଥିତି ବି ବିଗିଡ଼ିଗଲାଣି ।
ତେବେ ଭୁବନେଶ୍ୱର ଓ କଟକର ରାସ୍ତା, ବଜାର ଦେଖିଲେ ଏଠାକାର ଅବସ୍ଥା ଯେ ସଙ୍ଗୀନ ତାହା ବିଶ୍ୱାସ ହେଉନି । କାରଣ ଅଧିକାଂଶ ଜାଗାରେ କୋଭିଡ୍ ନିୟମ ପାଳନ ନାହିଁ କହିଲେ ଚଳେ । ଦୋକାନ ଆଗରେ ଠେଲାପେଲା ହୋଇ ସାମଗ୍ରୀ କିଣିବାକୁ ଲୋକେ ବ୍ୟାକୁଳ । ଖଟି, ଗୁଲିଗପ ଯେମିତି ହେଉଥିଲା ସେମିତି ଚାଲିଛି । ମୁହଁରେ ମାସ୍କ ନ ରହି ଲୋକଙ୍କ ବେକରେ ଝୁଲୁଛି । କୋଭିଡ୍ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ପୁଲିସର ନାଲିଆଖି ନାହିଁ ।
ମୋଟାମୋଟି ଭାବେ ଯେଉଁ ସମୟରେ ଲକଡାଉନ୍/ ସଟଡାଉନ୍ ହେବା ନିହାତି ଜରୁରୀ ସେହି ସମୟରେ ସବୁ କିଛି ଖୋଲାମେଲା ଛାଡ଼ି ଦିଆଯାଇଛି । ଜୀବିକା ନାଁରେ ଜୀବନ ବଳି ପଡ଼ିବା ଅବସ୍ଥାକୁ ଚାଲିଆସିଲାଣି । ଅମାନିଆଙ୍କୁ ସାବାଡ଼ କରି ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ବରଂ କେନ୍ଦ୍ର ସରକାରଙ୍କ ଅନଲକ୍ ଗାଇଡଲାଇନ୍ କୁ ଅକ୍ଷରେ ଅକ୍ଷରେ ପାଳିବାକୁ ରାଜ୍ୟ ସରକାର ବ୍ୟଗ୍ର ।
ଆଜି କୋଭିଡ୍ ପରିଚାଳନାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିଗକୁ ଦୃଷ୍ଟି ଦେଇଥିଲେ ମଧ୍ୟ ସେଭଳି କଠୋର ପଦକ୍ଷେପ ନେଇନାହାନ୍ତି । ଭୁବନେଶ୍ୱର, କଟକରେ କୋଭିଡ୍ ନିୟମର କଡ଼ାକଡ଼ି ଅନୁପାଳନ ହେଉ ନ ଥିବା ମୁଖ୍ୟମନ୍ତ୍ରୀଙ୍କର ହୃଦବୋଧ ହୋଇଛି । ଏହାର କାର୍ଯ୍ୟକାରିତା ଉପରେ ପୁଲିସ ଡିଜି ଦୃଷ୍ଟି ହେବାକୁ ମୁଖ୍ୟମନ୍ତ୍ରୀ କେବଳ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆଜିର ସମୀକ୍ଷା ବୈଠକରେ ଫୋକସ୍ ରହିଥିଲା ଜୀବିକା । କୋଭିଡ୍ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବାକୁ କହିଛନ୍ତି ।
ମନରେଗାରେ ଗାଁ ଲୋକଙ୍କୁ ଅଧିକ ରୋଜଗାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲା ବେଳେ କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ୍ କୁ ସଠିକ୍ ଭାବେ କାର୍ଯ୍ୟ କରିବା ସର୍ବୋଚ୍ଚତା ପ୍ରାଥମିକତା ବୋଲି କହିଥିଲେ । ଦେଶର ଜିଡ଼ିପି ଅଭିବୃଦ୍ଧି ମାଇନସ୍ ୨୩ ପ୍ରତିଶତ ଥିବାରୁ ଏହାର କୁପ୍ରଭାବରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
କେବଳ ଗତ ୫ ସପ୍ତାହରେ ୧ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିବା ସହ ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାଙ୍କ ଉଚ୍ଚପ୍ରଶଂସା କରିଥିଲେ ।
ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ, ପୁଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।