ଭୁୁବନେଶ୍ୱର: କରୋନା ପାଇଁ ଆହୁରି ବଢ଼ିଲା କଟକଣା । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ସରକାରୀ କଟକଣା ନିର୍ଦ୍ଦେଶାନାମା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଆଜିଠାରୁ ଏହି କଟକଣା ଲାଗୁ ହୋଇଛି ।
# ସର୍ବସାଧାରଣ ଜାଗାରେ ୭ ଜଣରୁ ଅଧିକ ଲୋକ ଏକାଠି ହେବେନି
# ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
# ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ବଦଳରେ ଚାଲିବେ
# ସବ୍ ସପିଂ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରୀ
# କରୋନା ସମ୍ପର୍କିତ ବୈଠକ ଛଡ଼ା ସବୁ ସରକାରୀ ବୈଠକ ବାତିଲ
# କରୋନା ସମ୍ପର୍କିତ ବୈଠକରେ ରହିବ ୨ ମିଟର ଦୂରତ୍ୱ
# ଭିଡ଼ିଓ କନଫରେନ୍ସିଂରେ ହେବ କ୍ୟାବିନେଟ୍, ମନ୍ତ୍ରୀସ୍ତରୀୟ ବୈଠକ
# ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ
ଦ୍ୱିତୀୟ କରୋନା ଆକ୍ରାନ୍ତ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି
ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣଙ୍କ ୧୯ ବର୍ଷର ଯୁବକ । ୧୯ ତାରିଖରେ ସେ ବ୍ରିଟେନ୍ ରୁ ଫେରିଥିଲେ । ତାଙ୍କୁ ହସ୍ପିଟାଲ୍ ରେ ଆଇସୋଲେସନରେ ରଖାଯାଇଛି । ତାଙ୍କ ପରିବାର ଲୋକ ହୋମ୍ ଆଇସୋଲେସନରେ ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇଥିବା ବେଳେ ଅବଶିଷ୍ଟ ୩ ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ୍ ନିୟୋଜିତ ହୋଇଥିବା ସେ କହିଛନ୍ତି ।
‘ଜନତା କର୍ଫ୍ୟୁ’ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଆସନ୍ତା ୨୨ ତାରିଖ ରବିବାର ଦିନ ସାରା ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍ କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଦିନ ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଡାକ୍ତର, ନର୍ସ, ଆମ୍ବୁଲାନଓ କର୍ମଚାରୀଙ୍କ ସମେତ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ସେମାନଙ୍କ କାର୍ଯ୍ୟରେ ବାଧା ନ ଦେବାକୁ ଅନୁରୋଧ କରିଛନ୍ତି ।
୧୮୨ ଦେଶରେ କରୋନା
ଗତକାଲି କରୋନାରେ ୧୭୬ ଦେଶ ପ୍ରଭାବିତ ଥିବା ବେଳେ ଆଜି ୧୮୨ ଦେଶକୁ ବ୍ୟାପିଛି । ଏଥିରେ ସମୁଦାୟ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ମୋଟ ୧୦ ହଜାର ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ କାଲି ସୁଦ୍ଧା ୧୭୪ କରୋନା ପଜିଟିଭ୍ ଥିଲା ବେଳେ ଆଜି ତାହା ୨୦୬କୁ ବୃଦ୍ଧି ପାଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।