ଭୁୁବନେଶ୍ୱର: ଓଡ଼ିଶାରେ ୪ ଟି ପର୍ଯ୍ୟାୟ ନିର୍ବାଚନ ଘୋଷଣା ପଛର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଜେଡ଼ି ସିଧା ସିଧା ଅଭିଯୋଗ ଆଣିଛି ଯେ, ଏହା ବିଜେପିର ଗେମପ୍ଲାନ୍ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଛନ୍ତି ।
ବିଜେଡ଼ି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଓଡ଼ିଶାରେ ୪ ଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ । ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ସରିଯାଉଛି । ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳ ସହ ବିଚାର ବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ମଧ୍ୟ ଓଡ଼ିଶାର ସ୍ଥିତିକୁ ଜାଣିଛନ୍ତି । ସବୁ ଜାଣିବା ସତ୍ତ୍ୱେ, ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ବୋଲି ପ୍ରଶ୍ନ ଉଠୁଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦେ୍ଦଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ, ଚାରୋଟି ପର୍ଯ୍ୟାୟ ନିର୍ବାଚନ ଦ୍ୱାରା ଓଡ଼ିଶା ରାଜକୋଷ ଉପରେ ପ୍ରବଳ ବୋଝ ପଡୁଥିବା ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । ଗତଥର ଠାରୁ ଏଥର ନିର୍ବାଚନରେ ଖର୍ଚ୍ଚ ଦୁଇଗୁଣା ହେବ ବୋଲି ସେ କହିଛନ୍ତି । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରିଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ ଏବଂ ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେପଟେ ନିର୍ବାଚନ ଆଚରଣବିଧି ଲାଗୁର ୧୫ ଘଣ୍ଟା ନ ପୂରୁଣୁ ଆଜି ବିଜେଡ଼ି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି । ବିଭିନ୍ନ ଜାଗାରୁ ସରକାରୀ ହୋର୍ଡିଂ ହଟାଯାଇନାହିଁ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯାଇଛି । ଦଳର ମୁଖପାତ୍ର ସମୀର ମହାନ୍ତି ଏହି ଅଭିଯୋଗ ଦାଖଲ କରି କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର୍ କରି ବିଜେଡ଼ି ଭୋଟ ହାତେଇବା ଉଦ୍ୟମରେ ଥିବା ଦର୍ଶାଇଛନ୍ତି ।