ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘କରୋନା ଭାଇରସ୍ ର ଲକ୍ଷଣ ଦେଖିବା ପରେ ମୁଁ ନିଜର ସ୍ୱାବ୍ ଟେଷ୍ଟ କରାଇଥିଲି । ରିପୋର୍ଟ ପଜିଟିଭ୍ ଆସିଛି’ ବୋଲି ଶ୍ରୀ ଶାହା ଲେଖିଛନ୍ତି । ଚିକିତ୍ସା ପାଇଁ କିଛି ସମୟ ତଳେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଲକ୍ଷଣ ସହ ତାଙ୍କ ଅବସ୍ଥା ଭଲ ଅଛି ।
ଏଇ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ ଆଇସୋଲେସନ୍ ରେ ରଖିବା ସହ ସେମାନଙ୍କ କୋଭିଡ୍ ଟେଷ୍ଟ କରିବାକୁ ଗୃହମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ଭୂମିପୂଜନ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଅମିତ୍ ଶାହା କରୋନାରେ ଆକ୍ରାନ୍ତ ହୋଇପଡ଼ିବା ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି । ଦୁର୍ଭାଗ୍ୟକୁ ଆଜି ସକାଳେ ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ କମଲା ରାଣୀ ବରୁନ୍ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇ ପ୍ରାର୍ଥନା କରାଯାଉଛି ।
ସେପଟେ ବିଗ୍ ବି ଅମିତା ବଚ୍ଚନ ଆଜି କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଛନ୍ତି । ଘରେ କିଛି ଦିନ ପାଇଁ ବିଶ୍ରାମ କରିବେ । ନିଜେ ଅମିତାଭ ଓ ପୁଅ ଅଭିଷେକ ଏହା ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ଭଗବାନଙ୍କ କୃପା, ମା ବାବୁଜୀଙ୍କ ଆର୍ଶିବାଦ, ସମସ୍ତଙ୍କ ପ୍ରାର୍ଥନା ଏବଂ ସର୍ବୋପରି ନାନାବତୀ ହସ୍ପିଟାଲ୍ ରେ ଚମକ୍ରାର ଯତ୍ନ ଯୋଗୁଁ ଏହା ସମ୍ଭବ ହୋଇଥିବା ବିଗ୍ ବି ଟ୍ୱିଟ୍ ରେ କହିଛନ୍ତି । ତେବେ ଅଭିଷେକ ବଚ୍ଚନ ଏ ପର୍ଯ୍ୟନ୍ତ କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନାହାନ୍ତି । ହସ୍ପିଟାଲ୍ ଚିକିତ୍ସିତ ହେଉଥିବା ସେ ନିଜେ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୧ ତାରିଖରେ ବଚ୍ଚନ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଅମିତାଭ, ଅଭିଷେକଙ୍କ ସମେତ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେଦିନ ରାତିରେ ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପରେ ଐଶ୍ୱର୍ଯ୍ୟା ଓ ଅରାଧ୍ୟା ହସ୍ପିଟାଲ୍ ଆସିଥିଲେ । ମା, ଝିଅ ସୁସ୍ଥ ହେବା ପରେ ଗତ ସୋମବାର ଦିନ ଘରକୁ ଫେରି ଆସିଥିଲେ ।