ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆଇଏଏସ୍ ବାବୁଙ୍କ ମଧ୍ୟରେ ଏକତା ନାହିଁ। ନବୀନ ସରକାର ଅମଳର ଏହି ଟପ୍ ବ୍ୟୁରେକ୍ରାଟ୍ ମାନେ ଯେ ଦୁଇଗୋଷ୍ଠୀରେ ବିଭକ୍ତ ତାହାର ଝଲକ ଦେଖିବାକୁ ମିଳିଛି। ନୀଳାଦ୍ରି ବିଜେ ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଉପରେ ସେବାୟତମାନଙ୍କ ଅଘଟଣକୁ ନିନ୍ଦା କରି ଆଇଏଏସ୍ ସଂଘ ଗୁରୁବାର ଦିନ ବୈଠକ ଡାକିଥିଲା। ଭୁବନେଶ୍ୱରର ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଥିଲା ବୈଠକ। ରାଜସ୍ୱ ପର୍ଷଦ ସଭ୍ୟ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକର ମୁଖ୍ୟ ଉଦ୍ୟୋକ୍ତା ଥିଲେ ସଂଘର ସମ୍ପାଦକ ବିଶାଳ ଦେବ। ସଂଘରେ ୧୬୮ ସଦସ୍ୟ ଥିଲା ବେଳେ ମାତ୍ର ୨୩ ଜଣ ସଦସ୍ୟ ନିନ୍ଦା ବୈଠକରେ ଯୋଗ ଦେବା ଆଇଏଏସ୍ ବାବୁମାନଙ୍କ ଏକତା ଉପରେ ପ୍ରଶ୍ନ ଉଠାଇଛି।
ସଂଘର ବୈଠକ ସମ୍ପର୍କରେ ସମସ୍ତ ସଦସ୍ୟମାନଙ୍କୁ ଦିନକ ଆଗରୁ ଜଣାଯାଇଥିଲା। ସଂଧ୍ୟା ୭ଟା ବେଳେ ବୈଠକ ଆରମ୍ଭ ହେଲା ବେଳକୁ ରାଜ୍ୟ ସଚିବାଳୟରେ କେବଳ ଡର୍ଜନେରୁ ଅଧିକ ବରିଷ୍ଠ ଆଇଏଏସ୍ ଉପସ୍ଥିତ ଥିଲେ। ମାତ୍ର ବୈଠକୁ ସେମାନେ ଯାଇ ନ ଥିଲେ। ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବୈଠକ ଡକାଯାଇଥିବାରୁ ଏହାକୁ ଏକ ଗୋଷ୍ଠୀ ସମର୍ଥନ କରୁ ନ ଥିବା ଜଣାପଡ଼ିଛି। କାଳେ କିଛି ଅସୁବିଧା ହୋଇଯିବ ସେହି ଡରରେ ଅଧିକାଂଶ ବରିଷ୍ଠ ଅଧିକାରୀ ଯୋଗ ନ ଦେବାକୁ ମନସ୍ଥ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଫଳତଃ ବହୁ କଷ୍ଟରେ ବୈଠକରେ ମାତ୍ର ୨୩ ଜଣ ବରିଷ୍ଠ ଆଇଏଏସ୍ ବାବୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସେବାୟତଙ୍କ ଆକ୍ରୋଶର ଶିକାର ଅରବିନ୍ଦ ଅଗ୍ରୱାଲ୍ ନିଜେ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ଭୁବନେଶ୍ୱରରେ ଉପସ୍ଥିତ ତାଙ୍କର ସମ ସାମୟିକ ବାବୁମାନେ ନ ଆସିବା ଆଇଏଏସ୍ ବିରାଦରୀରେ ଥିବା ଫାଟକୁ ପଦାରେ ପକାଇଛି। ଏ ସଂକ୍ରାନ୍ତରେ ଜାଣିବା ପାଇଁ ଆମେ କିଛି ବରିଷ୍ଠ ଆଇଏଏସ୍ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ପଦୁଟିଏ ପାଟି ଖୋଲି ନାହାନ୍ତି।