ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଂଗ୍ରାମରତ ଦେଶବାସୀଙ୍କୁ ଆଇଟି ରିଟର୍ଣ୍ଣ(ଆୟକର ଦାଖଲ) ନିମନ୍ତେ ଅଧିକ ସମୟ ମିଳିଛି । ଜୁନ୍ ୩୦ ତାରିଖକୁ ଆଇଟି ରିଟର୍ଣ୍ଣ ଅବଧି ବଢ଼ାଇ ଦିଆଯାଇଛି । ସେହିଭଳି ଆଧାର-ପାନ୍ ନମ୍ବର ଲିଙ୍କ୍ ଅବଧି ସେଇ ଜୁନ୍ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଟିଡିଏସ୍ ଜମା ଏବଂ ମାର୍ଚ୍ଚ, ଏପ୍ରିଲ୍, ମେ ମାସ ପାଇଁ ଜିଏସଟି ରିଟର୍ଣ୍ଣ ଅବଧି ମଧ୍ୟ ଜୁନ୍ ୩୦ କୁ ବୃଦ୍ଧି କରାଯାଇଛି । ଟିଡିଏସ୍ ବିଳମ୍ବିତ ଜମା ପାଇଁ ସୁଧ ୧୮% ରୁ ୯% କୁ ହ୍ରାସ୍ କରାଯାଇଛି ।
ଅନ୍ୟପକ୍ଷରେ ଏଟିଏମ୍ ରୁ ଟଙ୍କା ଉଠାଣକୁ ୩ ମାସ ପାଇଁ ନିଃଶୁଳ୍କ କରାଯାଇଛି । ଯେ କୌଣସି ବ୍ୟାଙ୍କ ଏଟିଏମ୍ ରୁ ବିନା ଶୁଳ୍ପରେ ଲୋକମାନେ ଟଙ୍କା ଉଠାଇ ପାରିବେ । ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ନଥିଲେ ଫାଇନ୍ ପଡ଼ିବନି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତରମଣ ଏହି ବଡ଼ ଘୋଷଣା କରିଛନ୍ତି । କରୋନା ବିଭୀଷିକାକୁ ଆଖିରେ ରଖି ଅର୍ଥମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।
ଅର୍ଥମନ୍ତ୍ରୀ ତାଙ୍କ ଘୋଷଣାରେ ଶିଳ୍ପଜଗତ ପାଇଁ କିଛି ରିହାତି ଘୋଷଣା କରିଛନ୍ତି । ୫ କୋଟିରୁ କମ୍ ଟର୍ଣ୍ଣଓଭର୍ କମ୍ପାନୀମାନଙ୍କୁ ଇଣ୍ଟ୍ରେଷ୍ଟ, ଲେଟ୍ ଫି କିମ୍ବା ପେନାଲିଟି ଦେବାକୁ ପଡ଼ିବନି । ୫ କୋଟିରୁ ଅଧିକ ଟର୍ଣ୍ଣଓଭର୍ କମ୍ପାନୀ ପାଇଁ ଲେଟ୍ ଫି ଏବଂ ପେନାଲିଟି ଛାଡ଼ କରାଯାଇଥିବା ବେଳେ ସୁଧ ୧୨%ରୁ ୯% ହ୍ରାସ୍ କରାଯାଇଛି ।