ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ
ଭାରତରେ ରହିଛି ତିନିଟି ‘O’ ର ସମାହାର । ‘Openness’ in people and in government ଅର୍ଥାତ୍ ଲୋକ ଏବଂ ସରକାରଙ୍କ ହୃଦୟ ଖୋଲା । ଆଉ ଏହି ଖୋଲା ହୃଦୟ ହିଁ ‘Opportunities’ ବା ସୁଯୋଗ । ଯାହା ନିବେଶକଙ୍କ ‘Option’ବା ଇଚ୍ଛା ପୂରଣରେ ଅନେକ ମାତ୍ରାରେ ସହାୟକ ହେବ । ଖୋଲା ହୃଦୟ ହିଁ ଖୋଲା ବଜାରର ଅବସର ସୃଷ୍ଟି କରିବ । ଆଉ ଖୋଲା ବଜାର, ସମୃଦ୍ଧିକୁ ବୃହତରୁ ବୃହତ୍ତର କରିବ । ସାରା ବିଶ୍ୱ, ଭାରତ ଠାରୁ ଅନେକ ଆଶା କରୁଥିବା ବେଳେ ଆମେରିକୀୟ ନିବେଶକଙ୍କୁ ଏମିତି ଲୋଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ବ୍ୟାବସାୟିକ ପରିଷଦର ଭିର୍ଚୁଆଲ୍ ବେଠକରେ ଆମେରିକୀୟ ନିବେଶକଙ୍କୁ କୃଷି, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ସ୍ୱାସ୍ଥ୍ୟ, ବୀମା ଏବଂ ଭିତ୍ତିଭୂମି ଆଦି କ୍ଷେତ୍ର ପାଇଁ ଆହ୍ୱାନ କରିଛନ୍ତି ମୋଦି ।
କୃଷି କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତରେ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏହାକୁ ଅଧିକ ରାଜସ୍ୱ ଅଭିମୁଖୀ କରାଯାଇଛି । ତେଣୁ ଭାରତୀୟ କୃଷକଙ୍କ ପରିଶ୍ରମକୁ ନେଇ, ଏହା ହିଁ ନିବେଶ କରିବାର ଉପଯୁକ୍ତ ସମୟ ବୋଲି ମୋଦି କହିଛନ୍ତି । ନିକଟରେ ଭାରତୀୟ କୃଷି କ୍ଷେତ୍ରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂ ରାଙ୍କିଙ୍ଗରେ ଭାରତର ଉନ୍ନତି ପରିଲକ୍ଷିତ ହୋଇଛି । ଗତବର୍ଷ ଅକ୍ଟୋବରରେ ପ୍ରକାଶିତ ରାଙ୍କିଙ୍ଗ୍ ଅନୁଯାୟୀ, 190 ଦେଶର ତାଲିକାରେ ଭାରତ, 14ଟି ସ୍ଥାନ ଉପରକୁ ଉଠି 63 ନମ୍ବରରେ ପହଞ୍ଚିଛି । 50 ନମ୍ବର ସ୍ଥାନକୁ ଯିବାକୁ ଭାରତ ଲକ୍ଷ୍ୟ ରଖିଛି । ସେପଟେ 2019-20 ଆର୍ଥିକ ବର୍ଷରେ ଦେଶକୁ 74 ବିଲିଅନ୍ ଡଲାର୍ ବିଦେଶୀ ପୁଞ୍ଜି ନିବେଶ ଆସିଛି । ଯାହାକି ତା’ ପୂର୍ବ ବର୍ଷ ଠାରୁ 20 ପ୍ରତିଶତ ଅଧିକ । ତେଣୁ ଏଭଳି ପରିସ୍ଥିତିରେ ଆମେରିକୀୟ କମ୍ପାନିମାନେ, ଭାରତରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରି, ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜଭୁତ୍ କରିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦିଙ୍କ କହିବା କଥା, ଆଗାମୀ 8 ବର୍ଷରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯିବ । ଭାରତୀୟ ଘରୋଇ ବିମାନ କମ୍ପାନିଗୁଡ଼ିକ ସେମାନଙ୍କ ବିମାନ ସଂଖ୍ୟା ବଢାଇବା ଲକ୍ଷ୍ୟରେ ଅଛନ୍ତି । ତେଣୁ ବିମାନ କ୍ଷେତ୍ର ହିଁ ନିବେଶ ପାଇଁ ଯଥେଷ୍ଟ ସୁଯୋଗ ରଖୁଛି । ସେହିଭଳି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଘରୋଇ କମ୍ପାନି ସହ ବିଦେଶୀ ପୁଞ୍ଜି ନିବେଶ ଉପରେ ଭାରତ ଗୁରୁତ୍ୱ ଦେଇଛି । ବୀମା କ୍ଷେତ୍ରରେ ମଧ୍ୟ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଭାରତ-ଆମେରିକା ବ୍ୟାବସାୟିକ ପରିଷଦ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦ୍ୱିପାକ୍ଷିକ ଭିର୍ଚୁଆଲ୍ ବେଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ-ଶିଳ୍ପ ଓ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିଭଳି ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏବଂ କିଛି ବ୍ୟାବସାୟିକ ପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ । ଯେତେଦୂର ଆଶା, କରୋନା ମହାମାରୀ ପରେ, ଉଭୟ ଦେଶ, ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ୱିତ କରିବେ ।