ଭୁବନେଶ୍ୱର: ଅର୍ଥତତ୍ତ୍ୱ ଗ୍ରୁପ୍ ର ପ୍ରମୋସନ ପାଇଁ କମ୍ପାନୀଠାରୁ ଓଟିଭି ନେଇଛି ସାଢ଼େ ୫ କୋଟି ଟଙ୍କା । ୨୦୧୦ ରୁ ୨୦୧୨ ମଧ୍ୟରେ ଓଟିଭି ବିଜ୍ଞାପନ ବାବଦରେ ଏହି ଟଙ୍କା ନେଇଛି । ଅର୍ଥତତ୍ତ୍ୱ ମାଲିକ ପ୍ରଦାପ ସେଠୀ ସିବିଆଇ ଜେରାରେ ଏହି ଖୁଲମ୍ କରିଥିଲେ । ୨୦୧୪ ନଭେମ୍ବର ୨୬ ରେ କୋର୍ଟକୁ ହାଜିରା ଦେବାକୁ ଆସିଥିବା ପ୍ରଦୀପ ଗଣମାଧ୍ୟମ ସାମ୍ନାରେ ବି ଏହି ତଥ୍ୟ ଓଗାଳିଥିଲେ । ସିବିଆଇ ଓଟିଭିକୁ ତଦନ୍ତ ପରିସରଭୁକ୍ତ କାହିଁକି କରୁନାହିଁ ବୋଲି ଅଭିଯୁକ୍ତ ପ୍ରଶ୍ନ କରିଥିଲେ । ତିନିବର୍ଷ ପରେ ଆଜି ପୁଣି ସେହି ପ୍ରଶ୍ନ ଉଠିଛି.. ଓଟିଭିକୁ ସିବିଆଇ କାହିଁକି ତଦନ୍ତ ପରିସରଭୁକ୍ତ କରୁନି ? ରୋକ୍ ପାଇଁ କିଛି ବୁଝାମଣା ହୋଇଛି କି ? ସିବିଆଇ ଉପରେ ଚାପ ରହିଛି କି ?
ପ୍ରଦୀପ ସେଠୀ କୋର୍ଟ ବାହାରେ ଗଣମାଧ୍ୟମକୁ ଦେଇଥିବା ବୟାନ ଉପରେ ଓଟିଭି କର୍ତ୍ତୃପକ୍ଷ ସେଦିନ ଏକ ସ୍ପଷ୍ଟୀକରଣ ରଖିଥିଲେ । କମ୍ପାନୀର ତତ୍କାଳୀନ ଭାଇସ୍ ପ୍ରେସିଡେଣ୍ଟ ରତିକାନ୍ତ ଶତପଥୀ ଏଟି ଗ୍ରୁପ୍ ରୁ ସାଢ଼େ ୫ କୋଟି ଟଙ୍କାର ବିଜ୍ଞାପନ ନେଇଥିବା ସ୍ୱୀକାର କରିଥିଲେ । ଦୁଇବର୍ଷରେ ଓଟିଭି ବିଜ୍ଞାପନ ରାଜସ୍ୱର ତାହା ଏକ ପ୍ରତିଶତରୁ କମ୍ ବୋଲି ଅହଂକାର ଦେଖାଇଥିଲେ । ବିଜ୍ଞାପନ ନିୟମ ଅନୁଯାୟୀ ଓଟିଭି ବିଜ୍ଞାପନ ନେଇଛି ବୋଲି ସଫେଇ ରଖି ଏଟି ଚିଟଫଣ୍ଡ ପ୍ରସାର କ୍ଷେତ୍ରରେ ସଂସ୍ଥାର ଭୂମିକାକୁ ଭାଇସ୍ ପ୍ରେସିଡେଣ୍ଟ ଏଡାଇ ଦେଇଥିଲେ । ଆମ ପାଖରେ ଯାହା ଖବର, ଓଟିଭି କର୍ତ୍ତୃପକ୍ଷ ପ୍ରଦୀପ ସେଠୀଙ୍କ ବୟାନକୁ ଉପରେ ଗାଲୁ ପେଲିଥିଲେ ମଧ୍ୟ ଭିତରେ ପିଳେହିପାଣି ହୋଇଥିଲା । ସଂପୃକ୍ତ ଭାଇସ୍ ପ୍ରେସିଡେଣ୍ଟ ଏବଂ ଅନ୍ୟ ଜଣେ କର୍ମକର୍ତ୍ତା(ସାମ୍ବାଦିକ)ଙ୍କୁ ସିବିଆଇ ପଚରାଉଚୁରା କରିଥିବା ମାର୍କେଟ୍ ରେ ରୋଚକ ଚର୍ଚ୍ଚା ହୋଇଥିଲା । ତାହାର ସତ୍ୟାସତ୍ୟ ଏବେ ବି ଅନ୍ଧାରରେ ଥିଲେ ମଧ୍ୟ ଏଟି ଗ୍ରୁପ୍ ରୁ ଓଟିଭିର ସାନ୍ନିଧ୍ୟ ଉପରେ ସିବିଆଇ ତଦନ୍ତ ଆଉ କିଛି ନାହିଁ । ଏହା ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରାଇଜ୍ ଚିଟସ୍ ଆଣ୍ଡ ମନି ସର୍କୁଲେସନ୍ ସ୍କିମ୍(ବ୍ୟାନିଂ) ଆକ୍ଟ,୧୯୭୮ର ସେକ୍ସନ୍ ୫ (ବି) ରେ ପ୍ରାଇଜ୍ ଚିଟ୍ କିମ୍ବା ମନି ସର୍କୁଲେସନ୍ ସ୍କିମ୍ ର ପ୍ରମୋସନ୍ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । ଉକ୍ତ ଆଇନରେ ଏଭଳି ବିଜ୍ଞାପନ ପ୍ରସାରଣକୁ ଅନୁମତି ଦିଆଯାଇନି । ପ୍ରସାରଣ କଲେ ବେଆଇନ । ମାତ୍ର ଓଟିଭି ଏଭଳି ବିଜ୍ଞାପନ ପ୍ରସାରଣ କରି ରାଜ୍ୟ ଓ ରାଜ୍ୟ ବାହାରର କୋଟି କୋଟି ଚିଟଫଣ୍ଡ ଜମାକାରୀଙ୍କୁ ଆକୃଷ୍ଟ କରିଛି । ଜମାକାରୀଙ୍କୁ ଆକୃଷ୍ଟ କରିବା ପାଇଁ ହିଁ ପ୍ରଦୀପ ସେଠୀ ସାଢ଼େ ୫ କୋଟି ଖର୍ଚ୍ଚ କରିଛି । ସିବିଆଇ କିନ୍ତୁ କ’ଣ ପାଇଁ ଏହି ବଡ଼ମାଛକୁ ତଦନ୍ତ ପରିସର କରୁନି ତାହା ଅନେକଙ୍କୁ ବୁଝାପଡ଼ୁନି । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଚିତ୍କାର କରୁଥିବା ନେତା, ସ୍ୱେଚ୍ଛାସେବୀମାନେ ଏ ବିଷୟରେ ଚୁପ୍ କାହିଁକି ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।
ସେପଟେ ଚିଟଫଣ୍ଡ ଓ ସିବିଆଇ ନାଁ ନେଇ ବର୍ଷତମାମ ତୁମ୍ବିତୋଫାନ କରୁଥିବା ସିଭିଲ୍ ସୋସାଇଟ୍ ଗ୍ରୁପ୍ ର ଆଭିମୁଖ୍ୟ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରିଛି । ଲୋକଙ୍କ ସ୍ୱାର୍ଥ ଅପେକ୍ଷା ସେମାନେ ରାଜନୀତିରେ ବେଶୀ ମାତିଥିବା କୁହାଯାଉଛି । ସିବିଆଇ ତଦନ୍ତ ବାଟବଣା କରିବାକୁ ରାଜନୈତିକ ଦଳ ଷଡ଼ଯନ୍ତ୍ର କରୁଥିବା ସେମାନଙ୍କର ଫ୍ରେସ୍ ଅଭିଯୋଗ । ନିର୍ଦ୍ଦିଷ୍ଟ ଭାବେ ବିଜେଡ଼ି ବିରୋଧରେ କୁତ୍ସାରଟନା କରି ସିବିଆଇ ସପକ୍ଷରେ ଓକିଲାତି କରିଛନ୍ତି । ସିବିଆଇର ଚିଟଫଣ୍ଡ ତଦନ୍ତକୁ ଡିଫେମ୍ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି । କେଉଁ ପରିପ୍ରେକ୍ଷୀରେ ସେମାନେ ଏକଥା ଉଠାଇଛନ୍ତି ତାହା କାହାରିକୁ ଅବୁଝା ନାହିଁ । ତେବେ ସିବିଆଇକୁ ବିଜେପି ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଉପରେ ସିଭିଲ୍ ସୋସାଇଟ୍ ଚୁପ୍ କାହିଁକି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସାହସ ଅଛି ତ ଏଟି ଲିଙ୍କ୍ ରେ ଆଗ ଓଟିଭିକୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।