ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଦେଉଥିବା ବିଜୁ ଜନତା ଦଳ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସିକୁ ସମର୍ଥନ କରୁନାହିଁ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏନଆରସି ଉପରେ ବିଜେଡ଼ି ଲୋକସଭା ଓ ରାଜ୍ୟସଭାରେ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଆମେ ଏନଆରସିକୁ ସମର୍ଥନ କରୁନାହୁଁ ବୋଲି ସେ କହିଛନ୍ତି । ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ଅନ୍ୟପକ୍ଷରେ ସିଏଏ ସପକ୍ଷରେ ଯୁକ୍ତି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତୀୟ ନାଗରିକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଆଜି ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ସାମ୍ବାଦିକମାନଙ୍କୁ ଏହି ପ୍ରତିକ୍ରିୟା ଦେଇଛନ୍ତି ।