ଭୁବନେଶ୍ୱର: ନିର୍ବାଚନ ପାଇଁ ଏବେ ବିଧାୟକମାନେ ପୂରା ତୟାର୍ । ପୁଣି ଥରେ ଭୋଟ ହାତେଇବା ପାଇଁ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାୟ ବିଧାୟକ ଭୁବନେଶ୍ୱର ଛାଡ଼ି ଏରିଆରେ ଡେରା ପକାଇଲେଣି । ଟିକେଟ ମିଳିବ କି ନାଇଁ ଜଣା ନ ଥିଲେ ମଧ୍ୟ ଲୋକସମ୍ପର୍କ ଅଭିଯାନରେ ଦମ୍ ଖଟାଇଛନ୍ତି । ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନ ସେମାନଙ୍କ ପାଇଁ କଣ୍ଟା ହୋଇଯାଇଛି । କେମିତି ବିଧାନସଭା ସରିବ ଏବଂ ସେମାନେ ପୁଣି ଗାଁକୁ ଫେରିଯାଇ ଲୋକଙ୍କ ପାଇଁ ଝାଳ ବୁହାଇବେ ସେଇ ଚିନ୍ତାରେ ।
ବିଜେଡ଼ି: ବିଜେଡ଼ିର ଏବେ ଅଛନ୍ତି ୧୧୯ ବିଧାୟକ । ହାତଗଣତି ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ନବୀନ ପଟ୍ଟନାୟକ ଓ ଶଙ୍ଖ ହାୱାରେ ନିର୍ବାଚନ ଜିତି ଆସିଥିଲେ । ରାଜନୈତିକ ବିଶାରଦଙ୍କ ମତରେ, ଭୋଟ ଜିତି ଆସିବା ପରେ ପାଖାପାଖି ୨୦ ବିଧାୟକଙ୍କ ଏରିିଆରେ ଲୋକ ସମ୍ପର୍କ ନାହିଁ । ପ୍ରାୟ ୩୦ ବିଧାୟକଙ୍କର ବିଧାନସଭାରେ ସ୍ୱର ନାହିଁ କି ଭୁବନେଶ୍ୱରରେ କୌଣସି ପ୍ରଭାବ ନାହିଁ । ଚଳଚଞ୍ଚଳ ଅଧିକାଂଶ ବିଧାୟକଙ୍କ ନାଁରେ ହଜାରେ ଅଭିଯୋଗ । କିଛି ବିଧାୟକ ଦୁର୍ନୀତିରେ ବୁଡ଼ିକି ଅଛନ୍ତି । ସୁତରାଂ ଏଥର କେଉଁମାନଙ୍କ ଟିକେଟ ରହିବ ଓ କେଉଁମାନଙ୍କର କଟିବ ତାହା ସ୍ୱଂୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଲୋକପ୍ରିୟତା ଅତୁଟ ଥିବାରୁ ବିଧାୟକମାନେ ସେଇ ମୌକାରେ ପୁଣି ଥରେ ଟିକେଟ ପାଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଆଶା ବାନ୍ଧିଛନ୍ତି । କିନ୍ତୁ ଏହା ଯେ ବିଲକୁଲ୍ ଭୁଲ୍ ତାହା ବିଜେଡ଼ି ଇତିହାସକୁ ଜାଣିଥିବା ଲୋକେ ଠିକ୍ ଠଉରାଇଛନ୍ତି । ଦାଗୀ ବିଧାୟକଙ୍କୁ ନବୀନ ରିପିଟ୍ କରିବେ ନାହିଁ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜାଣି ବି ଆଶା ଛାଡ଼ିନାହାନ୍ତି ଯାବତୀୟ ଅଳିଆରେ ପଶିଥିବା ବିଜେଡ଼ି ବିଧାୟକ । ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ଧରି ସେମାନେ ନିଜ ପାଇଁ ପ୍ରଚାରରେ ଲାଗି ଗଲେଣି । ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଂଜୁର କରୁଥିବା ଟଙ୍କା ସେମାନଙ୍କ ପାଇଁ ଆଶା ବାଡ଼ି ହୋଇଛି । ପୁଣି ଥରେ ଟିକେଟ ପାଇବେ ଓ ନିର୍ବାଚନ ଜିତିକି ଆସିବେ ବୋଲି ଦମ୍ଭ ମାରୁଛନ୍ତି ।
କଂଗ୍ରେସ: କଂଗ୍ରେସ ତାର ୧୫ ବିଧାୟକଙ୍କୁ ପୁନର୍ବାର ଟିକେଟ ଦେବ ବୋଲି ଘୋଷଣା କରିଥିଲେ ମଧ୍ୟ କିଛି ବିଧାୟକ ପାଗ ଯୋଗକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ପାଇଁ ଟିକେଟ ବଡ଼ କଥା ନୁହେଁ, ଜିତିକି ଆସିବା ବଡ଼ ଚାଲେଂଜ । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଚଳଚଞ୍ଚଳ ହୋଇଥିଲେ ବି କିଛି ବିଧାୟକଙ୍କର “ହାତ” ଉପରେ ପୁଣି ଥରେ ଭରସା ପାଉନି । ବିଜେଡ଼ିରୁ ସୁଯୋଗ ପାଇଲେ ସେମାନେ କାଳେ ଖସି ଆସିବେ । ଏହି ତାଲିକାରେ ୫ ଜଣ ବିଧାୟକଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ସେମାନେ ଯେଉଁ ଦଳରୁ ଲଢ଼ନ୍ତୁ ପଛେ ନିର୍ବାଚନମଣ୍ଡଳୀ ଲୋକଙ୍କ ସହ କିନ୍ତୁ ସମ୍ପର୍କକୁ ଫେରିଛନ୍ତି ।
ବିଜେପି: ବିଜେପିର ୧୦ ବିଧାୟକ ଥିଲେ ବି ଏଥର ୧୨୦ରୁ ଅଧିକ ଆସନ ଜିତି ଆସିବେ ବୋଲି ଦଳୀୟ ନେତୃତ୍ୱର ସ୍ୱପ୍ନ ଧୀରେ ଧୀରେ ଦିବାସ୍ୱପ୍ନ ହୋଇ ଆସିଲାଣି । ଦଳର ବିଭିନ୍ନ କାର୍ଯ୍ୟକ୍ରମ, ପ୍ରେସମିଟ୍ କେବଳ ଭୁବନେଶ୍ୱରରେ ସୀମିତ ରହିଛି । ଗାଁ ଗଣ୍ଡାରେ ଦଳର ସଂଗଠନ ଏବେ ବି ହୋଇପାରିନାହିଁ । ଯେଉଁଠି ଟିକେ ଟିକେ ଅଛି ତାହା ମଧ୍ୟ ଉଧେଇ ପାରୁନି । ସଂଗଠନ ଆଗକୁ ଯେ ଉଠିବ ଏବଂ ଦଳ ୧୨୦ ଆସନ ପାଇବ ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଏପଟେ, ଯେଉଁ ୧୦ ବିଧାୟକ ଅଛନ୍ତି ସେମାନେ ନିଜ ସ୍ଥିତି ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ଟିକେଟ କଟିବାର ଭୟ ନ ଥିଲେ ମଧ୍ୟ ହାରିବାର ଭୟ ରହିଛି । ମୋଦି ହାୱାରେ ନ ଭାସି ସେମାନେ ନିଜର ସ୍ଥିତି ବଜାୟ ରଖିବାକୁ ଏରିଆ ମାଟି ଛାଡୁନାହାନ୍ତି । ଅବଶ୍ୟ ବିଜେପି ହାୱାରେ ଭାସି ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢ଼ିଲାଣି । ସଂଗଠନ ନ ଥାଉ ପଛେ, ଏରିଆରେ ଲୋକସମ୍ପର୍କ ବଢ଼ାଇବାକୁ ସେମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।