ଭୁୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେଲା ପରେ ରାଜ୍ୟ କଂଗ୍ରେସ ଉପରେ ସମସ୍ତଙ୍କର ଭରସା ବଢ଼ିଯାଇଥିଲା । ନଇଁ ଯାଇଥିବା ଦଳକୁ ସଳଖିବା ପାଇଁ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଲା । ବିଜେଡ଼ିର ପ୍ରତିଦ୍ୱନ୍ଦୀ ବିଜେପି ନୁହେଁ, କଂଗ୍ରେସ ହେବ ବୋଲି ଚର୍ଚ୍ଚା ହେଲା । ମାତ୍ର ଆଜି ନିର୍ବାଚନ ବେଳକୁ ସବୁ ଫୁସ୍ । ଛାରଖାର ଅବସ୍ଥାକୁ ଚାଲି ଆସିଛି ରାଜ୍ୟ କଂଗ୍ରେସ । ଦଳର ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । ୧୯ ବର୍ଷ ତଳେ ଦଳର ସ୍ଥିତି ଯାହା ଥିଲା ସେହି ସ୍ଥିତି ଅନୁଭବ ହେଉଛି । ଯେଉଁ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ନେତା ଓ କର୍ମୀଙ୍କ ଆସ୍ଥା ଥିଲା, ସେହି ନିରଞ୍ଜନ ଦଳକୁ ବୁଡ଼ାଇ ଦେଇଥିବା କୁହାଗଲାଣି ।
ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି । ନିରଞ୍ଜନ ଟଙ୍କା ଓ ସୁନ୍ଦରୀ ମହିଳା ଦେଖି ଟିକେଟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ନିରଞ୍ଜନଙ୍କ ଚରିତ୍ର ଉପରେ ତାଙ୍କ ଦଳର ମହିଳା ସଭାନେତ୍ରୀଙ୍କ ଏଭଳି ସଙ୍ଗୀନ ଆରୋପ ନିହାତି ସାଂଘାତିକ । ଏହାପୂର୍ବରୁ ପିପିଲି ଆସନରୁ କଂଗ୍ରେସ ପ୍ରାର୍ଥୀତ୍ୱକୁ ପ୍ରତ୍ୟାଖ୍ୟାନ କରିଥିବା ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ନିରଞ୍ଜନଙ୍କ ଉପରେ ଆରୋପ ଲଗାଇଥିଲେ । କଂଗ୍ରେସ ଟିକେଟ ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା କହିଥିଲେ । ଖାଲି ସୁମିତ୍ରା କି ଯୁଧିଷ୍ଠିର ନୁହଁନ୍ତି, ରାଜ୍ୟସାରା କଂଗ୍ରେସ ଶିବିରରୁ ଏହି ଅଭିଯୋଗ ଆସୁଛି । ପ୍ରାର୍ଥୀ ଚୟନକୁ ନେଇ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ଖପ୍ପା । ଦଳର ଅନ୍ୟ ଛାମୁଆ ସଂଗଠନର ନେତୃତ୍ୱ ଯୁବ କଂଗ୍ରେସ ସଭାପତି, କୃଷକ ମୋର୍ଚ୍ଚା ସଭାପତି ମଧ୍ୟ ଟିକେଟକୁ ନେଇ ସେମାନଙ୍କ ଅସନ୍ତୋଷ ଝାଡ଼ିଛନ୍ତି । ନିରଞ୍ଜନଙ୍କ ବିରୋଧରେ କମ୍ପମାନ କରିଛନ୍ତି ।
ନିରଞ୍ଜନଙ୍କ ବିରୋଧରେ ଆହୁରି ଗୁରୁତର ଅଭିଯୋଗଟି ହେଉଛି, ବିଜେଡ଼ି ସହ ତାଙ୍କର କୁଆଡେ ସନ୍ଧି ହୋଇଛି । ବାପ,ପୁଅ, ଭାଇ ମିଶି କଂଗ୍ରେସକୁ ବିଜେଡ଼ି ହାତରେ ସମର୍ପଣ କରିବାର ଚାଲ୍ ରଖିଛନ୍ତି । ସେଥିପାଇଁ ଦଳର ଯୋଗ୍ୟ ଓ ଜିତିବା ସମ୍ଭାବନା ନେତାଙ୍କୁ ଟିକେଟ ନ ଦେଇ ହାରୁ ନେତାଙ୍କୁ ଟିକେଟ ଦିଆଯାଇଛି । ହେଭିୱେଟ୍ ନେତାଙ୍କ ଟିକେଟକୁ ଜାଣିଶୁଣି ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖି ତାଙ୍କ ବାଟ ଅବରୋଧ କରାଯାଇଛି । ଏହାର ଉଦାହରଣ ହେଉଛନ୍ତି ସୀତାକାନ୍ତ ମହାପାତ୍ର, ବିଭୁ ତରାଇ, ସତ୍ୟବ୍ରତ ପାତ୍ର, ଯୁଧିଷ୍ଠିର ସାମନ୍ତରାୟ ।
ନିରଞ୍ଜନଙ୍କ ଦୃଢ଼ ସମର୍ଥକ ଏହି ନେତାମାନେ ଟିକେଟ ପାଇବାରେ କୌଣସି ଦ୍ୱନ୍ଦ ନ ଥିଲେ ମଧ୍ୟ ଶେଷଯାଏଁ ଝୁଲାଇ ରଖାଗଲା । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ଟିକେଟ ଫେରାଇ ଦେଇଛନ୍ତି । କିଛି ଆସନରେ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀଙ୍କ ଟିକେଟ କାଟି ନୂଆ ପ୍ରାର୍ଥୀ ଦିଆଯାଇଛି । ବେଗୁନିଆରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ବଦଳରେ ପ୍ରଦୀପ ସାହୁ, ଧର୍ମଶାଳାରେ ସ୍ମୃତିରେଖା ପାହିଙ୍କ ବଦଳରେ କିଷାନ ପଣ୍ଡାଙ୍କୁ ଟିକେଟ ମିଳିବା ଜଟିଳ ବିବାଦ ସୃଷ୍ଟି କରିଛି ।
ବେଗୁନିଆ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ଟିକେଟ କାଟି ପ୍ରଦୀପ ସାହୁଙ୍କୁ ଟିକେଟ ଦିଆଯିବା ଘଟଣାକୁ କଂଗ୍ରେସ ମହଲ ସହଜରେ ଗ୍ରହଣ କରିନାହାନ୍ତି । ସେମାନଙ୍କ ଅଭିଯୋଗ, ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ବିଜୟ ସମ୍ଭାବନା ଯଥେଷ୍ଟ ଥିବା ସତ୍ତ୍ୱେ ଭାଇ ସୌମ୍ୟରଞ୍ଜନଙ୍କ ଇଚ୍ଛାରେ ତାଙ୍କର ଖାସ୍ ଲୋକ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛନ୍ତି ନିରଞ୍ଜନ । କଂଗ୍ରେସର ପ୍ରାଥମିକ ସଦସ୍ୟ ନ ଥିବା ଏବଂ ସୋନିଆ, ରାହୁଲଙ୍କ କୁଶପୁତ୍ତଳିକା ଦାହରେ ସିଦ୍ଧହସ୍ତ ପ୍ରଦୀପଙ୍କୁ ଟିକେଟ ଦିଆଯାଇ କଂଗ୍ରେସକୁ ସେଠାରେ ଧୂଳିସାତ୍ କରି ଦିଆଗଲା ବୋଲି ସେମାନଙ୍କର ଯୁକ୍ତି । ଏଥିପାଇଁ ପଟ୍ଟନାୟକ ବ୍ରଦର୍ସଙ୍କ ଷଡ଼ଯନ୍ତ୍ର ଜଳ ଜଳ ଦିଶୁଛି ବୋଲି ସେମାନେ କହିଛନ୍ତି । ବିଧାୟକ ନବ ଦାସ, ଯୋଗେଶ ସିଂହଙ୍କୁ ବିଜେଡ଼ିକୁ ଆମଦାନୀ କରିବା ପଛରେ ପଟ୍ଟନାୟକ ବ୍ରଦର୍ସଙ୍କ ହାତ ଥିବା ସେମାନେ ଅଭିଯୋଗ କରୁଛନ୍ତି ।
ଆହୁରି ରୋଚକ କଥା ହେଉଛି, ନିରଞ୍ଜନଙ୍କ ଅତି ଘନିଷ୍ଠ ଅନନ୍ତ ସେଠୀ ମଧ୍ୟ ଷଡ଼ଯନ୍ତ୍ରରୁ ବାଦ ପଡ଼ିନାହାନ୍ତି । ସୋର ଆସନରୁ ଲଢ଼ିବା ପାଇଁ ସେ ୫ ବର୍ଷ ହେଲା କ୍ଷେତ୍ର ପ୍ରସ୍ତୁତ କରିଥିଲେ । ମାତ୍ର ତାଙ୍କୁ ସେଠାରୁ ଟିକେଟ ଦିଆ ନ ଯାଇ ସିମୁଳିଆ ଆସନକୁ ଠେଲି ଦିଆଯାଇଥିବାରୁ ଅନନ୍ତ ରକ୍ତ ଚାଉଳ ଚୋବାଉଛନ୍ତି । ସେପଟେ ତାରା ବାହିନୀପତିଙ୍କୁ ଟିକେଟ ମିଳିଥିଲେ ମଧ୍ୟ ନିରଞ୍ଜନଙ୍କ ଟିକେଟ ନୀତିକୁ ନେଇ ପ୍ରବଳ ଉତକ୍ଷିପ୍ତ ଅଛନ୍ତି ।
ନିରଞ୍ଜନ ଦୁଇଟି ଆସନ ଘଷିପୁର, ଭଣ୍ଡାରୀପୋଖରୀରୁ ଲଢ଼ି ପୁଅକୁ ଛାଡ଼ିଛନ୍ତି ବାଲେଶ୍ୱର ଲୋକସଭା ଆସନ । ସେପଟେ ଭାଇ ସୌମ୍ୟରଞ୍ଜନ ଖଣ୍ଡପଡ଼ା ଆସନରୁ ହାତେଇଛନ୍ତି ବିଜେଡ଼ି ଟିକେଟ । ଏହିଭଳି ଭାବେ ପଟ୍ଟନାୟକ ପରିବାର କ୍ଷମତାକୁ ନିଜ ହାତରେ ରଖିବାର କୌଶଳ କରିଛନ୍ତି ବୋଲି ଏବେ ସବୁଆଡ଼େ ଚର୍ଚ୍ଚା । ନିରଞ୍ଜନ ପଟ୍ଟନାୟକ ନିଜର ଗହନ ସ୍ୱାର୍ଥ ପାଇଁ ନିଜ ଲୋକଙ୍କୁ ହତ୍ୟା କରିଛନ୍ତି ବୋଲି ଖୋଦ କଂଗ୍ରେସ ମହଲରୁ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ୨୦୧୪ରେ ଜୟଦେବ ଜେନାଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିଥିଲା । ସେତେବେଳେ ଟିକେଟ ବଣ୍ଟନରେ ବ୍ୟାପ ଅନିୟମିତତା ଓ ହେରଫେର ଅଭିଯୋଗ ହୋଇଥିଲା । ଜୟଦେବ ଟଙ୍କା ନେଇ ଟିକେଟ ଦେଇଥିବା ଅଭିଯୋଗ ଉଠିଥିଲା । ତେବେ ସେହି ଅଭିଯୋଗଠାରୁ ଏବେକାର ଅଭିଯୋଗ ବଳିପଡ଼ିଛି । ଦୁର୍ବଳ ନେତାଙ୍କୁ ପ୍ରାର୍ଥୀ କରି ନିରଞ୍ଜନ ଦଳର ସଂଗଠନକୁ ଦୁର୍ବଳ କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆସିଛି ।
ଅନ୍ୟପକ୍ଷରେ ଚିରାଚରିତ ପ୍ରତିକ୍ରିୟା ଦେଇ ନିରଞ୍ଜନ ଏହି ଅଭିଯୋଗରୁ ଖସିଯିବାକୁ ଉଦ୍ୟମ କରିଛନ୍ତି । କହିଛନ୍ତି ୧୪୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଛି । ସେଥିରୁ ୯୦ ଟି ଆସନରେ ନୂଆ ମୁହଁ ଦିଆଯାଇଛି । ତେଣୁ ଅସନ୍ତୋଷ ରହିବା ସ୍ୱାଭାବିକ । ତେବେ ପୁରୁଣା ଯୋଗ୍ୟ ପ୍ରାର୍ଥୀଙ୍କ ବଦଳରେ କ’ଣ ପାଇଁ ଅଚିହ୍ନ. ଅଯୋଗ୍ୟ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ତାହାର ଉତ୍ତର ମିଳିନାହିଁ ।