ଭୁବନେଶ୍ୱର: ସମସ୍ତଙ୍କ ଆଖିରେ ପୁଟୁଳା ବାନ୍ଧି ସରକାରୀ ଅର୍ଥକୁ ଲୁଟିନେବାକୁ ଉଦ୍ୟମ କରିଛନ୍ତି ଜଣେ ତଥାକଥିତ ନାମୀ ସାମ୍ବାଦିକ । ଏକ ଇଂରାଜୀ ୱେବ ପୋର୍ଟାଲ୍ ଚଳାଉଥିବା ଏହି ସାମ୍ବାଦିକ ନିଜ ପୋର୍ଟାଲ୍ ରେ ମନକୁ ମନ ସରକାରୀ ବିଜ୍ଞାପନ ବସାଇ ମୋଟା ପାଉଣା ଦାବି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସଂପୃକ୍ତ ସାମ୍ବାଦିକଙ୍କ ପୈଠ ବିଲ୍ ର ପେମେଣ୍ଟ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ବ୍ୟଗ୍ର ହୋଇପଡ଼ିଛନ୍ତି । ସରକାରୀ ନିୟମ କାନୁନକୁ ସେ ଆଖିବୁଜି ଦେଇଛନ୍ତି । ଏ ସମ୍ପର୍କିତ ଫାଇଲ୍ ପ୍ରସ୍ତୁତ ପାଇଁ ତଳିଆ ଅଧିକାରୀଙ୍କୁ ମୌଖିକ ନିର୍ଦ୍ଦେଶ ଦେଇସାରିଲେଣି । ଘଟଣାଟି ଜଣାପଡ଼ିବା ପରେ ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ସଂପୃକ୍ତ ଇଂରାଜୀ ୱେବପୋର୍ଟାଲ୍ ଟି ସରକାରୀ ବିଜ୍ଞାପନ ପାଇବା ପାଇଁ ମନୋନୀତ ହେବାର ସପ୍ତାହେ ହୋଇନି । ୱେବପୋର୍ଟାଲକୁ ବିଜ୍ଞାପନ ବଣ୍ଟନ ପାଇଁ ସରକାର ନୀତି ଚୂଡ଼ାନ୍ତ ହେବାର ଦି ଦିନ ବି ପୂରିନି । ମାତ୍ର ୱେବପୋର୍ଟାଲ୍ ମାଲିକ ଗତକାଲି(୩ ତାରିଖ) ସୂଚନା ଓ ଲୋକସମ୍ପର୍କ ବିଭାଗରେ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ଦାଖଲ କରିଛନ୍ତି । ବିନା ଆଡଭଜାଇମେଣ୍ଟ ରିଲିଜ୍ ଅର୍ଡରରେ ଏହି ବିଲ୍ ଦାଖଲ ହୋଇଛି । ଅତି ସାଧାରଣ କଥାଟି ହେଉଛି, ଯେ କୌଣସି ଖବରକାଗଜ କି ଟିଭି ସଂସ୍ଥା ବିଜ୍ଞାପନ ଛାପିବା ପାଇଁ ରିଲିଜ୍ ଅର୍ଡର ରଖିବା ଆଇନତଃ ବାଧ୍ୟତାମୂଳକ । ସରକାରୀ କ୍ଷେତ୍ରରେ ଏହା ସୁନିଶ୍ଚିତ କରାଇବା ଶତପ୍ରତିଶତ ବାଧ୍ୟ । ରିଲିଜ୍ ଅର୍ଡର ସାଥୀରେ ବିଲ୍ ଦେଲେ ଯାଇ ପେମେଣ୍ଟ ମିଳେ । ମାତ୍ର ବିନା ଖାତା ଖତିଆନରେ ନିର୍ଦ୍ଦିଷ୍ଟ ଇଂରାଜୀ ୱେବ ପୋର୍ଟାଲ୍ ମାଲିକ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ସମସ୍ତଙ୍କୁ ଖାଲି ବିସ୍ମିତ କରିନି ବରଂ ଏହା ଫ୍ରଡ୍ ବୋଲି କୁହାଯାଉଛି ।