ଭୁବନେଶ୍ୱର: ଶେଷରେ ଓଡ଼ିଶା କଥା କେନ୍ଦ୍ର ସରକାର ଶୁଣିଛନ୍ତି । ତିତଲି ସହାୟତା ବାବଦରେ ଆଜି ରାଜ୍ୟକୁ ମଂଜୁର ହୋଇଛି ୧୦୨୩ କୋଟି ୫୯ ଲକ୍ଷ ଟଙ୍କା । ରାଜ୍ୟ ସରକାର ୨୦୨୩ କୋଟି ୧୯ ଲକ୍ଷ ଟଙ୍କାର ସହାୟତା ମାଗିଥିବା ବେଳେ କେନ୍ଦ୍ର ମଧ୍ୟବର୍ତ୍ତୀ ସହାୟତା ବାବଦରେ ଏତିକି ଦେଇଛି । ଏହି ଅର୍ଥ ଏନଡିଆରଏଫରୁ ଭରଣା କରାଯିବ ।
ତିତଲି କ୍ଷୟକ୍ଷତି ପରିମାଣ ୨୭୭୯ କୋଟି ୩୨ ଲକ୍ଷ ଟଙ୍କା ହିସାବ କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କଠାରୁ ୨୦୨୩ କୋଟି ୧୯ ଲକ୍ଷ ଟଙ୍କା ସହାୟତା ମଗାଯାଇଥିଲା । ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ନଭେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ । ଡିସେମ୍ବର ପ୍ରଥମ ସପ୍ତାହରେ ତିତଲି କ୍ଷତିଗ୍ରସ୍ତ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ରୀୟ ସହାୟତା ମିଳିଥିଲେ ମଧ୍ୟ ଓଡ଼ିଶା କଥା ବିଚାର କରାଯାଇ ନ ଥିଲା । ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ତୁରନ୍ତ ବାତ୍ୟା ସହାୟତା ଦେବାକୁ କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନାଥଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ।