ଭୁବନେଶ୍ୱର: ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଟିଭି ଓଡ଼ିଶାର ଏକ ନମ୍ବର ଟିଭି ଚାନେଲ । ଲୋକଙ୍କ କଥା କହେ, ନିରପେକ୍ଷ ସମ୍ବାଦ ପରିବେଷଣ କରେ ବୋଲି ଦାବି କରେ । ମାତ୍ର ବାସ୍ତବରେ ତାହା ସେୟା ନୁହେଁ ବୋଲି ଦର୍ଶକଙ୍କର ଅନୁଭବ ହେଲାଣି । ଶୁକ୍ରବାର ଦିନ ସଂଧ୍ୟା ୭ ଟା ପ୍ରତିଦିନ ଅଧଘଣ୍ଟିଆ ବୁଲେଟିନ୍ ରେ ବିଜେଡ଼ି ସହ ବୈଜୟନ୍ତଙ୍କର କଳି ଖବରକୁ ମୁଖ୍ୟ ଖବର ଭାବେ ୧୪ ମିନିଟ୍ ପ୍ରସାରଣ କରାଯାଇଥିଲା । ତାହା ପୁଣି ତିନି ତିନିଟା ପ୍ୟାକେଜ୍ ରେ । ସେତିକିରେ ସରିଲାନି । ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀର ପୁରସ୍କାର ପ୍ରାୟୋଜିତ ନୁହେଁ କି ବୋଲି ପରବର୍ତ୍ତୀ ଖବର ସ୍ଥାନିତ ହୋଇଥିଲା । ରାଜ୍ୟରେ ବାଟ ହୁଡ଼ିଛି ବିକାଶ,ହେଲେ ମୁଖ୍ୟମନ୍ତ୍ରୀ ଗୋଟେ ପରେ ଗୋଟେ ପୁରସ୍କାରରେ ସମ୍ମାନିତ ହୋଇ ଚାଲିଛନ୍ତି ବୋଲି କୁହାଯାଇଥିଲା । ଏମିତି ଭାବେ ୭ଟାରୁ ୭ଟା ୨୦ ମିନିଟ୍ ପଳେଇଥିଲା ବିଜେଡ଼ି ଓ ନବୀନ ପଟ୍ଟନାୟକ ବିରୋଧୀ ଖବରରେ ।
ଗତ ୧୧ ତାରିଖରେ ନିଶ୍ଚିତକୋଇଲି ବୁହୋଳ ପାଣିଟାଙ୍କି ଉଦଘାଟନର ତିନି ଦିନ ପୂର୍ବରୁ ଏ ପର୍ଯ୍ୟନ୍ତ ବୈଜୟନ୍ତଙ୍କ ଟିଭିରେ ବିଜେଡ଼ି-ବୈଜୟନ୍ତ କଳି ଲଗାତର ମୁଖ୍ୟ ଖବର ହୋଇ ଚାଲିଛି । ବୈଜୟନ୍ତ କ’ଣ ଟୁଇଟ୍ କଲେ, ତାଙ୍କ ସଚିବ କ’ଣ କହିଲେ ଦିନରାତି ବ୍ରେକିଂ ଖବର ହୋଇ ଚାଲିଛି । ସତେ ଯେମିତି ଓଡ଼ିଶାରେ ମୁଖ୍ୟ ଖବର ହେଲା ଭଳି ଆଉ କିଛି ସମସ୍ୟା କି ଘଟଣା ନାହିଁ ।
ନିଜ ଟିଭିରେ ବୈଜୟନ୍ତଙ୍କ ନିଜସ୍ୱ ପ୍ରଚାର ଓ ବିରୋଧୀ ଶକ୍ତିଙ୍କୁ ଜନମାନସରେ ନିନ୍ଦିତ କରିବାର ପ୍ରୟାସ ତାଙ୍କୁ ଆନନ୍ଦ ଦେଉଛି । ନିଜ ଟିଭି ଜରିଆରେ ନବୀନ ପଟ୍ଟନାୟକଙ୍କ ସାମ୍ରାଜ୍ୟକୁ ସାବାଡ଼ କରିଦେବେ ବୋଲି ଭାବିଦେଇଛନ୍ତି । ନିଜ ଟିଭି ହୋଇଥିବାରୁ ନିଜର ପ୍ରଚାର କରି ଜନସମର୍ଥନ ଯୋଗାଡ଼ କରିବାକୁ କେହି କେହି ସ୍ୱାଭାବିକ ବୋଲି କହିପାରନ୍ତି । ହେଲେ ଗଣାମାଧ୍ୟମ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ତାହା ବୈଜୟନ୍ତ ବାବୁ ଭୁଲିଯିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଗଣମାଧ୍ୟମ ଓ ସାମ୍ବାଦିକତାରେ ଗୋଟିଏ ଏଥିକ୍ସ ଅଛି । ମାଲିକଙ୍କ ପାଇଁ ଲକ୍ଷ୍ମଣରେଖା ଅଛି । ତାକୁ ଜଳାଜଂଳୀ ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ତାହାକୁ ବ୍ୟବହାର କରିବା ଏକ ଅପରାଧ କହି ଅନେକ ପସନ୍ଦ କରିନାହାନ୍ତି । ରାଜନୀତି କି ବ୍ୟବସାୟ କରିବାରେ କାହାରିକୁ ମନା ନାହିଁ । କିନ୍ତୁ ନିଜ ହାତରେ ଗଣମାଧ୍ୟମ ଅଛି ବୋଲି ତାକୁ ବ୍ୟକ୍ତିଗତ ରାଜନୈତିକ କିମ୍ବା ବ୍ୟବସାୟିକ କାମରେ ଲଗାଇବାର ଅର୍ଥ ସାଧାରଣ ଲୋକଙ୍କ ପ୍ରତି ପ୍ରବଂଚନା ବୋଲି ସେମାନେ କହିଛନ୍ତି । ଏଥିରେ କୋଟି କୋଟି ଦର୍ଶକଙ୍କ କି ସ୍ୱାର୍ଥଜଡ଼ିତ ବୋଲି ପ୍ରଶ୍ନ କରିଛନ୍ତି । ଦର୍ଶକଙ୍କର ଏହା ମୂଲ୍ୟବାନ ସମୟ ନଷ୍ଟ ଛଡ଼ା କିଛି ନୁହେଁ । ଲୋକଙ୍କୁ ବୋକା କିମ୍ବା ଭକୁଆ ବନାଇବାର ଯୁଗ ନଥିଲା କି ନାହିଁ । ହେଲେ ଲୋକଙ୍କୁ ଖବର ଦେବା ନାଁରେ ବ୍ୟକ୍ତିଗତ ଏଜେଣ୍ଡା ପ୍ରଚାର କରିବା ଗଣମାଧ୍ୟମର କୀର୍ତ୍ତିମାନକୁ କ୍ଷୂର୍ଣ୍ଣ କରିଛି । ବୈଜୟନ୍ତ ବାବୁ ସବୁ ସୀମା ପାର୍ କରିଗଲେଣି ବୋଲି କୁହାଯାଉଛି ।
ସେହିଭଳି ଅଣଓଡ଼ିଆ ଅଫିସର କହି ତୁମ୍ବିତୋଫାନ କରୁଥିବା ବୈଜୟନ୍ତଙ୍କର ଓଡ଼ିଆ ପ୍ରୀତି ମଧ୍ୟ ଧରାପଡ଼ିଯାଇଛି । ଦିଲ୍ଲୀରେ ଇଂରାଜୀ ଚାନେଲ୍ ଗୁଡ଼ିକର ପ୍ରିୟପାତ୍ର ହୋଇଥିବା ବୈଜୟନ୍ତ ନିଜେ ଓଡ଼ିଆ ଚାନେଲର ମାଲିକ ହୋଇଥିଲେ ମଧ୍ୟ ଓଡ଼ିଆ ଚାନେଲରେ ମୁହଁ ଦେଖାଇବାକୁ ପସନ୍ଦ କରୁନାହାନ୍ତି । ଏହା କି ପ୍ରକାର ମାନସିକତା ? ଏଥିରେ ତାଙ୍କର ସମ୍ମାନହାନୀ ହେବ ବୋଲି ବୋଧେ ଭାବିନେଇଛନ୍ତି । କାରଣ ନିଜେ ଇଂରାଜୀରେ ଲମ୍ବାଚଉଡା ଟୁଇଟ୍ ଛାଡୁଥିଲେ ମଧ୍ୟ ତାଙ୍କ ନିଜ ଟିଭିରେ ମଧ୍ୟ ମୁହଁ ଦେଖାଉନାହାନ୍ତି । ଯାହା କହିବା କଥା ତାଙ୍କର ଅଣଓଡ଼ିଆ ବ୍ୟକ୍ତିଗତ ସଚିବ(ଘୋଷ)ଙ୍କ ପାଟିରେ ଓଡ଼ିଆରେ କୁହାଉଛନ୍ତି । ବୈଜୟନ୍ତଙ୍କର ଏହା ଅହଙ୍କାର ନା ଓଡ଼ିଆ ଗଣମାଧ୍ୟମକୁ ହୀନମନ୍ୟତା ତାହା ବୁଝାପଡ଼ୁନି ।
Real Truth … The Best news