କୋଭିଡ ଟେଷ୍ଟ ଶସ୍ତା ହେଲା, ୧୨୦୦ ଟଙ୍କାରେ ଟେଷ୍ଟ୍
ଭୁୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିିକ ପ୍ୟାକେଜ୍ କରିଛନ୍ତି । ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ପ୍ୟାକେଜ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ୟାକେଜ୍ କୁ ୪ ଟି ବିଭାଗରେ ବିଭକ୍ତ କରାଯାଇ କାର୍ଯ୍ୟକାରିତା ସମୟସୀମା ୬ ମାସ ରଖାଯାଇଛି ।
ପ୍ୟାକେଜ୍-୧: ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସେମାନଙ୍କ ପରିବାରର ସଦସ୍ୟ ଏହି ଋଣ ନେଇପାରିବେ ।
ପ୍ୟାକେଜ୍-୨: କୃଷି ଏବଂ ଅଣ କୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ୬ ମାସରୁ ଉଦ୍ଧ୍ୱର୍ ଉଦ୍ୟୋଗ ଗୋଷ୍ଠୀ ଏବଂ ୧ ବର୍ଷରୁ ଉଦ୍ଧ୍ୱର୍ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।
ପ୍ୟାକେଜ୍-୩: ଅତିଗରିବ କିମ୍ବା ଅସହାୟ ପରିବାର ଯଥା ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟଲିଙ୍ଗୀ, ନିରାଶ୍ରୟ, ମହିଳା ମୁଖ୍ୟ ଥିବା ପରିବାର ଇତ୍ୟାଦିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ।
ପ୍ୟାକେଜ୍-୪: କୋଭିଡ୍-୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ(ସିଏଲଏଫ) ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ(ଜିପିଏଲଏଫ), ଉଦ୍ୟୋଗ ତଥା ଉତ୍ପାଦକ ଗୋଷ୍ଠୀ ଏହି ପ୍ୟାକେଜ୍ କୁ କାର୍ଯ୍ୟକାରୀ କରିବା ନିମନ୍ତେ ସହାୟତା ପ୍ରଦାନ କରିବେ । ଡିଏମଏଫ ଫଣ୍ଡ ଏବଂ ଓଏମବିଏଡିସି ଫଣ୍ଡସ୍ ମଧ୍ୟ ବ୍ୟବହାର କରାଯିବ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ସେମାନଙ୍କ ପରିବାରର ଉଦ୍ୟୋଗଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସହ ପ୍ରବାସୀ ଫେରନ୍ତାଙ୍କ ଦକ୍ଷତା ମୁତାବକ ଉଦ୍ୟୋଗ ସ୍ଥାପନରେ ପ୍ୟାକେଜ୍ ସହାୟକ ହୋଇପାରିବ ବୋଲି କୁହାଯାଇଛି ।
ଏଣିକି ୧୨୦୦ ଟଙ୍କାରେ କୋଭିଡ ଟେଷ୍ଟ୍
ଘରୋଇ ସଂସ୍ଥାରେ କୋଭିଡ ଟେଷ୍ଟ୍ ଶସ୍ତା ହୋଇଛି । ଆଗରୁ ଏହା ୨୨୦୦ ଟଙ୍କା ଥିଲା । ମାତ୍ର ଏବେ ୧୨୦୦ ଟଙ୍କାରେ ଆରଟି ପିସିଆର କୋଭିଡ ଟେଷ୍ଟ୍ ହୋଇପାରିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି ।