ଭୁବନେଶ୍ୱର: ସହରାଞ୍ଚଳରେ ବେଆଇନ ନିର୍ମାଣକାରୀଙ୍କୁ ମିଳିଲା ଆଶ୍ୱସ୍ତି । ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି । ବେଆଇନ ନିର୍ମାଣକୁ ଜରିମାନା ବଦଳରେ ସର୍ତ୍ତମୂଳକ ସ୍ୱୀକୃତି ଦେବା ଏହି ଯୋଜନାର ଲକ୍ଷ୍ୟ । ରାଜ୍ୟର ୯ଟି ଯାକ ଉନ୍ନୟନ କର୍ତ୍ତୃପକ୍ଷରେ ସର୍ବକ୍ଷମା ଯୋଜନା ଲାଗୁ ହେବ । ସର୍ବକ୍ଷମା ଯୋଜନାର ଫାଇଦା ନେବା ପାଇଁ ୬ ମାସ ସମୟସୀମା ଧାର୍ଯ୍ୟ କରାଯାଇଛି । ଆବେଦନର ୨ ମାସ ମଧ୍ୟରେ ଅନୁମତି ମିଳିଯିବ ।
ଉକ୍ତ ଯୋଜନାରେ ବିଭିନ୍ନ ଅନିୟମିତତା ପାଇଁ ଭିନ୍ନ ଭିନ୍ନ କମ୍ପାଉଣ୍ଡିଂ ଦେୟ ଧାର୍ଯ୍ୟ କରାଯାଇଛି । ସବୁଠାରୁ ବଡ କଥା ହେଲା ପାର୍କିଂ ସୁବିଧା ନ ଥିଲେ ନିୟମିତ କରିବାକୁ ଉଚ୍ଚ ଦରର ଜରିମାନା ଧାର୍ଯ୍ୟ କରାଯାଇଛି । ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳର ବାସଗୃହ ପାଇଁ ବର୍ଗଫୁଟ ପିଛା ୧୦,୦୦୦ ଜରିମାନା ଧାର୍ଯ୍ୟ ହୋଇଥିଲା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୧୭,୫୦୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ବାସଗୃହ ପାଇଁ ଜରିମାନା ୮,୦୦୦ ଥିବା ବେଳେ ବ୍ୟବସାୟିକ ସଂସ୍ଥା ପାଇଁ ୧୫,୦୦୦ ଜରିମାନା ଧାର୍ଯ୍ୟ ହୋଇଛି । ଏନଏସି ଅଞ୍ଚଳର ବାସଗୃହ ପାଇଁ ଜରିମାନା ୬,୦୦୦ ଏବଂ ବ୍ୟବସାୟିକ ସଂସ୍ଥା ପାଇଁ ୧୩,୦୦୦ ଏବଂ ଗ୍ରାମାଞ୍ଚଳ ବାସଗୃହ ପାଇଁ ଜରିମାନା ୫,୦୦୦ ଏବଂ ବ୍ୟବସାୟିକ କାର୍ଯ୍ୟ ପାଇଁ ଘରର ବର୍ଗଫୁଟ ପିଛା ୧୦,୦୦୦ ଜରିମାନା ଧାର୍ଯ୍ୟ କରାଯାଇଛି ।
ତିନିଶହ ବର୍ଗମିଟର ଭିତର ଫ୍ଲାଟ ପାଇଁ ପଡ଼ୋଶୀଙ୍କ ସ୍ୱୀକୃତି ଅନାବଶ୍ୟକ ରହିଥିଲା ବେଳେ ସ୍ୱାସ୍ଥ୍ୟସେବା ନିମିତ୍ତ ଘର ପାଇଁ ମାପଦଣ୍ଡ କୋହଳ କରାଯାଇଛି । ସର୍ବକ୍ଷମା ଯୋଜନାର ଫାଇଦା ନେବା ପାଇଁ ପ୍ଲାନ୍ ଅନୁମୋଦନ ଓ ଫାୟାର ସୁରକ୍ଷା ସାର୍ଟିଫିକେଟ ସହ ଆବେଦନ କରିପାରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଭାଗର ସଚିବ ଜି.ମାଥିଭାଥନନ୍ ଏହି ଯୋଜନା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୭ ମସିହାରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ)ରେ ସର୍ବକ୍ଷମା ଯୋଜନା ବର୍ଷକ ପାଇଁ ଲାଗୁ ହୋଇଥିଲା । ପରେ କଟକ ଉନ୍ନୟନ କର୍ତ୍ତୃପକ୍ଷରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଥିଲା । ତେବେ ଯୋଜନାରୁ ଆଖିଦୃଶିଆ ସଫଳତା ମିଳି ନ ଥିଲା ।