ଭୁୁବନେଶ୍ୱର: ପୂର୍ବତନ ବ୍ୟୁରୋକ୍ରାଟ୍ ଅପରାଜିତା ଷଡ଼ଙ୍ଗୀ ତାଙ୍କ ରାଜନୈତିକ ଭବିଷ୍ୟତ ଚୂଡ଼ାନ୍ତ କରିଛନ୍ତି । ଆସନ୍ତା ୨୭ ତାରିଖରେ ସେ ପଦ୍ମ ହାତ ଧରିବେ । ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ୧ ତାରିଖରେ ସେ ଭୁବନେଶ୍ୱର ଫେରିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି ।
ନିଜ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ତିନି ଦିନ ତଳେ ଅପରାଜିତା ଦିଲ୍ଲୀ ଯାଇଥିଲେ । ଅମିତ୍ ଶାହା ଓ ଦଳର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ତାଙ୍କର ଆଲୋଚନା ପରେ ୨୭ ତାରିଖକୁ ମିଶ୍ରଣର ଦିନ ଧାର୍ଯ୍ୟ ହୋଇଥିଲା । ସୂଚନା ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାନ କରୁଥିବା ଅପରାଜିତା ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ଆସି ପରଦିନ ପୁଣି ଦିଲ୍ଲୀ ଫେରିଯିବେ । ୨୭ ତାରିଖରେ ବିଜେପିରେ ମିଶିବା ପରେ ୧ ତାରିଖରେ ଭୁବନେଶ୍ୱର ଫେରିବେ ।
ଅପରାଜିତାଙ୍କୁ ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି । ବିଶେଷକରି ଓଡ଼ିଶାରେ ବିଜେପିର ସେ ଫେସ୍ ହେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଯୋଜନା କରିଛି । ତେବେ ଭୁବନେଶ୍ୱରର କୌଣସି ଏକ ବିଧାନସଭା ଆସନରୁ ସେ ଲଢ଼ିବାକୁ ଆଗ୍ରହୀ ବୋଲି ମଧ୍ୟ କୁହାଯାଉଛି ।