ଭୁବନେଶ୍ୱର: ବସ୍ କିମ୍ବା ଟ୍ରେନ୍ ଉପଲବ୍ଧ ନ ଥିବା ଦୁର୍ଗମ ଅଞ୍ଚଳରେ ଫସିଥିବା ପ୍ରବାସୀଙ୍କୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରୁ ୩୫୦ ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଅଣାଯାଇଛି ।
ଏୟାର ଏସିଆର ୩ ଟି ବିମାନ ଯୋଗେ ଏମାନଙ୍କୁ ଭୁବନେଶ୍ୱର ଅଣାଯାଇଛି । ଜମ୍ମୁ-କାଶ୍ମୀର ର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଏବଂ ସାମ୍ବା ଜିଲ୍ଲା ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନ୍ନା ଜିଲ୍ଲାରେ ସେମାନେ ଫସି ରହିଥିଲେ । ତିନି ଦିନ ପୂର୍ବେ ଉତ୍ତର- ପୂର୍ବ ରାଜ୍ୟ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଏବଂ ଆସାମରେ ଫସି ରହିଥିବା ୨୮୦ ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଦୁଇଟି ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ।
ଆଣ୍ଡାମାନ ଓ ନିକୋବର ଦ୍ୱୀପ ପୁଞ୍ଜରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଅନ୍ୟ ଏକ ବିମାନ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କର ଏକ ସ୍ୱତନ୍ତ୍ର ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ରହି ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବଂ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରିବା ସହ ପ୍ରବାସୀମାନେ ରହୁଥିବା ସ୍ଥାନରୁ ବିମାନବନ୍ଦରକୁ ଆଣିବାର ସମସ୍ତ ବନ୍ଦୋବସ୍ତ କରୁଛନ୍ତି ।