ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୨୫ ତାରିଖରୁ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମୁଦାୟ ୩୦ ଟି କାର୍ଯ୍ୟଦିବସ ରହିଛି । ଜୁନ୍ ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ ହେବାକୁ ଥିବା ବେଳେ ଜୁଲାଇ ୩୧ ତାରିଖରେ ବ୍ୟୟମଂଜୁରୀ ବିଲ୍ ଗୃହୀତ ହେବ । ଜୁନ୍ ୨୭ ତାରିଖରେ ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।
ଜୁନ୍ ୨୫ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଅଭିଭାଷଣ ସହ ଆରମ୍ଭ ହେବ ଷୋଡ଼ଶ ବିଧାନସଭା । ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇ ତିନି ଦିନ ଚାଲିବ । ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ସଂକ୍ରାନ୍ତ ଘୋଷଣାନାମା ଜାରି ହୋଇ ପରଦିନ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚମ ପାଳି ବିଜେଡ଼ି ସରକାରର ପ୍ରଥମ ବଜେଟ୍ ୨୮ ତାରିଖରେ ଗୃହରେ ଉପସ୍ଥାପିତ ହେବ । ଜୁଲାଇ ୧ ଓ ୨ ତାରିଖରେ ସାଧାରଣ ବଜେଟ୍ ଉପରେ ଆଲୋଚନା ହେବ ।
ଜୁଲାଇ ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଅବକାଶ ସମୟ ରହିଛି । ୧୨ ତାରିଖରେ ଷ୍ଟାଣ୍ଡିଂ କମିଟି ରିପୋର୍ଟଗୁଡ଼ିକ ଗୃହରେ ଉପସ୍ଥାପିତ ହେବ । ୧୫ ତାରିଖରୁ ଆରମ୍ଭ ହେବ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା । ଏହା ୧୪ ଦିନ ଧରି ଚାଲିବ । ଜୁଲାଇ ୩୧ ତାରିଖରେ ବିଧାନସଭାରେ ପାରିତ ହେବ ବ୍ୟୟମଂଜୁରୀ ବିଲ୍ ।