ଭଦ୍ରକ: ସ୍କୁଲ ଛୁଟି ପରେ ପିଲାମାନେ ହସଖୁସିରେ ଘରକୁ ଫେରୁଥିଲେ । ଆଉ ସେମାନଙ୍କ ଉପରେ ମାଡ଼ିଗଲା ଏକ ୧୦ ଚକିଆ ଟ୍ରକ । ଟ୍ରକ ଚକ ତଳେ ଚାପି ହୋଇ ୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଗଲା । ଆଉ ୫ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଛାଡ଼ିଦେଲା ।
ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟରେ । ସ୍ଥାନୀୟ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ । ୧୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ୧୬ ନଂ ଜାତୀୟ ରାଜପଥ ପାର୍ ହେଉଥିଲେ । ଆଉ ଏତିକିବେଳେ ଏକ ଦଶଚକିଆ ଟ୍ରକ ସେମାନଙ୍କ ଉପରେ ସିଧା ଚଢ଼ିଗଲା । ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀ ଆଖି ବୁଜି ଦେଇଥିଲେ । ଜଣେ ଛାତ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଅସୁରାଳି ଗାଁର ବୋଲି ଜଣାପଡ଼ିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ରେ ନିଆଁ ଲଗାଇଦେଇଛନ୍ତି । ଡ୍ରାଇଭର ଘଟଣାସ୍ଥଳରୁ ଦୌଡି ପଳାଉଥିବା ବେଳେ ଲୋକମାନେ ତାକୁ କାବୁ କରିନେଇ ନିର୍ଧୂମ ପିଟିଛନ୍ତି । ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।