ଭୁବନେଶ୍ୱର: କେନ୍ଦ୍ରରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ଓ ମନ୍ତ୍ରୀମଣ୍ଡଳରେ ପଦୋନ୍ନତି ଗରିବ ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଓ ଗର୍ବର କଥା । ଧର୍ମେନ୍ଦ୍ରଙ୍କ ରାଜନୈତିକ ଉତଥାନକୁ ଦଳମତ ନିର୍ବିଶେଷରେ ବିଭିନ୍ନ କୋଣରୁ ସ୍ୱାଗତ କରାଯାଉଛି । ଦୁଇ ଦୁଇଟି ଦୁଧିଆଳ ବିଭାଗର କ୍ୟାବିନେଟ୍ ଚଉକି ଧର୍ମେନ୍ଦ୍ର କ୍ୟାମ୍ପକୁ ଅଧିକ ଉଲ୍ଲସିତ କରିଛି । ଗତକାଲିଠାରୁ ସେମାନେ ମସଗୁଲ ହୋଇଯାଇଛନ୍ତି । ଜଣେ ଧର୍ମେନ୍ଦ୍ର ଭକ୍ତ କହିଛନ୍ତି, ପେଟ୍ରୋଲ୍ ବିଭାଗ ଛାଡ଼ ମ.. ଦକ୍ଷତା ବିକାଶରେ ଯେତିକି ମାଲ୍ ଅଛି ନବୀନଙ୍କୁ ସାଇଜ୍ କରିବା ପାଇଁ ଯଥେଷ୍ଟ ।
ନିରୀହ ରାଜ୍ୟବାସୀ କ’ଣ ବୁଝନ୍ତୁ ନ ବୁଝନ୍ତୁ ହେଲେ ଧର୍ମେନ୍ଦ୍ରଙ୍କ କାଟତି ଡବଲ୍ ହେଲା ପରେ ତାଙ୍କ ପାଇଁ ବେଶୀ ବାୟା ହୋଇପଡ଼ିଛନ୍ତି ତଥାକଥିତ କ୍ରିମି ଲେୟାର ଗୋଷ୍ଠୀ । ଏହି ଗୋଷ୍ଠୀରେ ଅଛନ୍ତି (କିଛି) ସମ୍ବାଦପତ୍ରର ମାଲିକ, ସାମ୍ବାଦିକ, ଅଫିସର, ଶିଳ୍ପପତି, ବ୍ୟବସାୟୀ ଓ ଠିକାଦାର । ଗତକାଲିଠାରୁ ସେମାନଙ୍କ ଆଖିରେ ନିଦ ନାହିଁ । ଧର୍ମେନ୍ଦ୍ରଙ୍କୁ ଖୁସି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଛି କଂଗ୍ରାଚୁଲେସନ୍ ଟ୍ୱିଟ୍ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଶୀର୍ଷରେ ଅଛନ୍ତି କିଛି ପ୍ରଭାବଶାଳୀ ସମ୍ପାଦକ ଓ ସାମ୍ବାଦିକ । ଧର୍ମେନ୍ଦ୍ର କ୍ୟାବିନେଟ୍ ପଦରେ ଶପଥ ନେଉ ନେଉ ପ୍ରଥମ କଂଗ୍ରାଚୁଲେସନ୍ ଦେବାକୁ କମ୍ପିଟେସନ୍ କରିଛନ୍ତି । କିଛି ସରକାରୀ ଅଫିସର ଭିତିରିଆ ଭାବେ ଧର୍ମେନ୍ଦ୍ରଙ୍କ ଲୋକଙ୍କୁ ଭେଟି କୁଣ୍ଢେଇ ପକେଇଛନ୍ତି । ଶିଳ୍ପପତି, ବ୍ୟବସାୟୀ, ଠିକାଦାର ବି ସେଇ ବାଟରେ । ଯିଏ ଯୋଉ ବାଟରେ ଧର୍ମେନ୍ଦ୍ରଙ୍କ ମନ କିଣିବା ପାଇଁ ଲାଗିପଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରତି ସେମାନଙ୍କର ପ୍ରେମ ଉଛୁଳା ନଦୀ ଧାରଣ କରିଛି । ପ୍ରେମ ବାଡ଼ବତା ମାନୁନି ।
ହେଲେ ଏଇ ପ୍ରେମ ହୃଦୟରୁ ତ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ କିଛି କ୍ରିମି ଲେୟାର ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲୁ । ନିର୍ଦ୍ଦିଷ୍ଟ ସାମ୍ବାଦିକ ବନ୍ଧୁ ପ୍ରଶ୍ନ ଶୁଣି ଆଗ ଲାଜେଇ ଯାଇଥିଲେ । କହିଥିଲେ ଭାଇ ସବୁକଥାରେ ପଲିଟିକ୍ସ ପୂରାଅନି । ଆମର ତ ପୁଣି ପେଟପାଟଣା ଅଛି ନା ? ପଚାରିଥିଲୁ ଧର୍ମେନ୍ଦ୍ର ଶକ୍ତିଶାଳୀ ହେଲେ ତମର କି ଲାଭ ? କହିଲେ, ହୁଁ..କେତେ ଦରମା ମିଳୁଛି କିହୋ ? ଆମ ମାଲିକ ତ ମୁଣ୍ଡ ବିକିଛି । ସହଜେ ଆମେ !! ଧର୍ମେନ୍ଦ୍ର ବିରୋଧରେ ପଦେ ଲେଖିଦେଲେ ମାଲିକ ଶୋଧୁଛି । ମାଲିକର ଇକ୍ୱେସନ୍ ରେ ରହିଲେ ଆମର ଡବଲ ପ୍ରଫିଟ୍ । କହୁ କହୁ ଏମିତି ଗୁଡ଼ାଏ ଅକୁହା କଥା କହିଦେଲେ ସାମ୍ବାଦିକ ବନ୍ଧୁ । ଏହାକୁ କେଉଁଠି ନ କହିବାକୁ ଅନୁରୋଧ କରି ଚାଲିଗଲେ ।
ବିମୁଦ୍ରାକରଣ ପ୍ରସଙ୍ଗ ହେଉ କି ଜିଡ଼ିପି ହେଉ ଟିଭି ଚାନେଲ୍ ବିତର୍କରେ ଭାଗ ନେବାକୁ ଅଧିକାଂଶ ଶିଳ୍ପପତି ଓ ବୁଦ୍ଧିଜୀବୀ ଡରୁଛନ୍ତି । କହୁଛନ୍ତି, ମୋଦିଙ୍କ ବିରୋଧରେ ପଦେ କହିଲେ ବିପଦ । ଧର୍ମେନ୍ଦ୍ର ଏଠି ହଇରାଣ କରିଦେବେ । କିଛି ଦୁର୍ବଳିଆ ଅଫିସର ବି ନବୀନଙ୍କ ସ୍ତୁତିଗାନ୍ ଛାଡ଼ି ଧର୍ମେନ୍ଦ୍ର ସ୍ତୁତିଗାନରେ ମାତିଯାଇଛନ୍ତି । ପଚାରିଲେ କହିଛନ୍ତି, ଭାଇ ଏବେଠୁ ସତର୍କ ରହିବାଟା ଭଲ । ନଚେତ୍ ଧର୍ମେନ୍ଦ୍ର ଆସିଲେ ମରିଯିବୁ । ଖୋଦ୍ ଧର୍ମେନ୍ଦ୍ର ଶିବିରରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ନେଇ କଥାବାର୍ତ୍ତା ଉପରେ କଟକଣା ଅଛି । ୟାଡୁ ସୁଆଡୁ ପଦେ ସ୍ଲିପ୍ ହେଇଗଲେ ଚାକିରି ଗଲା ବୋଲି ଜାଣ । ଧର୍ମେନ୍ଦ୍ରଙ୍କ ନାଁ ଶୁଣିଲେ ଖୋଦ୍ ତାଙ୍କର ନିଜ ଲୋକମାନେ ଭକ୍ତିପୂତ ଭୟ କରୁଛନ୍ତି । ସମସ୍ତେ ନିଜ ନିଜର ଚାକିରି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଧର୍ମେନ୍ଦ୍ରଙ୍କ କାଟତି ବଢ଼ିବା ପରେ ବିଜେଡ଼ିର ଧର୍ମେନ୍ଦ୍ରପ୍ରେମୀ ନେତା ତାଙ୍କ ସମ୍ପର୍କକୁ ନିବିଡ଼ କରିବା ଚେଷ୍ଟାରେ ଅଛନ୍ତି । ଅନ୍ୟ ଫୋନ୍ ରୁ ସେମାନେ ଧର୍ମେନ୍ଦ୍ରଙ୍କୁ କଂଗ୍ରାଚୁଲେସନ୍ କରିଛନ୍ତି । ସେଥିରେ ଦୁଇଟି କାରଣ । ସଂପୃକ୍ତ ବିଜେଡ଼ି ନେତାଙ୍କ ଡର ଧର୍ମେନ୍ଦ୍ର ଚାହିଁଲେ ସେମାନଙ୍କୁ ବରବାଦ କରିଦେବେ । ନାଇଁତ ଉଠାଇଦେବେ ।