ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଢ଼ିବ । ୨୦୧୪ ମସିହାରୁ କ୍ରମାଗତ ଭାବେ ଅମିତ୍ ଶାହାଙ୍କ ଏହି ଦମ୍ଭ ୨୦୧୯ରେ ଫେଲ୍ ମାରିଲା । ଏବେ ଜେ.ପି. ନଡ୍ଡା ଏବେ ସେହି ବାକ୍ୟକୁ ଉତ୍ତରାଧିକାରୀ ସୂତ୍ରରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନର ଦିନ ବେଶୀ ଦୂର ନୁହେଁ ବୋଲି ଦମ୍ଭ ଦେଖାଇଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟକାରିଣୀକୁ ଆଜି ଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋଧିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା । ଓଡ଼ିଶାରେ ସରକାର ଗଠନର ପୁରୁଣା ସ୍ୱପ୍ନକୁ ସେ ଉଜାଗର କରିଛନ୍ତି । କହିଛନ୍ତି, ସେ ଦିନ ଆଉ ଦୂର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର କରିବା । ୨୦୧୪ରେ ଆମକୁ ୨୧% ଭୋଟ ମିଳିଥିଲା । ୨୦୧୯ ରେ ମିଳିଛି ୩୮% । ଏଥର ଏହାକୁ ୫୦% ଉପରକୁ ନେବା । ସେଥିପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ଆଗାମୀ ସରକାର ବିଜେପିର ହେବ, ଏହା ହିଁ ଆମର ସଂକଳ୍ପ ।
ଯାହା ବିରୋଧରେ ଲଢ଼ି ଦଳ ସିଂହାସନରେ ବସିବାର ସଂକଳ୍ପ ନେଉଛି, ସେହି ଦଳ/ସରକାର ବିରୋଧରେ ଅବଶ୍ୟ ସେଭଳି ଟାଣ କଥା କହି ନ ଥିଲେ ନଡ୍ଡା । ନବୀନ ସରକାରଙ୍କ ବିରୋଧରେ ପଦେ ଦି ପଦ ଟାଣି ଓଟାରି କହିଥିଲେ । ସମ୍ଭବତଃ ରାଜ୍ୟ ନେତା ଓ କର୍ମୀଙ୍କ ମନ ବୁଝାଇବାକୁ ହୋଇଥାଇପାରେ । ‘ମୋଦି ସବୁ ଅନୁଦାନ ଦେଉଛନ୍ତି, କିନ୍ତୁ ନବୀନ ତାକୁ ନିଜର କହୁଛନ୍ତି । ନବୀନ ବାବୁ ସବୁ କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ଚଢ଼ାଉଛନ୍ତି’ ବୋଲି ନଡ୍ଡା ମୃଦୁ ଆକ୍ଷେପ କରିଥିଲେ ।
ତାଙ୍କ ଭାଷଣରେ ନବୀନଙ୍କ ପାଇଁ ଦୁଇଧାଡ଼ି ପରାମର୍ଶ ରଖିବାକୁ ଭୁଲି ନ ଥିଲେ ନଡ୍ଡା । ‘ନବୀନ ବାବୁ ଆପଣ ବଡ଼ ହୃଦୟରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ । ଗରିବଙ୍କ କଥା ଚିନ୍ତା କରନ୍ତୁ ।’
ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ, କିନ୍ତୁ ମାପିଚୁପି । କୋଭିଡ୍ ପରିଚାଳନାରେ ବ୍ୟାପକ ଅନିୟମିତତା ଦର୍ଶାଇ ପ୍ରଭୁ ଜଗନ୍ନାଥଙ୍କ ଶରଣ ଲୋଡ଼ିଥିଲେ ଶ୍ରୀ ମହାନ୍ତି । ମୋଟାମୋଟି ଦେଖିଲେ, ରାଜ୍ୟ ସଭାପତିଙ୍କ ଭାଷଣ ସେଭଳି ମନଖୋଲା ନ ଥିଲା । ଅଦୃଶ୍ୟ ଶକ୍ତିର ଚାପ ରହିଥିବା ବାରି ହେଉଥିଲା ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା ଅନୁଯାୟୀ, ଓଡ଼ିଶାରେ ବିଜେପିର ଶକ୍ତି ବଢ଼ିଥିବା ନିରାଟ ସତ୍ୟ । ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଯେ ବିଜେପି ଏହା ବି ନିରାଟ ସତ୍ୟ । ଗତ ନିର୍ବାଚନରେ ଓଡ଼ିଶାରେ ବିଜେପି ପାଇଁ ଅପୂର୍ବ ସୁଯୋଗ ଅପେକ୍ଷା କରିଥିଲା ତାହା ବି ସତ୍ୟ । ମାତ୍ର ଏହା ବି ସତ୍ୟ ଯେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ କାଟିଲା ଭଳି ଶକ୍ତି ଯୋଗାଡ଼ କରିବାରେ ବିଜେପି ଏଯାଏଁ ସମର୍ଥ ହୋଇପାରିନାହିଁ । ବିଜେଡ଼ିର ସାଂଗଠନିକ ଶକ୍ତିର ସମକକ୍ଷ ଏବଂ ନବୀନଙ୍କ ବିକଳ୍ପ ଛିଡ଼ା କରିବାରେ ବିଜେପି ସକ୍ଷମ ହୋଇପାରିନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଭୟ ବିଜେଡ଼ି-ବିଜେପିର ମତିଗତି ନେଇ ଜନସାଧାରଣଙ୍କ ମନରେ ଭୀଷଣ ଦ୍ୱନ୍ଦ ରହିଛି । ନିର୍ବାଚନ ପୂର୍ବରୁ ଉଭୟ ଉଭୟଙ୍କ ଶିରିପା ଦେଖିପାରୁ ନ ଥିଲେ । ମାତ୍ର ନିର୍ବାଚନ ପରେ କୋଳାକୋଳି ହୋଇଗଲେ । କେହି କାହା ବିରୋଧରେ ପାଟି ଖୋଲିଲେ ନାହିଁ । ଏହାଦ୍ୱାରା ବିଜେଡ଼ିଠାରୁ ବିଜେପିର କ୍ଷତି ଅଧିକ ବୋଲି କୁହାଯାଉଛି ।
କାରଣ ବିଜେଡ଼ିଠାରୁ ମନ ଫେରାଉଥିବା ଲୋକ ବିକଳ୍ପ ରାସ୍ତା ପାଉନାହାନ୍ତି । କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେମାନଙ୍କର ଭରସା ପାଉ ନ ଥିଲା ବେଳେ ବିଜେଡ଼ି ସହ ବୁଝାମଣା ବିଶ୍ୱାସରେ ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରିପାରୁନାହାନ୍ତି ।
ମଜାର କଥା, ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ଧରି ରାଜ୍ୟ ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ବର୍ଷୁଥିଲେ ମଧ୍ୟ କେନ୍ଦ୍ରୀୟ ସ୍ତରରୁ ସେଭଳି ସହଯୋଗ ନାହିଁ । ଜାତୀୟ ରାଜନୈତିକ ସମୀକରଣ ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ନେତାମାନେ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ଯାହାର ଫାଇଦା ନବୀନଙ୍କୁ ମିଳୁଛି । ଏଭଳିସ୍ଥିତିରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷି ରାଜ୍ୟ ବିଜେପି ନେତାମାନେ ଲୋକହସା ହେବା ସାର ହୋଇଛି ।
ଭୋଟର ଆଦୋ÷ ମୁର୍ଖ ନୁହଁନ୍ତି । ରାଜନୈତିକସ୍ତରରେ ପ୍ରତିଟି ଘଟଣାକୁ ସେମାନେ ଅନୁଭବ କରୁଛନ୍ତି । ନେତାମାନେ ଯେତେ ନାଟକ କଲେ ବି ଭୋଟରଙ୍କୁ ଚକମା ଦେବା ଅବସ୍ଥା ନାହିଁ । ଓଡ଼ିଶାରେ ଏଥର ବିଜେପି ସରକାର ଗଢ଼ିବ ବୋଲି ନଡ୍ଡା ଯେଉଁ ସଂକଳ୍ପ ଦେଇଛନ୍ତି ତାହା ଅବାସ୍ତବ ନ ହୋଇପାରେ । ମାତ୍ର ତଥାକଥିତ ଶତ୍ରୁ ବିରୋଧରେ ଆଭିମୁଖ୍ୟକୁ ଠିକଣା ଢ଼ଙ୍ଗରେ ନେବାର ଅଛି । କେନ୍ଦ୍ରୀୟ ନେତାଙ୍କ ମୁହଁରୁ ମଝିରେ ମଝିରେ ଏମିତି ପଦେ ଦୁଇପଦ ଡାଇଲଗ୍ ବାହାରିବା ପଛରେ ଯଦି ସାଂଗଠନିକ କର୍ତ୍ତବ୍ୟର ଦ୍ୱାହି ଥାଏ, ତାହାହେଲେ ଓଡ଼ିଶାରେ ଦଳକୁ କେବଳ ମହାପ୍ରଭୁ ସାହା ।