ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ବନାମ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ । ତିନି ଦିନ ତଳେ ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ଉପରେ ଗରମ ଦେଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା । ଆଜି ବାଲେଶ୍ୱରରେ ତାଙ୍କ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଢ଼େର୍ ପ୍ରଶଂସା କରିଛନ୍ତି । ଓଡ଼ିଶା ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନ୍ଦନ ଜଣାଇବା ସହ ନବୀନ ବାବୁ ବିଜୁ ବାବୁଙ୍କ ନାଁରେ ଭଲ ଯୋଜନା ଆରମ୍ଭ କରିଥିବା କହିଛନ୍ତି । ଏହାଦ୍ୱାରା ଓଡ଼ିଶା ବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।
ଆଜି ବାଲେଶ୍ୱରରେ ଫକୀର ମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌବେ ଏହି ମନ୍ତବ୍ୟ ଦେଇଥିଲେ । ପାଖରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ଢ଼େର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି-ବିଜେଡ଼ି ଟଣା ଓଟରା ଚାଲିଥିବା ବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏହି ଯୋଜନାକୁ ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ବିଜେପି ବି ଅଡୁଆରେ ପଡ଼ିଯାଇଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ତିନି ଦିନ ତଳେ ରାଜ୍ୟ ବିଜେପିକୁ ଯେଉଁ ତାକତ୍ ଦେଇଥିଲେ ଶ୍ରୀ ଚୌବେ ତାହାକୁ ପାଣିଚିଆ କରିଦେଇଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ବଲାଙ୍ଗୀର ମେଡ଼ିକାଲ୍ କଲେଜ ଲୋକାର୍ପଣ ଉତ୍ସବରେ ଶ୍ରୀ ନଡ୍ଡା ରାଜ୍ୟ ସରକାର ଆୟୁଷ୍ମାନ ଭାରତକୁ ଗ୍ରହଣ କରୁ ନ ଥିବାରୁ କଟୁକ୍ତି କରିଥିଲେ । ରାଜ୍ୟ ଯୋଜନା ସହ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ଆପଣାଇବାକୁ ଖୁବ ଶାଣିତ ଢ଼ଙ୍ଗରେ ପରାମର୍ଶ ଦେଇଥିଲେ ।
ଆଜି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚୌବେ ଏହି ସମାନ କଥା କହିଥିଲେ ମଧ୍ୟ ତାଙ୍କର ସ୍ୱର ଥିଲା ନରମ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିବା ସହ ଆୟୁଷ୍ମାନ ଭାରତକୁ ବି ନବୀନ ବାବୁ ଆପଣାନ୍ତୁ ବୋଲି ଅନୁରୋଧ କରିଥିଲେ । ଓଡ଼ିଶା ଏହାକୁ ଗ୍ରହଣ ନକଲେ ଯୋଜନା ଅଧୁରା ରହିଯିବ ବୋଲି ସେ ଅଭିମାନ କରିଥିଲେ । ବାଲେଶ୍ୱର ମେଡ଼ିକାଲ କଲେଜ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ । କହିଥିଲେ, ମେଡ଼ିକାଲ କଲେଜ ପାଇଁ ନବୀନ ବାବୁ ବହୁତ ସହଯୋଗ କରିଛନ୍ତି । ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳରେ ବି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।