ମୁମ୍ବାଇ: ବଲିଉଡ୍ ର ୟଙ୍ଗ୍, ଟାଲେଣ୍ଟେଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ବେକରେ ରସି ଲଗାଇ ଝୁଲି ପଡ଼ିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଲୋକପ୍ରିୟତାର ଶୀର୍ଷକୁ ଯାଇଥିବା ସୁଶାନ୍ତ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୬ ମାସ ଧରି ସେ ବହୁତ ଡିପ୍ରେସନ୍ ରେ ଥିଲେ ବୋଲି କୁହାଯାଉଛି । ମୁମ୍ବାଇ ପୁଲିସ ମାମଲାର ଛାନଭିନ୍ ଚଳାଇ ସୁଇସାଇଡ୍ ନୋଟ୍ ଖୋଜୁଥିଲେ ମଧ୍ୟ ମିଳିନାହିଁ ।
ସୁଶାନ୍ତ ସ୍ୱଭାବରେ ଯେତିକି ଶାନ୍ତ ଓ ସରଳ ସେତିକି ଭାବପ୍ରବଣ ଥିଲେ । ପିଲାଦିନୁ ମାଆଙ୍କୁ ହରାଇବାର ଦୁଃଖ ତାଙ୍କୁ ସବୁବେଳେ କଷ୍ଟ ଦେଉଥିଲା । ଗାଁରେ ବାପା ଏକା ରହୁଥିଲେ । ମୁମ୍ବାଇରେ ଏକା ରହୁଥିବା ସୁଶାନ୍ତ ୬ ମାସ ତଳୁ ଖୁବ୍ ଡିପ୍ରେସନ୍ ରେ ରହୁଥିଲେ ବୋଲି କୁହାଯାଉଛି । କିଛି ଦିନ ତଳେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ସୁଶାନ୍ତ ଘରର କବାଟ ନ ଖୋଲିବାରୁ ପାଖରେ ରହୁଥିବା ବନ୍ଧୁମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗି ଦେଖିଲା ବେଳକୁ ସୁଶାନ୍ତ ବେକରେ ରସି ଲଗାଇ ଝୁଲି ପଡ଼ିଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍ ଜଗତକୁ ସ୍ତବ୍ଧ କରିଦେଇଛି । ଏଭଳି ଜଣେ ୟଙ୍ଗ୍, ଟାଲେଣ୍ଟେଡ୍ ଆକ୍ଟରଙ୍କ ଆତ୍ମହତ୍ୟାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ତାଙ୍କୁ ଜଣେ ଟାଲେଣ୍ଟେଡ୍ ଏବଂ ପ୍ରେରଣାଦାୟୀ ଆକ୍ଟର ବୋଲି କହିଛନ୍ତି ।
ବିହାରର ପୁରନିଆ ଜିଲ୍ଲାରୁ ମୁମ୍ବାଇ ବଲିଉଡ୍ ଜଗତ । ଏହି ଲମ୍ବା ଯାତ୍ରାରେ ସୁଶାନ୍ତଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ଛାତ୍ର ଜୀବନରୁ ମେଧାବୀ ଥିବା ସୁଶାନ୍ତ ଦିଲ୍ଲୀ ଟେକନୋଲୋଜିକାଲ୍ ୟୁନିଭରସିଟିରୁ ମେକାନିକାଲ୍ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଆକ୍ଟିଂ ପ୍ରତି ପ୍ରବଳ ଝୁଙ୍କ୍ ତାଙ୍କୁ ମୁମ୍ବାଇ ଟାଣି ନେଇଥିଲା । ସୁଯୋଗ ପାଇବା ପାଇଁ ପ୍ରବଳ ସଂଘର୍ଷ କରିଥିଲେ । ବଲିଉଡ୍ ରେ କ୍ୟାରିୟର୍ କରିବା ପାଇଁ ସେ ବାରଦ୍ୱାର ବୁଲୁଥିବା ବେଳେ ଛୋଟ ପରଦାର ଅଫର୍ ପାଇଲେ । ତାହା ଥିଲା ଲୋକପ୍ରିୟ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ । ଏଥିରେ ମୁଖ୍ୟ ଭୂମିକାରେ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଯାଇଥିଲେ ସୁଶାନ୍ତ ।
ଛୋଟ ପରଦାର ହଟ୍ ଷ୍ଟାର୍ ରୁ ୨୦୧୩ ମସିହାରେ ବଲିଉଡ୍ ଜମ୍ପ ମାରିଥିଲେ ସୁଶାନ୍ତ । ଅଭିଷେକ କପୁରଙ୍କ ଫିଲ୍ମ ‘କାଇ ପୋ ଚେ’ ରେ ସୁଶାନ୍ତ ଏକ ଛୋଟ ସହରୀ ବାଳକ ଭୂମିକାରେ ନିଜର କମାଲ୍ ଦେଖାଇଥିଲେ । ଫିଲ୍ମଟି ବକ୍ସ ଅଫିସ ହିଟ୍ କରିଥିଲା । ପରବର୍ତ୍ତୀ ସମୟରେ କ୍ରିକେଟିୟର୍ ଏମଏସ ଧୋନୀଙ୍କ ବାଓପିକ୍ ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀ ଭୂମିକାରେ ବଳିଷ୍ଠ ଅଭିନୟ କରି ସୁଶାନ୍ତ ସମସ୍ତଙ୍କ ମନ କିଣି ନେଇଥିଲେ । ପିକେ, କେଦାରନାଥ, ଶୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ମଧ୍ୟ ତାଙ୍କର ଅନ୍ୟତମ ସଫଳ ଫିଲ୍ମ ଥିଲା । ତାଙ୍କର ଶେଷ ଫିଲ୍ମ ଥିଲା ନୀତେଶ ତିୱାରୀଙ୍କ ‘ଛିଛୋରେ’ । କଲେଜ ଜୀବନ ଏବଂ ପରବର୍ତ୍ତୀ ସମୟର ଫ୍ରଷ୍ଟେସନ୍ କାହାଣୀକୁ ନେଇ ଏହି ଫିଲ୍ମରେ ତାଙ୍କର ନାୟିକା ଥିଲେ ଶ୍ରଦ୍ଧା କପୁର ।
୨୦୨୦ ମସିହା ବଲିଉଡ୍ ଜଗତ ପାଇଁ ଅଶୁଭ ହୋଇଛି । ଇରଫାନ୍ ଖାନ୍, ଋଷି କପୁରଙ୍କ ପରେ ସୁଶାନ୍ତ ରାଜପୁତ୍ ଙ୍କ ଭଳି ଟାଲେଣ୍ଟ ମାନେ ଚାଲିଯାଇଛନ୍ତି ।