ଭୁବନେଶ୍ୱର: ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଏହି କିମ୍ବଦନ୍ତୀ ପୁରୁଷଙ୍କ ସ୍ମୃତିଚାରଣ କରିଛନ୍ତି ବିଶିଷ୍ଟ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପା ବିଜୁବାବୁଙ୍କ ସ୍ମୃତିଚାରଣରେ କହିଥିଲେ, ସଂଗ୍ରାମ ହିଁ ତାଙ୍କ ଜୀବନର ବଡ଼ ପରିଚୟ ଥିଲା । ସେ କ୍ଷମତାରେ ବେଶୀ ଦିନ ନ ଥିଲେ । କିନ୍ତୁ ସବୁବେଳେ ଲୋକଙ୍କ ସାଥୀରେ ଥିଲେ । ଓଡ଼ିଶା ଓ ଓଡ଼ିଆମାନେ ଯେପରି ସବୁବେଳେ ଆଗରେ ରହିବ ସେହି ଲକ୍ଷ୍ୟ ନେଇ କାମ କରୁଥିଲେ ।
ବିଜୁବାବୁଙ୍କ ଜନ୍ମତିଥିରେ ବିଜେଡ଼ି ସରକାରକୁ ୨୦ ବର୍ଷ ପୂରିଛି । ଓଡ଼ିଶାବାସୀଙ୍କ ଆର୍ଶିବାଦରେ ଆମେ ଏହି ସଫଳତା ପାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ କାମ କରିଚାଲିଛୁ । ଲୋକଙ୍କ ସ୍ୱାର୍ଥ, ହକ୍ କୁ ଆଗରେ ରଖିଛୁ । ସାଧାରଣ ଲୋକ ହିଁ ଆମ ପାଇଁ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ବିଜୁବାବୁଙ୍କ ଚିନ୍ତାଧାରା ଓ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁ ବାବୁ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ । ସେ ଚାହୁଁଥିଲେ ବ୍ୟବସ୍ଥାର ଦ୍ରୁତ ପରିବର୍ତ୍ତନ । ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ । ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସୁପ୍ରିମ୍ । ବିଜୁବାବୁଙ୍କ ଏହି ବିଚାରଧାରାରୁ ‘ମୋ ସରକାର’ ର ଜନ୍ମ । ‘ମୋ ସରକାର’ କାର୍ଯ୍ୟକ୍ରମ ହିଁ ଲୋକଙ୍କୁ ମାଲିକ କରିପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନରେ ଆୟୋଜିତ ପଞ୍ଚାୟତିରାଜ ଦିବସ ସମାରୋହରେ “ସମସ୍ତଙ୍କ ପାଇଁ ପକ୍କା ଘର” ପାଇଁ ବିଜୁ ବାବୁଙ୍କ ସ୍ୱପ୍ନକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଖୁସିର କଥା ଏ ଦିଗରେ ଆମେ ଅନେକ ବାଟ ଆସିପାରିଛୁ । ଏ ପର୍ଯ୍ୟନ୍ତ ଆମେ ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେଇପାରିଛୁ । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ ।
ଏହି ଅବସରରେ ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ମୋର ବିଶ୍ୱାସ ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।
ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବରେ ପାଳନ କରାଯିବ । ବିଜୁବାବୁଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ।
ସେପଟେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କଟକ ସହର ସହ ବିଜୁ ବାବୁଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ । ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ । ବ୍ରିଟିଶ ପୁଲିସ ବିରୋଧରେ ଲଢ଼େଇ କରିଥିଲେ । ଏହି କଟକରୁ ସେ ପେଶଶୱାରକୁ ସାଇକେଲରେ ଯାଇଥିଲେ । କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ କୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଭାବରେ ଗଢ଼ିବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଇତିହାସରେ ଏକ ନୂଆ ଚାପଟର୍ ଯୋଡି ହେଲା ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଆର୍ଶିବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କଲା । ଆପଣମାନଙ୍କର ଏହି ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । ଏହି ମହାନ୍ ଲକ୍ଷ୍ୟକୁ ସଫଳ କରିବା ଦିଗରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସହଯୋଗ କାମନା କରୁଛି ।