ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନ୍ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବିଜୁ ଜନତା ଦଳ ଦିନ ରାତି ଏକକାର କରିଦେଇଛି । ନେତା ଓ କୁଜି ନେତାଙ୍କର ନିଶ୍ୱାସ ମାରିବାକୁ ସମୟ ନାହିଁ । ସକାଳ ପାଇଲେ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ଧୂମଧଡ଼ାସ ଉତ୍ସବରୁ ଆରମ୍ଭ କରିବେ ବର୍ଷବ୍ୟାପୀ ବିଜୁ ଶତବାର୍ଷିକୀ ପର୍ବ । ବିଜୁ ପଟ୍ଟନାୟକଙ୍କ ପାଇଁ ମନରେ ଯେତିକି ଶ୍ରଦ୍ଧା ନାହିଁ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାପା ହିସାବରେ ମନରେ ଆସିଛି ଛାନିଆଭରା ଅମାପ ସ୍ନେହ,ଭକ୍ତି ଓ ଶ୍ରଦ୍ଧା । ଖୋଦ୍ ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚଟି କମିଟି କରିଛନ୍ତି ଶତବାର୍ଷିକୀ ପାଳନର ପ୍ରସ୍ତୁତି ପାଇଁ । ତୁହାକୁ ତୁହା ବୈଠକ କରି କମିଟି ଗୁଡ଼ାଏ ନିଷ୍ପତ୍ତି ନେଇଛନ୍ତି । ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ଓ ଅବଦାନର ସ୍ମୃତିକୁ ଓଡ଼ିଶାବାସୀଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ ହୋଇଛି । କେତେ କୋଟି ଟଙ୍କା ଖର୍ଚ୍ଚ ହେବ ତାହା ଅବିକା ଆକଳନ କରିହେଉ ନ ଥିଲେ ମଧ୍ୟ ଏହା ନବ କଳେବର ପ୍ରସ୍ତୁତି ଓ ଖର୍ଚ୍ଚଠାରୁ କିଛି ଉଣା ମନେହେଉନି ।
ବିଜୁ ପଟ୍ଟନାୟକଙ୍କ ଭଳି ଆକାଶତୁମ୍ବି ଉଚ୍ଚା ମଣିଷ ଓଡ଼ିଆ ଜାତିଠାରୁ ଏଭଳି ସମ୍ମାନ ପାଇବାକୁ ଯେ ହକ୍ଦାର ତାହାକୁ କେହି ଅସ୍ୱୀକାର କରିପାରିବେନି । ମାତ୍ର ବିଜୁ ବାବୁଙ୍କ ଶତବାର୍ଷିକୀ ପାଳନରେ ଯେ ଖୋଦ୍ ବିଜୁ ଜନତା ଦଳ ରାଜନୀତିର ରଙ୍ଗ ଭରିଦେଇଛି ଏକଥା ସ୍ୱାଭିମାନୀ ଓଡ଼ିଆ ମଣିଷ ନିଶ୍ଚିତ ସ୍ୱୀକାର କରିବେ । ଆଉ ବିଜୁ ଶତବାର୍ଷିକୀର ପୁଞ୍ଜି ଉପରେ ରାଜନୀତିର ରଙ୍ଗ ଖେଳିବାକୁ ବିଜେଡ଼ି ଏମିତି ଅତର୍ଚ୍ଛିଆ ହୋଇଛି ଯେ ଗୁଡ଼ାଏ ନିଷ୍ପତି ବୁମେରାଂ ହେବାକୁ ଯାଉଛି ।
ଏଇ ଯେମିତି, ବିଜେଡ଼ି ପକ୍ଷରୁ ରାଜ୍ୟର ୫୨ ହଜାର ଗାଁର ସବୁ ଘରେ ଝୁଲିବ ବିଜୁ ବାବୁଙ୍କ ଫଟୋର କ୍ୟାଲେଣ୍ଡର । ପ୍ରାୟ ୫୦ ଲକ୍ଷଙ୍କ ଘରେ ପହଞ୍ଚାଯିବ କ୍ୟାଲେଣ୍ଡର । ଛୋଟ ଲାଗୁଥିବା ଏହି ବିଶାଳ ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ କଳବଳ ଖଟାଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାର ଦାୟିତ୍ୱ ନେଇଛି । ଅବଶ୍ୟ ଟେଣ୍ଡର ଜରିଆରେ କାମ ଆଲଟ୍ ହୋଇଛି । ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗତ ୨୬ ତାରିଖରେ ଟେଣ୍ଡର ପେପର ଖୋଲି କାମ ଅର୍ଡର ଦେଇଥିଲେ । ବିଭାଗର ଚିଠି ନମ୍ବର ୨୦୪୯/ ୨୨.୦୨.୨୦୧୬ ରେ ଏହା ଉଲ୍ଲେଖ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୨୫ ହଜାର ଅଏଲ୍ ପ୍ରିଂଟ୍ କ୍ୟାଲେଣ୍ଡର ଛପାଯାଇଛି । ତେବେ ଏଥିରେ ଏକ ଗୁରୁତର ତ୍ରୁଟି ରହିଛି । ଯଦିଓ କ୍ୟାଲେଣ୍ଡର ଏଯାବତ୍ ରିଲିଜ୍ ହୋଇନି ମାତ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଚିଠିରୁ ଏହି ତ୍ରୁଟି ଜଳ ଜଳ ଦିଶୁଛି । ତାହା ହେଲା, କ୍ୟାଲେଣ୍ଡର ଓଡ଼ିଆ ଭାଷାରେ ଛପା ନ ହୋଇ ଇଂରାଜୀ ଭାଷାରେ ଛପାଯାଇଛି ।
ଓଡ଼ିଆ ଲୋକଙ୍କ ସ୍ୱାଭିମାନର ପ୍ରତୀକ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଆ ଭଲଭାବେ ଶିଖି ପାରୁ ନ ଥିଲେ ମଧ୍ୟ ଭାଷାର ଟେକ ପାଇଁ ଲୁହ ଗଡ଼ାଉଛନ୍ତି । ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ବି ଦେଇଛନ୍ତି । ସରକାରୀ ଓ ବେସରକାରୀ ଅଫିସ/ଅନୁଷ୍ଠାନରେ ଓଡ଼ିଆ ନାମଫଳକ ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏହା ସତ୍ତ୍ୱେ ଖୋଦ୍ ବିଜୁ ବାବୁଙ୍କ ସ୍ମୃତିଭରା କ୍ୟାଲେଣ୍ଡର ଇଂରାଜୀରେ ଛପାଇ ତାଙ୍କ ଜନ୍ମ ଶତବାର୍ଷିକୀରେ ଓଡ଼ିଆ ଲୋକଙ୍କୁ ଭେଟି ଦେବା ବିଜୁବାବୁଙ୍କୁ କିଭଳି ସମ୍ମାନ ବୁଝି ହେଉନାହିଁ । ଏଭଳି ନିଷ୍ପତ୍ତି ନେଇଥିବା ବାବୁମାନଙ୍କର ସାମାନ୍ୟତମ ଜ୍ଞାନ ଥିଲେ ସେମାନେ ଗରିବ, ଖଟିଖିଆ ରାଜ୍ୟର ଲୋକଙ୍କୁ ବିଜୁ ବାବୁଙ୍କ ଛୋଟ ସ୍ମାରକୀ ଭାବେ ଇଂରାଜୀ କ୍ୟାଲେଣ୍ଡର ଉପହାର ଦେବାକୁ ଯୋଜନା କରି ନ ଥାଆନ୍ତେ ।
ଆଉ ଏଥିପାଇଁ ଖର୍ଚ୍ଚ ହେଉଥିବା ମୋଟା ଟଙ୍କା କଥା ଭାବିଲେ ମଳିମୁଣ୍ଡିଆ ଗରିବଙ୍କ ମୁଣ୍ଡରୁ ସବୁ ମଳି ଚମଡ଼ା ସହ ଉଠିଯିବାଟା ଥୟ । ଆମ ହିସାବରେ ଖଣ୍ଡେ ଅଏଲ୍ ପ୍ରିଂଟ୍ କ୍ୟାଲେଣ୍ଡର ପାଇଁ ଅତି କମ୍ ରେ ଖର୍ଚ୍ଚ ହେଉଥିବ ୨୫ ଟଙ୍କା । ୫୦ ଲକ୍ଷ ଛପାଇଲେ ଖର୍ଚ୍ଚ ହେବ ୧୨ କୋଟି ୫୦ ଲକ୍ଷ ଟଙ୍କା । ବିଜୁ ବାବୁଙ୍କ ସ୍ମୃତି ପାଇଁ ସରକାରୀ ତହବିଲରୁ ଏତେ ଟଙ୍କା ଖର୍ଚ୍ଚ ହେବା ଠିକ୍ କି ଭୁଲ୍ ତାହା ତ ଅଲଗା ପାଠ । ମାତ୍ର ଯଦି ସବୁ ପରିବାରଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେଉଛି ତେବେ ତାହା ପାଣିରେ ନ ପଡୁ । ଅନ୍ତତଃ ଇଂରାଜୀ କ୍ୟାଲେଣ୍ଡରକୁ ଗାଁର ମଳିମୁଣ୍ଡିଆ ଲୋକେ ଠୁଙ୍ଗା କରନ୍ତୁ ନାହିଁ । ସମୟ ଅଛି ସୁଧାରି ନେଲେ ଭଲ ହୁଅନ୍ତା ।