ଭୁବନେଶ୍ୱର: ଦଳ ମୁଖିଆଙ୍କୁ ଦେଖାଦେଖି ଏବେ କିଛି ବିଜେଡ଼ି ନେତ୍ରୀଙ୍କୁ ସେଲଫି ନିଶା ଘାରିଛି । ତେବେ ପାର୍ଥକ୍ୟ ଏତିକି ଯେ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କୁ ସେଲଫି ଦେଉଥିବା ବେଳେ ତାଙ୍କ ଦଳର ନେତ୍ରୀ ସେଲଫି ନେଉଛନ୍ତି । ପୁଣି ସାଧାରଣ ଲୋକଙ୍କ ସହ ନୁହେଁ ନିଜ ଦଳର ବିଧାୟକ ଓ ନେତ୍ରୀଙ୍କ ସହ ସେଲଫି । ଏଭଳି ସେଲଫି ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ବିଜେଡ଼ି ମାର୍କା ସୁଲତା ଦେଓ ।
ଗତ ୧୨ ତାରିଖରେ ଖଣ୍ଡପଡ଼ା ବ୍ଲକ ଆଗରେ ବିଜେଡ଼ି କୃଷକ ସାମ୍ମୁଖ୍ୟ କରିଥିଲା ଜନ ଆନ୍ଦୋଳନ । ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା । ସେଠାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ ସୁଲତା ଦେଓ । ତେବେ ସୁଲତା ଆନ୍ଦୋଳନର ଗମ୍ଭୀରତାରେ ମନ ନ ଦେଇ ଧାରଣାସ୍ଥଳରେ ନିଜ ମୋବାଇଲ୍ ଯୋଗେ ସେଲଫିର ମଜା ନେଉଥିଲେ । କେତେବେଳେ ବିଧାୟକଙ୍କ ସହ ତ ଆଉ କେତେବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ । ଧାରଣାସ୍ଥଳରେ ସୁଲତାଙ୍କର ଏଭଳି ହାବଭାବ ସେଠାରେ ଉପସ୍ଥିତ ବରିଷ୍ଠ ନେତାଙ୍କୁ ଅତିଷ୍ଠ କରିଥିଲା । ଦଳର ଅନେକ କର୍ମୀ ମଧ୍ୟ ଏହାକୁ ଟାହିଟାପରା କରିଥିଲେ । ମୋଟାମୋଟି ଦଳର ଜଣେ ମାନ୍ୟଗଣ୍ୟ ମହିଳା ନେତ୍ରୀଙ୍କ ଏଭଳି କଲେଜ ପିଲା ଆଚରଣକୁ କେହି ପସନ୍ଦ କରି ନ ଥିଲେ । ତେବେ ସୁଲତାଙ୍କର ସେଲଫି ନିଶା ସେତିକିରେ ସରିଲା ନାହିଁ । ସୋସିଆଲ୍ ମିଡ଼ିଆରେ ସେଇ ଫଟୋ ଛାଡ଼ିବାକୁ ସେ ଭୁଲି ନ ଥିଲେ । ସେହି ଫଟୋ ତାଙ୍କୁ କିଭଳି ଗର୍ବିତ କରିଛି ଆମକୁ ଜଣାନାହିଁ, ମାତ୍ର ଅନେକ ବ୍ୟକ୍ତି ଏହାକୁ ସମାଲୋଚନା କରି କମେଣ୍ଟ ଦେଇଛନ୍ତି ।
ବିଜେଡ଼ି ରାଜନୀତିରେ ଆଦୌ ଚର୍ଚ୍ଚାରେ ନ ଥିବା ସୁଲତା ଟିଭିରେ ନିଜର ମୁହଁ ଦେଖାଇ ନିଜକୁ ଜବରଦସ୍ତ ଚର୍ଚ୍ଚିତ କରାଇଛନ୍ତି । ଦଳର ମୁଖପାତ୍ର ନ ହୋଇ ମଧ୍ୟ ଟିଭିରେ ନିଜକୁ ବିଜେଡ଼ି ତୁଣ୍ଡ ବନାଇଛନ୍ତି । ଟିଭିବାଲା ବି ବିଜେଡ଼ିର କାହାକୁ ନ ପାଇଲେ ଶେଷରେ ସୁଲତା ଦେଓଙ୍କୁ ଡାକି କାମ ଚଳାଇ ଦେଉଛନ୍ତି । ସୁଲତା ବି କାହାରିକୁ ନିରାଶ ନ କରି ଠିକ୍ ସମୟରେ ଷ୍ଟୁଡ଼ିଓରେ ପହଞ୍ଚି ଯାଉଥିବାରୁ ଟିଭିବାଲାଙ୍କର ଟେନସନ୍ ନାହିଁ । ସେ ଯାହା ହେଉ, ଟିଭିରେ ମୁହଁ ଦେଖାଇ ଦେଖାଇ ଆଜିକାଲି ସୁଲତା ବିଜେଡ଼ିର ସେଲିବ୍ରିଟ୍ ପାଲଟିଛନ୍ତି । ତେବେ ଏହି ସେଲିବ୍ରିଟ୍ ଦଳର ଏକ ଜନ ଆନ୍ଦୋଳନସ୍ଥଳରେ ବିଧାୟକଙ୍କ ସହ ସେଲଫି ଉଠାଇବା ସାଧାରଣରେ ଯେତିକି କୌତୁହଳ ସୃଷ୍ଟି କରିଛି ସେତିକି ସମାଲୋଚନା ଗୋଟାଇଛି ।