ଭୁବନେଶ୍ୱର: ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ଓ ପୁଅ ସୁମିତ୍ ଆଜି ବିଜେଡ଼ିରେ ମିଶିଛନ୍ତି । ଉପନିର୍ବାଚନରେ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିପାରେ । ମିଶ୍ରଣ ପର୍ବ ଅବସରରେ ରୀତା ନିଜ ଆଡୁ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ହୋଇପାରେ, ଏହି ସର୍ତ୍ତରେ ବିଜେଡ଼ି ତାଙ୍କୁ ଦଳରେ ମିଶାଇଛି । ସୁବଳଙ୍କ ମୃତ୍ୟୁର ଅନୁକମ୍ପା ଭୋଟ ହାସଲ ଉଦ୍ୟମରେ ବିଜେଡ଼ି ତାଙ୍କ ପରିବାରକୁ ମନେଇ କଂଗ୍ରେସ ଓ ବିଜେପିଠୁ ବାଜିମାତ୍ କରିଦେଇଛି । ଖାସ୍ କରି ବିଜେପି ଅକ୍ତିଆରକୁ ଆସୁଥିବା କଂଗ୍ରେସ ଭୋଟରେ ଚେକ୍ ଲଗାଇବାକୁ ଚେଷ୍ଟା କରିଛି । ତେବେ ବିଜେଡ଼ି ଏହି ଉଦ୍ୟମରେ ସଫଳ ହେବ ତ ? ସୁବଳଙ୍କ କଂଗ୍ରେସ ଭୋଟକୁ ତାଙ୍କ ଅନ୍ତେ ତାଙ୍କ ପରିବାର ମାଧ୍ୟମରେ ହାସଲ କରିପାରିବ ତ ? ରାଜନୈତିକ ମହଲରେ ଆଜି ସଭିଁଙ୍କ ମନରେ ଏହି ପ୍ରଶ୍ନ ।
ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍ର ୪୫୮ ଖଣ୍ଡ ଭୋଟରେ ହରାଇଥିଲେ । ୨୦୦୯ ନିର୍ବାଚନରେ ସୁବଳ ବିଜେଡ଼ିର ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାୟ ୯ ହଜାର ଭୋଟରେ ହରାଇଥିଲେ । ୨୦୦୪ରେ ବିଜେଡ଼ିର ଅଶୋକ ପାଣିଗ୍ରାହୀଙ୍କୁ ୨୨ ହଜାର ଭୋଟରେ ହରାଇଥିଲେ । ତିନିଟିଯାକ ନିର୍ବାଚନରେ ସୁବଳଙ୍କ ପାଇଁ ସଂଖ୍ୟାଗରିଷ୍ଠ ଜନସମର୍ଥନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଓ କଂଗ୍ରେସର ପତିଆରା କ୍ରମାଗତ ହ୍ରାସ୍ ପାଉଥିବା ଭୋଟ ଫଳାଫଳ କହୁଛି । ଗତ ନିର୍ବାଚନରେ ସୁବଳଙ୍କ ବିଜୟପଥକୁ ସୁଗମ କରିଥିଲା ବିଜେଡ଼ିର ଅର୍ନ୍ତଦ୍ୱନ୍ଦ । ଡେପୁଟେଡ଼ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମର୍ଥନ କରିପାରି ନଥିଲେ ଆଶାୟୀ ପ୍ରଭାତ ଆଦିତ୍ୟ ଓ ତାଙ୍କ ଗୋଷ୍ଠୀ । ଖୋଲାଖୋଲି ପ୍ରସନ୍ନଙ୍କୁ ବିରୋଧ କରିନଥିଲେ ମଧ୍ୟ ବିଜେଡ଼ି ପାଇଁ ମନ ଦେଇ ନ ଥିଲେ । ସେପଟେ ଅନ୍ୟତମ ଦାବିଦାର ଅଶୋକ ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ି ୧୮,୨୩୨ ଖଣ୍ଡ ଭୋଟ ପାଇଥିଲେ । ସୁତରାଂ ଗତ ନିର୍ବାଚନରେ ବିଜେଡ଼ି ଭୋଟକୁ ଖାଇଦେଇଥିଲା ଦଳର ଅସନ୍ତୁଷ୍ଟ ମୁଣ୍ଡ ।
ଏବେ ସୁବଳଙ୍କ ମୃତ୍ୟୁରେ ହେଉଥିବା ଉପନିର୍ବାଚନରେ ପ୍ରଭାତ ଆଦିତ୍ୟ ମିଶ୍ର ବିଜେଡ଼ି ଟିକେଟ ପାଇଁ ଆଶାୟୀ ଥିବା ବେଳେ ସୁବଳଙ୍କ ପତ୍ନୀଙ୍କୁ ବିଜେଡ଼ି ପ୍ରାର୍ଥୀ କରୁଥିବା ନିଶ୍ଚିତ ଜାଣି ବିଦ୍ରୋହୀ ହୋଇପଡ଼ିଛନ୍ତି । ପ୍ରଣବ ପ୍ରକାଶ(ବବି) ଦାସଙ୍କ ଗୋଟିଚାଳନାରେ ସୁଶାନ୍ତ ସିଂଙ୍କ ଖେଳକୁ ପ୍ରଭାତ ଓ ତାଙ୍କ ଭୁବନେଶ୍ୱରିଆ ଗଡ଼ଫାଦର୍ ଗ୍ରହଣ କରିନାହାନ୍ତି । ବବି-ସୁଶାନ୍ତଙ୍କ ଯୋଡିକୁ ପାନେ ଦେବା ପାଇଁ ସେମାନେ ଯୋଜନା କରୁଛନ୍ତି । ଶେଷ ଖବର ଅନୁଯାୟୀ, ପ୍ରଭାତ ଆଦିତ୍ୟ ବିଜେପିରେ ମିଶୁଥିବା ତାଙ୍କ ଗୋଷ୍ଠୀରୁ ସୂଚନା ମିଳିଛି । ଗୋଟେ ପଟେ ବିଜେଡ଼ିରୁ ନିଲମ୍ବିତ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିବା ଏକରକମ ନିଶ୍ଚିତ କୁହାଯାଉଥିଲା ବେଳେ ବିଜେପିକୁ ପ୍ରଭାତଙ୍କ ସମ୍ଭାବ୍ୟ ସମର୍ଥନ ବିଜେଡ଼ିକୁ ଅକଳରେ ପକାଇବା କୁହାଯାଉଛି ।
ସେପଟେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପୁରର ୭ ଟି ଜିଲ୍ଲା ପରିଷଦ ଜୋନ୍ ରୁ ବିଜେପି ୬ ଟିରେ ବିଜୟ ହୋଇ ନିଜର ସ୍ଥିତି ସୁଦୃଢ଼ କରିଛି । କଂଗ୍ରେସ ଓ ବିଜେଡ଼ିର ସ୍ଥିତି ଦୋହଲିଯାଇଛି । ଏହି ନିର୍ବାଚନରେ କଂଗ୍ରେସର ଭୋଟକୁ ବିଜେପି ନିଜ ସପକ୍ଷରେ ନେବାରେ ସମର୍ଥ ହୋଇଛି । ଏହାକୁ ବିଜେପିର ଭୋଟକିଣା ବୋଲି ଅଭିଯୋଗ ହୋଇଥିବାରୁ ଉପନିର୍ବାଚନରେ ତାହାର କ୍ଲାଇମାକ୍ସ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । ଏହି ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସବୁ ବଳ କୌଶଳ ଖଟାଇବା ଯୋଜନା କରିସାରିଲାଣି । ଖୋଦ୍ ଅମିତ୍ ଶାହା ଏହା ଉପରେ ନଜର ପକେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଶିବିର ବିଜେପୁରକୁ କବଜା କରିବାର କୌଣସି ବାଟ ହାତଛଡ଼ା କରିବେ ନାହିଁ ବୋଲି ସୂଚେଇ ଦେଲେଣି । ଏହି ପରିପ୍ରେକ୍ଷୀରେ ବିଜେପିକୁ ମୁକାବିଲା କରିବା ବିଜେଡ଼ି ପାଇଁ ମସ୍ତବଡ଼ ଚାଲେଂଜ ଆଣିଛି । ସୁବଳଙ୍କ ପତ୍ନୀଙ୍କୁ ବିଜେଡ଼ିକୁ ଆଣି ଅନୁକମ୍ପା ଭୋଟ ହାସଲର ଲକ୍ଷ୍ୟ ରଖିଥିଲେ ମଧ୍ୟ ଦଳୀୟ ଅର୍ନ୍ତଦ୍ୱନ୍ଦ ନେତୃତ୍ୱକୁ ଚିନ୍ତାରେ ପକାଇଛି ।