ଭୁବନେଶ୍ୱର: ଏକଦା ନିଜର ସୁପ୍ରିମ୍ ବସ୍ ଙ୍କୁ ଆଜି ଭିନ୍ନ ରୂପରେ ଭେଟିଛନ୍ତି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା ଏବଂ ବିଜେପି ଟିକେଟରେ ଭୁବନେଶ୍ୱର ଆସନରୁ ସାଂସଦ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଗତକାଲି ଶ୍ରୀମତୀ ଷଡ଼ଙ୍ଗୀ ସମୟ ମାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାହାକୁ ଗ୍ରହଣ କରି ଆଜି ଅପରାହ୍ନ ୫.୩୦କୁ ସାକ୍ଷାତ ସମୟ ଧାର୍ଯ୍ୟ କରିଥିଲେ । ନିର୍ଦ୍ଧାରିତ ସମୟରେ ଶ୍ରୀମତୀ ଷଡ଼ଙ୍ଗୀ ଯାଇ ଭେଟିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କୁ ମାତ୍ର ୪ ମିନିଟ୍ ସମୟ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଂକ୍ଷିପ୍ତ ସାକ୍ଷାତକୁ ସୌଜନ୍ୟମୂଳକ କହିଛନ୍ତି ଅପରାଜିତା । ତୃତୀୟ ମହଲାରୁ ଫେରିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ସାମ୍ବାଦିକ ପ୍ରଶ୍ନର ଜବାବରେ କହିଥିଲେ, ନିର୍ବାଚନ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ । ଉଭୟଙ୍କ ମଧ୍ୟରେ ସୁନ୍ଦର ଓ ସକରାତ୍ମକ ଆଲୋଚନା ହେଲା । ସାମ୍ବାଦିକମାନଙ୍କ ମୁହଁରେ ରାଜନୈତିକ ଛୁଙ୍କର ପ୍ରଶ୍ନକୁ ଏଡ଼ାଇ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ବିକାଶର କୌଣସି ଦଳ ନ ଥାଏ । ପରଷ୍ପର ମିଶି କାମ କରିବାକୁ ହୁଏ ।
ଆଇଏଏସ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ଅପରାଜିତା ଏଥର ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟରେ ଜିତିଛନ୍ତି । ନବୀନ ପଟ୍ଟନାୟକଙ୍କ ଅଧୀନରେ ପାଖାପାଖି ଦେଢ଼ ଦଶନ୍ଧୀ ଧରି କାର୍ଯ୍ୟ କରିଥିବା ଏହି ବ୍ୟୁରୋକ୍ରାଟ୍ ଚାକିରି ଛାଡ଼ି ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟମାନଙ୍କ ଭଳି କଟୁ ସମାଲୋଚନା କରି ନ ଥିଲେ ମଧ୍ୟ ତାଙ୍କର କାର୍ଯ୍ୟଧାରା ଓ ବିଜେଡ଼ି ଶାସନକୁ ନାପସନ୍ଦ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଆଦର୍ଶ ମାନି ଓଡ଼ିଶାରୁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ହଟାଇବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ।
ତେବେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ତୃତୀୟ ମହଲା ଆସିଥିଲେ ଅପରାଜିତା । ଜଣେ ନେତ୍ରୀ ଏବଂ ବିରୋଧୀ ପ୍ରତିପକ୍ଷର ସାଂସଦ ଭାବେ ଏହି ପୂର୍ବତନ ବ୍ୟୁରୋକ୍ରାଟ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚର୍ଚ୍ଚାର ବିଷୟ ହୋଇଛି ।