ନୂଆଦିଲ୍ଲୀ: ଦେଶ ମାତୃକାର ସୁରକ୍ଷା ପାଇଁ ୨୦ ଯବାନ ସହିଦ୍ ହୋଇଛନ୍ତି ସତ, କିନ୍ତୁ ଆମ ସୀମା ସୁରକ୍ଷିତ ରହିଛି । କେହି ଗୋଟେ ବି ଚାଇନା ସେନା ଆମ ମାଟିରେ ପାଦ ଥାପିବାକୁ ଦୁଃସାହସ କରିନାହାନ୍ତି । ଗଲୱାନରେ ଚୀନ୍ ସେନାକୁ ଭଲ ରକମ ସବକ୍ ଶିଖାଇଛି ଭାରତୀୟ ସେନା । ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ୨୦ ଭାରତୀୟ ଯବାନ ସହିଦ ହେବାର ୩ ଦିନ ପରେ ଭିର୍ଚୁଆଲ୍ ସର୍ବଦଳୀୟ ବୈଠକରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନାକୁ ଫ୍ରି ହାଣ୍ଡ ଦିଆଯାଇଛି, ସେପଟେ ଚୀନକୁ ନାମ ଦେବାକୁ ଭାରତ ସବୁ ପ୍ରକାର କୂଟନୈତିକ ଶୈଳୀ ଆପଣାଇଛି । ଭାରତ ଶାନ୍ତି ଏବଂ ବନ୍ଧୁତାରେ ବିଶ୍ୱାସ କରେ ସତ, କିନ୍ତୁ ତା ମାନେ ନୁହେଁ ଦେଶର ସାର୍ବଭୌମତ୍ୱକୁ ଜଳାଞ୍ଜଳି ଦିଆଯିବ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପରୋକ୍ଷରେ ଚୀନକୁ ଏମିତି ଚେତାବନୀ ଦେଇଛନ୍ତି ।
ସର୍ବଦଳୀୟ ବୈଠକ ଆରମ୍ଭରୁ ସରକାରଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସୀମାରେ ଚୀନ ସେନାର ନଖରାମି ମେ ୫ ତାରିଖରେ ଜଣାପଡ଼ିଲା । ପ୍ରକୃତରେ ଏହା ମେ ୫ ନା ତା ଆଗରୁ ? ମେ ୫ରୁ ଜୁନ୍ ୬… ଏତେ ସମୟ ଧରି ସରକାର କାହିଁକି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିଲେ ? ଏବେ ବି ଭଲରକମ ପରଦା ହଟାଉ ନାହାନ୍ତି । ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ସୀମାର ପ୍ରକୃତ ଚିତ୍ର ସରକାର, ଦେଶବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ସୋନିଆ ଦାବି କରିଥିଲେ । ଡ୍ରାଗନ ସେନାର ଅନୁପ୍ରବେଶ ନେଇ ସାମରିକ ଗୁଇନ୍ଦା ବିଫଳ ହେଲା କି ? ସୀମାର ସ୍ଥିତି ନେଇ ସାଟେଲାଇଟ୍ ଇମେଜ୍ ଉପରେ ସରକାର ନଜର ରଖି ନଥିଲେ କି ? କଂଗ୍ରେସ ଅଧ୍ୟକ୍ଷା ଏମିତି ଅନେକ ପ୍ରଶ୍ନ ପଚାରିଥିବା ବେଳେ ଗୁଇନ୍ଦା ବିଫଳତାକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଶେଷରେ ଦେଶର ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ କଂଗ୍ରେସର ସମର୍ଥନ ଥିବା କହିଛନ୍ତି ସୋନିଆ ଗାନ୍ଧି ।
ଭାରତର ସାମୁହିକ ଶକ୍ତି ଆଗରେ ଚୀନ ହାରିବ । ଏଥିପାଇଁ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧି ହୋଇ ସାମୁହିକ ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜେଡିୟୁ, ଶିବସେନା, ବିଜେଡି, ଶିରୋମଣି ଅକାଳୀ ଦଳ, ଏନସିପି, ଡିଏମକେ, ୱାଇଏସଆର କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଏନପିପି, ସିକିମ୍ କ୍ରାନ୍ତୀକାରୀ ମୋର୍ଚ୍ଚା ଆଦି ଦଳର ପ୍ରତିନିଧିମାନେ, ସରକାରଙ୍କୁ ନିସର୍ତ୍ତ ସମର୍ଥନ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।
ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିଥିବା ବେଳେ ଲାଇନ୍ ଅଫ୍ କଂଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଲଦାଖ ସୀମାନ୍ତରେ ଉଭୟ ଶତ୍ରୁ ରାଷ୍ଟ୍ର ଏଭଳି ନଖରାମି କରିଛନ୍ତି । ତେବେ LAC ସମସ୍ୟା ସହ LOC ସମସ୍ୟାର ସେଭଳି କିଛି ସାମଞ୍ଜସ୍ୟ ନଥିବା କହିଛନ୍ତି ସେନାର ଜେନେରାଲ୍ ଅଫିସର୍ କମାଣ୍ଡିଂ, ଲେଫ୍ଟନାଣ୍ଟ ଜେନେରାଲ ବି. ଏସ୍. ରାଜୁ । ଲାଇନ୍ ଅଫ୍ କଂଟ୍ରୋଲରେ ଯେତେବେଳେ ସୀମାନ୍ତ ଶାନ୍ତ ହୁଏ, ଆତଙ୍କବାଦୀଙ୍କୁ ଢାଲ କରି ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରେ ବୋଲି ସେ କହିଛନ୍ତି । ତେବେ ଏଥିପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସଜାଗ ରହିଛି ।
୨୦ ଯବାନ ସହିଦ୍ ହେବା ପରେ ଚୀନ ସୀମାକୁ ଲାଗିକରି ଥିବା ୩୫ ଶହ କିଲୋମିଟର ସୀମାନ୍ତରେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଆର. କେ. ଏସ୍. ଭଦୌରିଆ, ଦୁଇ ଦିନିଆ ଲେହ ଏବଂ ଶ୍ରୀନଗର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପଟେ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭିର୍ଚୁଆଲ୍ ସର୍ବଦଳୀୟ ବୈଠକ କରିଛନ୍ତି ସତ, କିନ୍ତୁ ଦେଶର ସାର୍ବଭୌମତ୍ୱ ସମ୍ପର୍କିତ ସର୍ବଦଳୀୟ ବୈଠକକୁ ଆମ୍ ଆଦମୀ ପାର୍ଟି କିମ୍ବା ଆରଜେଡିକୁ କାହିଁକି ଡକାଗଲା ନାହିଁ, ତାହା ବୁଝାପଡୁନି ।