ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓରଟେଲ୍ ସଂସ୍ଥା ଲୋକଙ୍କୁ କେବୁଲ୍ ସେବା ଠିକ୍ ରେ ଯୋଗାଉନାହିଁ । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଧମକେଇ ଚମକେଇ ସଂସ୍ଥା କର୍ମଚାରୀମାନେ ମାସିକିଆ ବିଲ୍ ଆଦାୟ କରୁଛନ୍ତି । ଜଣେ ଅଧେ ଗ୍ରାହକ ନୁହଁନ୍ତି, ସାରା ରାଜ୍ୟର ଲକ୍ଷ ଲକ୍ଷ ଗ୍ରାହକ ଏହି ଦୁର୍ଦ୍ଦଶା ବର୍ଷ ବର୍ଷ ଧରି ଅଙ୍ଗେ ନିଭଉଛନ୍ତି । ଶେଷରେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଏହି ଦୁର୍ଦ୍ଦଶା ଭୋଗିଛନ୍ତି । ଆଉ ସରକାରଙ୍କ ପକ୍ଷରୁ ଓରଟେଲ୍ ସଂସ୍ଥାକୁ ଚିଠି ଲେଖି କଡ଼ା ଅସନ୍ତୋଷବ୍ୟକ୍ତ କରିବା ସହ କନେକ୍ସନ୍ କାଟି ସର୍ଭିସ୍ ଦେଇ ନ ଥିବା ସମୟର ପଇସା ଫେରାଇ ଦେବାକୁ ହୁକୁମ୍ ଜାରି କରିଛନ୍ତି ।
ଲକ୍ଷ ଲକ୍ଷ ଓରଟେଲ୍ ଉପଭୋକ୍ତାଙ୍କ ଏଭଳି ଅବସ୍ଥା ଯେ ସରକାରୀ ଚିଠି ପ୍ରମାଣ କରୁଛି ତାହା ବୁଝିବାର ଆବଶ୍ୟକତା ନାହିଁ ।
ମାତ୍ର ସବୁଠାରୁ ନିର୍ଲ୍ଲଜର କଥା ସରକାରଙ୍କ ଏହି ଚିଠି ଗଣମାଧ୍ୟମ ହାତରେ ପଡ଼ିବା ପରେ ଓରଟେଲ୍ ସଂସ୍ଥା ପ୍ରସଙ୍ଗଟିକୁ ଲୋକଙ୍କ ସାମ୍ନାରୁ ଚପାଇଦେବାକୁ ଏକପ୍ରକାର ସମର୍ଥ ହୋଇଛି । ସଂସ୍ଥା ପକ୍ଷରୁ ପ୍ରମୁଖ ଗଣମାଧ୍ୟମଗୁଡ଼ିକୁ ଏମିତି ମ୍ୟାନେଜ୍ କରାଯାଇଛି ଯେ ସମ୍ବାଦଟି ଗାଏବ ହୋଇଯାଇଛି । ସତ୍ୟ, ନିର୍ଭିକ ଓ ବହୁଳ ପ୍ରଚାର/ପ୍ରସାରର ନାରା ଦେଉଥିବା ଗଣମାଧ୍ୟମଗୁଡ଼ିକ ଏହି ସମ୍ବାଦକୁ ଚପାଇଦେଇଛନ୍ତି । ଏହା ଯେତିକି ଲଜ୍ଜାଜନକ ସେତିକି ମାରାତ୍ମକ । ସାଧାରଣ ଜନତାଙ୍କ ଦୁର୍ଦ୍ଦଶାକୁ କବରଦେଇ କର୍ପୋରେଟ୍ ହାଉସ୍ ଗୁଡ଼ିକର ଏଭଳି କୁତ୍ସିତ ଓ ଭୟଙ୍କର ଖେଳ ଉଦ୍ବେଗର ବିଷୟ ପାଲଟିଛି ।
ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଦୀର୍ଘ ଦିନ ଧରି ଗଣମାଧ୍ୟମର ଶିରୋନାମା ପାଲଟିଛି । ଦଳଗତ ନିର୍ବିଶେଷରେ ସତ୍ୟର ଅନୁସନ୍ଧାନ ଗଣମାଧ୍ୟମର ଧର୍ମ ହୋଇଥିବାରୁ ଏଥିରେ କୌଣସି ଅସଙ୍ଗତି ନାହିଁ । ମାତ୍ର ଚିଟ୍ଫଣ୍ଡ ସଂସ୍ଥା ଭଳି ଓରଟେଲ୍ ସଂସ୍ଥାର କେଳେଙ୍କାରୀକୁ ବି ନଜରଅନ୍ଦାଜ କରିବା ଗଣମାଧ୍ୟମର ଧର୍ମ ନୁହେଁ । ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ପାୱାରଫୁଲ୍ ମିଡ଼ିଆ ହାଉସ୍ ଅଛି ବୋଲି ତାଙ୍କ ସଂସ୍ଥାର କାରନାମାକୁ ଜାତିଭାଇ ମିଳିମିଶି ଚପାଇଦେବେ ତାହା ସାଧାରଣ ଲୋକଙ୍କ ବିଶ୍ୱାସହାନୀ କରିବ ହିଁ କରିବ ।
ଖାଲି ଓରଟେଲ୍ ନୁହେଁ, କିଛି ଦିନ ତଳେ ଆମେ ପଣ୍ଡା କମ୍ପାନୀ ଇମ୍ଫାର ଟିକସ ଫାଙ୍କି ଉପରେ ତଥ୍ୟଭିତିକ ଖବର ଦେଇଥିଲୁ । ଚୌଦ୍ବାର ମୁନିସିପାଲିଟିକୁ ଇମଫା ପ୍ରାୟ ୫୦ ଲକ୍ଷ ଟଙ୍କାର ଲାଇସେନସ୍ ଫି କେମିତି ଫାଙ୍କି ଚାଲିଛି ତାହା ବି ପ୍ରକାଶ କରିଥିଲୁ । ଏଥିପୂର୍ବରୁ ଓରଟେଲ୍ କେବୁଲ୍ ସଂସ୍ଥା ଭୁବନେଶ୍ୱର ସହରରେ ଇଲେକ୍ଟ୍ରିକ୍ ପୋଲ୍ ସହାୟତାରେ କେବୁଲ୍ ବିଛାଇବା ପାଇଁ କିଭଳି ମାସକୁ ମାତ୍ର ୧୦ ହଜାର ଟଙ୍କା ଫି ଦେଉଛି ତାହାର ବି ସରକାରୀ ଚିଠି ଉପସ୍ଥାପନ କରିଥିଲୁ । ଏହିସବୁ କେଳେଙ୍କାରୀ ଖବର ଯେ ପ୍ରମୁଖ ଗଣମାଧ୍ୟମ ପାଖରେ ନାହିଁ ତାହା ନୁହେଁ, ମାତ୍ର ଜାତିଭାଇ ନ୍ୟାୟରେ ପ୍ରଭାବଶାଳୀ ବୈଜୟନ୍ତଙ୍କ ବିରୋଧରେ ଲେଖିବାକୁ ସେମାନଙ୍କ ସାହାସ ନାହିଁ ଅଥବା ବୈଜୟନ୍ତଙ୍କ ସଂସ୍ଥା ଦ୍ୱାରା ସେମାନେ କୌଣସି କାରଣରୁ ମ୍ୟାନେଜଡ୍ । କିଛି ପ୍ରମୁଖ ପେପର୍ ଧର୍ମକୁ ଆଖିଠାର ମାରି ଖବରଟିକୁ ଏମିତି ଦେଇଛନ୍ତି ଯେ ପାଠକ ତାକୁ ଖୋଜିପାଇବାକୁ ନୟାନ୍ତ ହେବେ । ଅର୍ଥାତ ଲୋକେ ଦୁର୍ଦ୍ଦଶା ଭୋଗନ୍ତୁ ପଛେ ସତ୍ୟକୁ ଚାପିବାରେ ପ୍ରମୁଖ ଗଣମାଧ୍ୟମ ସାହାସ କରିଛନ୍ତି ।
ନିକଟରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏକ ଷ୍ଟିଙ୍ଗ୍ କ୍ଲିପିଂ ଏକ ଟିଭିରେ ଦେଖିବାକୁ ମିଳିଥିଲା । କ୍ଲିପିଂରେ ସଞ୍ଜୟ ନିଜ ସହଯୋଗୀମାନଙ୍କ ସହ ବସି ଆଳାପ କରୁଛନ୍ତି ଏବଂ କହୁଛନ୍ତି ସାମ୍ବାଦିକମାନେ ଚିଟ୍ଫଣ୍ଡରେ ସଂପୃକ୍ତ ଥିବାରୁ ଆମେ ଶାସକ ଦଳର ନେତା, ମନ୍ତ୍ରୀ ବଞ୍ଚିଯାଇଛୁ । କ୍ଲିପିଂଟି ସତ ହୋଇଥିଲେ ସଞ୍ଜୟ ଯେ କିଛି ଭୁଲ୍ କହିନାହାନ୍ତି ତାହା ଓରଟେଲ୍ ଖବର ଚପାଇବା ଘଟଣା ସ୍ପଷ୍ଟ କରୁଛି । ତୁ ତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟରେ କେହି କାହା ଦୋଷ ଧରିବାନି । ତେଣିକି ସାଧାରଣ ଲୋକ ମରନ୍ତୁ ପଛେ । ଏହାଠାରୁ ଓଡ଼ିଶା ଗଣମାଧ୍ୟମ ପାଇଁ ଆଉ ଲଜ୍ଜାଜନକ କିଛି ହୋଇ ନ ପାରେ ।