– ବିନା ଭକ୍ତରେ ହୋଇପାରିବ ସ୍ନାନଯାତ୍ରା, ରଥଯାତ୍ରା
– ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
– ସ୍ନାନଯାତ୍ରା ସମୟ ନିର୍ଘଣ୍ଟକୁ ଅନୁମୋଦନ
ଭୁବନେଶ୍ୱର: ଶ୍ରୀମନ୍ଦିର ପରମ୍ପରା ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ସେହିଭଳି ସରକାରଙ୍କ କୋଭିଡ୍ ନିୟମକୁ ବି ଅମାନ୍ୟ କରାଯାଇପାରିବ ନାହିଁ । ଏହି ଦୃଷ୍ଟିରୁ ବଡ଼ଦାଣ୍ଡରେ ଜନ ସମାଗମକୁ ଏଡାଇ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ । ସରକାର ଅନୁମତି ଦେଲେ ବିନା ଭକ୍ତରେ ରଥଯାତ୍ରା କରିବାରେ କିଛି ଅସୁବିଧା ନାହିଁ । ବିନା ଭକ୍ତରେ ସ୍ନାନଯାତ୍ରା ବି କରାଯିବ ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିର୍ଣ୍ଣୟ ହୋଇଛି । ବୈଠକ ଶେଷରେ ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି ।
ଗଜପତି କହିଛନ୍ତି, ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା କମିଟିର ମତ ଆସିଲା । ୮/୧୦ ଲକ୍ଷ ଲୋକ ଏକାଠି ହେଲେ କରୋନା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ । ତେଣୁ ଭକ୍ତଙ୍କ ବିନା ସମାଗମରେ ରଥଯାତ୍ରା ସମ୍ପନ୍ନ କରିବାକୁ କୁହାଗଲା । ଦାୟିତ୍ୱରେ ଥିବା ଅଧିକାରୀ, ପୁଲିସ ଓ ସେବାୟତଙ୍କ ଦ୍ୱାରା ରଥଯାତ୍ରା କରିବାରେ ଅସୁବିଧା ନାହିଁ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହୋଇପାରିବ ।
ସେହିଭଳି ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରାଯିବ । ସ୍ନାନଯାତ୍ରା ଶ୍ରୀମନ୍ଦିର ପରିସରରେ ହେଉଥିବାରୁ ସ୍ନାନଯାତ୍ରା ହେବ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ତେବେ ଭକ୍ତ ସମାଗମ ବନ୍ଦ ଯୋଗୁଁ ସାହାଣାମେଲା ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରାରେ କୋଭିଡ୍ ନିୟମକୁ ସେବକମାନେ ପାଳନ କରିବେ । ସ୍ନାନଯାତ୍ରା ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି । ସାରା ଦୁନିଆର ଲୋକ ଏହାକୁ ଟିଭିରେ ଯେମିତି ଦେଖିପାରିବେ ସେମାନେ ତାହାର ବ୍ୟବସ୍ଥା କରିବେ ।
ଗଜପତି ସ୍ପଷ୍ଟ କରିଛନ୍ତି ଯେ କରୋନା କଟକଣା ଦୃଷ୍ଟିରୁ କୌଣସି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯାଇପାରିବ ନାହିଁ । ସାଧାରଣ ଭକ୍ତଙ୍କ ପାଇଁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । କାରଣ ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ହେବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ ।