ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଜେରୋ ବିବାଦରେ ଫସିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅମାପ ସମ୍ପତ୍ତି ଉପରୁ ଏବେ ପର୍ଦ୍ଦା ହଟୁଛି । ରାଜନୀତିକୁ ଆସିବା ପୂର୍ବରୁ ସଞ୍ଜୟ ପ୍ରଥମେ ବସ୍ ଏବଂ ପରେ ବିଲଡର ବ୍ୟବସାୟ କରୁଥିଲେ । ପରେ ପରେ ସେ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ । ଏହି ସମୟରେ ବିଭିନ୍ନ ବ୍ୟାଙ୍କ ଓ ଅର୍ଥଲଗାଣକାରୀ ସଂସ୍ଥାରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଋଣ କରିଥିଲେ । ୨୦୦୪ରୁ ୨୦୦୯ ମସିହା ଭିତରେ ସେ ଆହ୍ଲାବାଦ ବ୍ୟାଙ୍କରୁ ୮ ଲକ୍ଷ ୯୮ ହଜାର ୬୧୫ ଟଙ୍କା, ସେହି ଆହ୍ଲାବାଦ ବ୍ୟାଙ୍କର ୨ ଲକ୍ଷ ୭୬ ହଜାର ୧୦ ଟଙ୍କାର ଆଉ ଏକ ଋଣ, ଓଏସ୍ଏଫସିରୁ ୧୬ ଲକ୍ଷ ୭୯ ହଜାର ୮୨ ଟଙ୍କା, ସେହି ଓଏସ୍ଏଫସିରୁ ୫ ଲକ୍ଷ ୯୩ ହଜାର ୮୭୨ ଟଙ୍କାର ଅନ୍ୟ ଏକ ଋଣ ନେଇଥିଲେ । ଏହାବ୍ୟତୀତ ସିଟି ଫାଇନାନସ୍ରୁ ୧୩ ହଜାର ଟଙ୍କା ଋଣ ଆଣି ଏକ ବଜାଜ ପଲସର୍ କିଣିଥିଲେ ସଞ୍ଜୟ । ଏହି ସମୟ ଭିତରେ ତାଙ୍କର ଆଉ ଏକ ଲାଇବେଲିଟି ଥିଲା ସେସ୍କୋ ବିଲ୍ । ୮୧ ହଜାର ୭୭୫ ଟଙ୍କାର ବକେୟା ବିଲ୍ ପଡ଼ିଥିଲା ସଞ୍ଜୟଙ୍କ ଉପରେ ।
ମାତ୍ର ବିଗତ କେଇ ବର୍ଷ ଭିତରେ ତାଙ୍କର ସମ୍ପତ୍ତି ଟେରା କଲାଭଳି । ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ରହିଛି ଛଅ ଛଅଟି ସଂସ୍ଥା । ୨୦୦୯ ମସିହାରେ ଇଡ଼କୋଠାରୁ ଭୁବନେଶ୍ୱରର ଇନଫୋସିସ୍ ଅଞ୍ଚଳରେ ପ୍ରାୟ ୨ ଏକର ଜାଗା ଦର୍ଜ ହୋଇଛି ସଞ୍ଜୟଙ୍କ ଖାତାରେ । ୨୦୦୯ ମସିହାରେ ନିଜର ଟିମ୍ ମିଡ଼ିଆ ଆଣ୍ଡ ପ୍ରାଇଭେଟ୍ ହସ୍ପିଟିଲାଟି ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ନାଁରେ ସଞ୍ଜୟ ଇଡ଼କୋଠାରୁ ୫୦୫ ଡିସିମିଲ୍ ଜାଗା ହାସଲ କରିଥିଲେ ଯାହାର ପ୍ଲଟ ନମ୍ବର ୭/୧ ଏବଂ ୭/୬ । ଏହା ପୂର୍ବରୁ ଇଡ଼କୋରୁ ୧ ଏକର ୫୦୦ ଡିସିମିଲର ୭/ ୭ ପ୍ଲଟକୁ ସଂସ୍ଥା ନାଁରେ ନେଇଥିଲେ ସଞ୍ଜୟ । ଉଦ୍ଦେଶ୍ୟ ଥିଲା ଖବର କାଗଜ ପ୍ରକାଶନ । ଚିଟ୍ଫଣ୍ଡ ମୋହରମରା ସର୍ବସାଧାରଣ ଖବରକାଗଜଟିକୁ କିଣି ସେ ଏବେ ସହି ଜାଗାରେ ଚଳାଉଛନ୍ତି ।
ସଞ୍ଜୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଥିଲା ବେଳେ କୋଳଥିଆଠାରେ ହାଉସିଂ ବୋର୍ଡର ଏକ ପ୍ଲଟ୍ ନିଜ ସଳା ସତ୍ୟପ୍ରିୟ ଜୟସିଂଙ୍କ ନାଁରେ ପକାଇଥିଲେ । ୨୩.୧୧.୨୦୧୦ ରେ ଏହା ଦଖଲକୁ ଆସିଥିଲା । ଏବେ ସେଠାରେ ଛିଡ଼ା ହୋଇଛି ସୁଦୃଶ୍ୟ ଅଟ୍ଟାଳିକା ଯାହାର ମୂଲ୍ୟ ୧୦ କୋଟିରୁ କମ୍ ହେବନି । ଏହିଠାରେ କାଗଜପତ୍ରରେ ଚାଲିଛି ସଞ୍ଜୟଙ୍କ ଛଅ ଛଅଟି କମ୍ପାନୀ ଅଫିସ୍ । ଏଥିସହ ଖାରବେଳନଗର ଏଲ-୩/୨ ପ୍ଲଟ ଉପରେ ସଞ୍ଜୟଙ୍କର ନିଜସ୍ୱ ଅଟ୍ଟାଳିକା ଅଛି । ସେଠାରେ ସଞ୍ଜୟ ଓ ତାଙ୍କ ପରିବାର ରହୁଥିଲା ବେଳେ ସମାନ କମ୍ପାନୀର ଅଫିସ ବି ଚାଲିଛି । ସଞ୍ଜୟ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଖାଲି ଏହି ଦୁଇଟି ଅଟ୍ଟାଳିକା ନୁହେଁ । ଗୌତମନଗର ରାଜାରାଣୀ ମୌଜାରେ ପ୍ଲଟ୍ ନଂ ୫୫,୫୫/୧୪୭୬ରେ ରହିଛି ସଞ୍ଜୟଙ୍କ ଆଉ ଏକ ଘର । ୧୮ ଡିସିମିଲ୍ ଜାଗା ଉପରେ ଛିଡ଼ା ହୋଇଛି ଏହି ଘର । ଖାଲି ସେତିକି ନୁହେଁ, ଗଙ୍ଗନଗର ବୃନ୍ଦାବନ ପ୍ଲାଜାରେ ବି ରହିଛି ସଞ୍ଜୟଙ୍କର ଆଉ ଏକ ଫ୍ଲାଟ୍ । ସଞ୍ଜୟଙ୍କର ଏତେଗୁଡ଼ାଏ ସମ୍ପତ୍ତି ବ୍ୟବସାୟ ସୂତ୍ରରୁ ଆସିଛି ନା ଅନ୍ୟ କେଉଁ ସୂତ୍ରରୁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ଷମତାକୁ ଆସିବା ପୂର୍ବରୁ ଋଣଗ୍ରସ୍ତ ସଞ୍ଜୟଙ୍କର ଏହି ସମ୍ପତ୍ତି ଏବେ ବିରୋଧୀଙ୍କ ପାଇଁ ଚକ୍ଷୁଶୀଳ ହୋଇଛି । ଚିଟ୍ଫଣ୍ଡ କେଳେଙ୍କାରୀ ସହ ଏସବୁ ଯୋଡିବାକୁ ସେମାନେ ସଜବାଜ ହେଉଛନ୍ତି ।