ଭୁବନେଶ୍ୱର: ଦଳୀୟ ନେତୃତ୍ୱ ଉପରେ କ୍ଷୁବ୍ଧ ହୋଇ ଦଳରୁ ଇସ୍ତଫା ଦେଲେ ଭୁବନେଶ୍ୱରର ଟାଣୁଆ ବିଜେପି ସଂଗଠକ ଜଗନ୍ନାଥ ପ୍ରଧାନ । ଦଳ ଛାଡ଼ିବାକୁ ମନସ୍ଥ କରିଛି ବୋଲି ଆଜି ଦ୍ୱିପ୍ରହରେ ନିଜ ଫେସବୁକ୍ ରେ ପୋଷ୍ଟ କରିଥିଲେ । ମାତ୍ର କିଛି ସମୟ ପରେ ତାକୁ ହଟାଇ ଦେଇଥିଲେ । ତେବେ ସଂଧ୍ୟାରେ ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା ସଂଗଠନ ସଭାପତି ଚୟନକୁ ନେଇ ଜଗନ୍ନାଥ ଏହି ଚରମ ପଦକ୍ଷେପ ନେଇଛନ୍ତି । ବାବୁ ସିଂଙ୍କୁ ସଭାପତି ମନୋନୀତ କରାଯାଇଥିଲେ ମଧ୍ୟ ତାଙ୍କୁ ପଚରା ଯାଇନାହିଁ । ଦଳରେ ଏତେବର୍ଷ ଧରି କାମ କରୁଥିଲେ ମଧ୍ୟ ତାଙ୍କୁ ନିଜ ଜିଲ୍ଲା ସଂଗଠନରେ ଅଣଦେଖା କରାଯାଇଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଶ୍ରୀ ପ୍ରଧାନଙ୍କ ଇସ୍ତଫା ଜଣାପଡ଼ିବାର କିଛି ସମୟ ପୂର୍ବରୁ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ଭୁବନେଶ୍ୱର ପାଇଁ ବାବୁ ସିଂ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଦେବେନ୍ଦ୍ର ମହାନ୍ତିଙ୍କୁ ସଭାପତି ନିଯୁକ୍ତି ଦିଆଯାଇଛି ।
ବିଜେପିରେ ଲମ୍ବା ରାଜନୈତିକ କ୍ୟାରିୟର୍ କରିଥିବା ଜଗନ୍ନାଥ ପ୍ରଧାନ ଜଣେ ସୁସଂଗଠକ ଥିଲେ । ଭୁବନେଶ୍ୱରରେ ଦଳର ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଭୁବନେଶ୍ୱର (ମଧ୍ୟ) ଆସନରୁ ପ୍ରାର୍ଥୀ କରିଥିଲା । ଏଥର ନିର୍ବାଚନରେ ସେ ଶକ୍ତିଶାଳୀ ବିଜେଡ଼ିକୁ କଡ଼ା ଟକ୍କର ଦେବାରେ ସମର୍ଥ ହୋଇଥିଲେ ।