ଲୋକେ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁୁବନେଶ୍ୱର: ଭୁବନେଶ୍ୱରରେ ଆଜି ଦିନରେ କେବଳ ବମିଖାଲରୁ ୧୬ ଜଣଙ୍କୁ ମିଶାଇ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ତେବେ ଭୁବନେଶ୍ୱରର ଏକ କଣ୍ଟେଣ୍ଡ ଅଞ୍ଚଳରୁ ଏମାନେ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କର କଣ୍ଟାକ୍ଟ ଜଣା ଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ନିବେଦନ କରିଛନ୍ତି । ଆପଣମାନେ ଲକ୍ ଡାଉନ୍ କୁ ମାନି ଚଳନ୍ତୁ ଏବଂ ଘରୁ ବାହାରନ୍ତୁ ନାହିଁ ବୋଲି ପୁନର୍ବାର ନିବେଦନ କରିଛନ୍ତି ।
ଅନ୍ୟ ଏକ ଟ୍ୱିଟ୍ ରେ ମୁଖ୍ୟମନ୍ତ୍ରୀ ସାମାଜିକ ଦୂରତ୍ୱ କଟକଣା ପାଳନକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିରୋ ଟଲେରାନ୍ସ ନୀତି ଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀ କାହାରିକୁ ଛଡ଼ାଯିବ ନାହିଁ । ସେମାନଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହେବ । ନିୟମ ଉଲ୍ଲଂଘନ କରୁଥିବା ଦୋକାନ ଏବଂ ବଜାରକୁ ସିଲ୍ କରିଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି ।
କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ସମସ୍ତେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।