ଭୁବନେଶ୍ୱର: ଆରଟିଜିଏସ୍ ନଂ ୫୩୮୯୭୬୨୮୮ । ଏଥିରେ ବିଜେଡ଼ି ଆକାଉଣ୍ଟରୁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଛି ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା । ତାରିଖ ପଡ଼ିଛି ୨.୪.୨୦୧୪ । ୨୦୧୪ ନିର୍ବାଚନରେ ହିଞ୍ଜିଳିରୁ ପ୍ରାର୍ଥୀ ଥିବା ନବୀନ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି । ସେହି ଏକା ଆରଟିଜିଏସ୍ ନଂ ୫୩୮୯୭୬୨୮୮ ରେ ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ନେଇଛନ୍ତି ୧୦ ଲକ୍ଷ । ହାଁସଦାଙ୍କୁ ଦିଆଯାଇଥିବା ସମାନ୍ ଆରଟିଜିଏସ୍ ରେ ତାରିଖ କିନ୍ତୁ ପଡ଼ିଛି ୮.୫.୨୦୧୪ । ଅର୍ଥାତ୍ ଗୋଟିଏ ଚେକ୍ ଆଉ ଭିନ୍ନ ଭିନ୍ନ ତାରିଖରେ ବିଜେଡ଼ି ଆକାଉଣ୍ଟରୁ ନବୀନ ଓ ହାଁସଦାଙ୍କ ପାଖକୁ ଯାଇଛି ନିର୍ବାଚନୀ ଖର୍ଚ୍ଚ ଟଙ୍କା ।
ସେପଟେ ବିଜେଡ଼ି ପକ୍ଷରୁ ନିର୍ବାଚନ କମିସନଙ୍କ ପାଖରେ ଦାଖଲ ହୋଇଥିବା ଖର୍ଚ୍ଚ ସତ୍ୟପାଠରେ ନବୀନ ପଟ୍ଟନାୟକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି । ୩୦.୩.୨୦୧୪ରେ ଚେକ୍ ନଂ ୪୪୧୬୧୯ ରେ ଏହି ଟଙ୍କା ଦିଆଯାଇଛି । ମାତ୍ର ନବୀନ ନିଜ ସତ୍ୟପାଠରେ ଆରଟିଜିଏସ୍ ନଂ ୫୩୮୯୭୬୨୮୮ରେ ନେଇଥିବା ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କାର ହିସାବକୁ ବିଜେଡ଼ି ଦର୍ଶାଇନାହିଁ । ତେଣୁ ନବୀନଙ୍କ ସତ୍ୟପାଠ ଠିକ୍ ନା ବିଜେଡ଼ିର ସତ୍ୟପାଠ ଠିକ୍ ତାହା ସ୍ପଷ୍ଟ ହୋଇପାରୁନାହିଁ । ନା ନବୀନ ସ୍ପଷ୍ଟ କରୁଛନ୍ତି ନା ବିଜେଡ଼ି । ଆହୁରି ଆଶ୍ଚର୍ଯ୍ୟର କଥା ନବୀନ ଆରଟିଜିଏସ୍ ନଂ ୫୩୮୯୭୬୨୮୮ରେ ପାଇଥିବା ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କାକୁ କେଉଁ ଆକାଉଣ୍ଟରେ ଏନକ୍ୟାସ୍ କରିଛନ୍ତି ତାହାର ବି ଉତ୍ତର ମିଳୁନି ।
ରାମଚନ୍ଦ୍ର ହାଁସଦାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ଭିନ୍ନ ତାରିଖ ଥାଇ ସେଇ ଏକା ଆରଟିଜିଏସ୍ ରେ ବିଜେଡ଼ି ତାଙ୍କୁ ୧୦ ଲକ୍ଷ ଦେଲା କେମିତି? ବିଜେଡ଼ି ସତ୍ୟପାଠରେ ଏହା ଦର୍ଶାଗଲା ନାହିଁ କାହିଁକି? ହାଁସଦା ଏହି ଚେକ୍ କୁ କେଉଁଠି ଏନକ୍ୟାସ୍ କଲେ? ଏସବୁର ଉତ୍ତର ମିଳିପାରୁନି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇ ନ ପାରି ପ୍ରସଙ୍ଗକୁ ମିଥ୍ୟା ଓ ଅପପ୍ରଚାର କହି ଉଡ଼ାଇ ଦେଇଛନ୍ତି । ବିଜେଡ଼ି ମୁଖପାତ୍ରମାନେ ବି ଏହି ମୂଳ ପ୍ରସଙ୍ଗରେ ଛେପ ଢ଼ୋକି କଥାଟିକୁ ବାଁ ଡାହାଣ କରି ବୁଲାଉଛନ୍ତି । ନିର୍ଦ୍ଦିଷ୍ଟ ଆକାଉଣ୍ଟ ଓ ଖର୍ଚ୍ଚର ହିସାବ ନ ଦେଇ ଅନ୍ୟ ବାଟକୁ ପଳାଉଛନ୍ତି ।
ବିଜେପି ମଧ୍ୟ ମୂଳ ପ୍ରସଙ୍ଗର ଜବାବ ହାସଲରେ ଫେଲ୍ ମାରି ରାଜନୈତିକ ଚାଲବାଜିରେ ମାତିଛନ୍ତି । ଦଳର ମୁଖପାତ୍ରମାନେ କିଏ କେଉଁ ପ୍ରଶ୍ନ କରୁଛନ୍ତି ତାହାର ଥଳକୂଳ ରହୁନି । ଲାଗୁଛି ପ୍ରସଙ୍ଗଟିକୁ ସେମାନେ ନିଜେ ଭଲଭାବରେ ବୁଝିନାହାନ୍ତି । ଯାହା ମିଡ଼ିଆରୁ ପଢ଼ୁଛନ୍ତି ତାକୁ ନେଇ ରାଜନୀତି କରୁଛନ୍ତି । ଜ୍ଞାନୀ ଗୁଣି କଂଗ୍ରେସ ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ପାଟିରେ ତାଲା ପଡ଼ିଯାଇଛି । ଆଉ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ବରିଷ୍ଠ ନେତା ପ୍ରସଙ୍ଗର ଗମ୍ଭୀରତାକୁ ନ ଯାଇ କୌଣସି ଦଳ ସ୍ୱଚ୍ଛ ନୁହେଁ ବୋଲି ସଫଇ ଦେଇଛନ୍ତି । ସବୁ ଦଳ ଓ ନେତା ଚୋର ବୋଲି ପରୋକ୍ଷରେ ଇଙ୍ଗିତ ଦେଇ ଚୁପ୍ ହୋଇଯାଇଛନ୍ତି । ଯାହା କି ଅପ୍ରିୟ ସତ ହେଲେ ବି ସାଂଘାତିକ ।
ବିରୋଧୀ ଦଳର ଏହି ଦୁର୍ବଳତାର ସୁଯୋଗରେ ବିଜେଡ଼ି ନିଜ ଦୋଷ ଲୁଚାଇବା ଚେଷ୍ଟାରେ ଅଛି । ନବୀନଙ୍କ ସ୍ୱଚ୍ଛତାର ରଙ୍ଗ ଉପରେ ଚାଦର ଢ଼ାଙ୍କିଚାଲିଛି । ସତ ଥିଲେ ସିନା ପ୍ରମାଣ ଯୋଗାଡ଼ କରି ଛାତି ଫୁଲାନ୍ତେ । ହେଲେ ମିଛକୁ ସତ ବୋଲି ଦାବି କରି ନିଜର ଦୁର୍ବଳତା ଦେଖାଇ ଚାଲିଛି । ଇଆଡୁ ସିଆଡୁ କାଗଜ ଦେଖାଇ ଦଳର ମୁଖପାତ୍ର କଥା ବାଆଁରୋଉଛନ୍ତି । ଭାବିଛନ୍ତି ଲୋକ ଭୁଲିଗଲେ କଥା ସରିଲା । ବର୍ଷେ ତଳେ ତ ଏହି ପ୍ରସଙ୍ଗ ଉଠିଥିଲା ଲୋକ କ’ଣ ମନେ ରଖିଥିଲେ? ବୋଧହୁଏ ସେଭଳି ସମୟ ଗଡ଼ିବାକୁ ଅପେକ୍ଷା କରିଛି ବିଜେଡ଼ି ।
ବଙ୍କେଇ କି ବି ଦେବେନି ,ସିଧା ତ ଦୂରର କଥା
ମୋତେ ଲାଗୁଛି BJD ବୋଧେ check book ଘରେ ଛପୋଉଛି, 2ଟା କି 4ଟା ଲେଖାଏଁ ଛାପିଛି,
ଏହାକୁ କହନ୍ତି ସ୍ବଛ୍ଛ ସରକାର& Zero tolerance