ସମ୍ବଲପୁର: ହୀରାକୁଦ ଡ୍ୟାମ୍ ନିଷିଧ ଅଞ୍ଚଳରେ ତିନି ଜଣ ହୀରୋଇନ୍ ଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲିଙ୍କୁ ମଜାଖୁସି କରୁଥିବାର ଦେଖିବାକୁ ମିଳିଛି । ଡ୍ୟାମ୍ ଉପରୁ ହୀରାକୁଦ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସମସ୍ତେ ମନଭରି ଉପଭୋଗ କରିବା ସହ ନାଚ ଗୀତ କରିଛନ୍ତି । ମୋବାଇଲ୍ ରେ ସେଲଫି ନେବା ସହ ଭିଡ଼ିଓ କ୍ୟାମେରାରେ ସୁଟ୍ କରିଛନ୍ତି । ସେଥିରେ ଆଲବମ୍ ଡ୍ୟାନସ୍ ବି ହୋଇଛି । ବିନା ବାଧା ପ୍ରତିବନ୍ଧକରେ ନିଷିଦ୍ଧାଞ୍ଚଳ ବୁଲି ଫେରିଛନ୍ତି ଏହି ଚାରି ସେଲିବ୍ରିଟି ।
ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟି ସାମନାକୁ ଆସିଛି । ଭିଡ଼ିଓରେ ମନ୍ତ୍ରୀଙ୍କ ଝିଅ ସାଙ୍ଗରେ ଅଛନ୍ତି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ତିନି ନାମୀ ହୀରୋଇନ୍ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଏବଂ ଲୋଭିିନା ନାୟକ । ମୋବାଇଲ୍ ରେ ଲୁଚାଛପା ସୁଟ୍ କରାଯାଇନାହିଁ । ସମ୍ଭବତଃ କ୍ୟାମେରାରେ ଭିଡ଼ିଓଗ୍ରାଫି କରାଯାଇଥିବା ଚିତ୍ରର କ୍ୱାଲିଟି କହୁଛି । ଭିଡ଼ିଓରେ ପ୍ରକୃତି ମିଶ୍ର ଆଲବମ୍ ନାଚ କରୁଛନ୍ତି । ସୁଟିଂ ସେଟ୍ ପାଖରେ କେତୋଟି କାର୍ ଥିବାରୁ ସେଥିରେ ଏହି ସେଲିବ୍ରିଟିମାନେ ଯାଇଥିବା ଜଣାପଡ଼ିଛି ।
ବ୍ୟକ୍ତିଗତ ଭାବେ କିଏ କାହା ସାଙ୍ଗରେ କୁଆଡ଼େ ବୁଲିବାକୁ ଗଲେ ସେଥିରେ କାହାର ଯାଏ ଆସ ନାହିଁ । ମାତ୍ର ଏହି ଭିଡ଼ିଓଟି ଏଇଥିପାଇଁ ଚର୍ଚ୍ଚା ହେଉଛି ଯେ ସେଲିବ୍ରିଟିମାନେ ଆଇନକୁ ମାନିନାହାନ୍ତି । ଯେଉଁ ଜାଗାରେ ଭିଡ଼ିଓ ସୁଟ୍ ହୋଇଛି, ତାହା ସମ୍ପୂର୍ଣ୍ଣ ନିଷିଧାଞ୍ଚଳ । ଜଗାରଖା ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ସେଠାରେ ପ୍ରବେଶ କଟକଣା ରହିଛି । ମାତ୍ର ଏହି କଟକଣାକୁ ସେଲିବ୍ରିଟିମାନେ ମାନିନାହାନ୍ତି ।
କିଛି ଟିଭିକୁ ସାକ୍ଷାତକାର ଦେଇ ହୀରୋଇନ୍ ଏଲିନା ସାମନ୍ତରାୟ ସଂପୃକ୍ତ ଭିଡ଼ିଓ ସତ ବୋଲି ମାନିଥିଲେ ମଧ୍ୟ ତାଙ୍କର କିଛି ଭୁଲ୍ ନାହିଁ ବୋଲି ସଫେଇ ଦେଇଛନ୍ତି । ସୁରକ୍ଷା ଅଫିସରଙ୍କଠାରୁ ଅନୁମତି ନେଇ ସେଠାକୁ ଯାଇଥିବା ସଫେଇ ଦେଇଛନ୍ତି । ମାତ୍ର ତାହାକୁ ଭିଡ଼ିଓରେ କିଏ ସୁଟ୍ କରିଥିଲେ ଏବଂ ସୋସିଆଲ୍ ମିଡ଼ିଆରେ କିଏ ପୋଷ୍ଟ କଲେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି । କାହାରି ନିମନ୍ତ୍ରଣରେ ସେହି ନିଷିଧ ଇଲାକୁ ଯାଇଥିଲେ ତାହା ଏଲିନା କିନ୍ତୁ ସ୍ପଷ୍ଟ କରିନାହାନ୍ତି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସମ୍ବଲପୁର ଏସପି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ଆଇନ ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳକୁ ଏହି ହୀରୋଇନ୍ ମାନଙ୍କୁ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ବୁଲାଇ ନେଇଥିବା ଚର୍ଚ୍ଚା ହେଉଛି । ସଦ୍ୟ ରାଜନୀତିରେ ପାଦ ଥାପି ଝାରସୁଗୁଡ଼ା ବିଜେଡ଼ିର ସର୍ବମୟ କର୍ତ୍ତା ହୋଇଥିବା ଦୀପାଲି ତାଙ୍କର ପ୍ରଭାବ ଦେଖାଇଛନ୍ତି ବୋଲି ମନ୍ତ୍ରୀଙ୍କ ବିରୋଧୀମାନେ ଆକ୍ଷେପ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ । ମୋ ଝିଅ ଗ୍ରୋନ୍ ଅପ୍ । ସେ କୁଆଡ଼େ ଯିବ ନ ଯିବ ତା ପସନ୍ଦର କଥା । ଯଦି ଘଟଣା ସତ ହୋଇଥାଏ ଆଇନ ତା ବାଟରେ ଯିବ ବୋଲି ସେ କହିଛନ୍ତି ।
ଘଟଣାଟିକୁ ସମ୍ବଲପୁର ଏସପି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ହୀରାକୁଦ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାଧାରଣଙ୍କ ଆଖିରେ ଆଇନର ଖୋଲା ଉଲ୍ଲଂଘନ କରିଥିବା ଏହି ସେଲିବ୍ରିଟିମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଏବେ ଦେଖିବାର କଥା ।