ବଢୁଛି କରୋନା ପ୍ରକୋପ; ଦିନକରେ ଗଂଜାମରୁ ୫୭, ଭୁବନେଶ୍ୱରରୁ ୧୯

0
74

କଣ୍ଟେନମେଣ୍ଟରେ ଡୁମୁଡୁମା ସୁବାସ ନଗର ବସ୍ତି

ଭୁବନେଶ୍ୱର: କରୋନାର ପ୍ରକୋପରେ ପୁଣି ଭୁବନେଶ୍ୱର । ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଡ଼କଥା ହେଉଛି, ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଲୋକାଲ୍ କଣ୍ଟାକ୍ଟରେ ଆସି ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ୪ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ରେଲୱେ କର୍ମଚାରୀ ଏବଂ ସେମାନେ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ ।
ଭୁବନେଶ୍ୱର ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଟି ଘରୋଇ ହସ୍ପିଟାଲ୍ ର ୮ ଜଣ କର୍ମଚାରୀ ଅଛନ୍ତି । ଗୋଟିଏ ହସ୍ପିଟାଲ୍ ର ୩ ମହିଳା(୨୭,୨୪,୨୧ ବର୍ଷୀୟା) ଓ ୩ ପୁରୁଷ( ୨୯, ୨୧, ୩୩ ବର୍ଷୀୟ) କର୍ମଚାରୀଙ୍କୁ କରୋନା ହୋଇଥିବା ବେଳେ ଅନ୍ୟ ହସ୍ପିଟାଲ୍ ର ଜଣେ ୪୫ ବର୍ଷର ମହିଳା ଏବଂ ୨୭ ବର୍ଷର ପୁରୁଷ କର୍ମଚାରୀଙ୍କୁ କରୋନା ହୋଇଛି ।
କେବଳ ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ ପଜିଟିଭ୍ କେସ୍ ଆସିଛି । ସେମାନଙ୍କର ବୟସ ଯଥାକ୍ରମେ ୨୪, ୧୯, ୩୮, ୧୮ ଏବଂ ୧୫ ବର୍ଷ । ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ କି କରୋନାର ଲକ୍ଷଣ ନାହିଁ । ଦିଲ୍ଲୀ ଫେରନ୍ତା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେମାନେ ଆସିଥିବା କୁହାଯାଉଛି । ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲ୍ କର୍ମଚାରୀଙ୍କୁ ମଧ୍ୟ କରୋନା ହୋଇଛି । ତାଙ୍କ ବୟସ ୫୧ ବଷଁ । ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବଳକଙ୍କୁ ମଧ୍ୟ କରୋନା ଆକ୍ରମଣ କରିଛି ।

ବିଏମସି ପକ୍ଷରୁ ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ ଜଣ ଆାକ୍ରାନ୍ତ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଅଞ୍ଚଳକୁ କ୍ୟାଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବସ୍ତିର ପ୍ରବେଶ ପଥକୁ ସିଲ୍ କରାଯାଇଛି । ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ୍ ନଂ ୩୨୩ , ପ୍ଲଟ୍ ନଂ ୩୨୩ ରୁ ପ୍ଲଟ୍ ନଂ ୨୬୧ ଓ ୨୫୮ ଏବଂ ପ୍ଲଟ୍ ନଂ ୨୬୨ ଓ ୨୫୮ ରୁ ହନୁମାନ ମନ୍ଦିର ଯାଏ କ୍ୟାଣ୍ଟେନମେଣ୍ଟ କରାଯାଇଛି । ଏଥିରେ ସମୁଦାୟ ୩୧୦ ପରିବାରକୁ ନଜରବନ୍ଦୀ କରାଯାଇଛି । ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନ୍ସରେ ରଖାଯିବ । ସେଠାକାର ସବୁ ଅଫିସ୍ ବନ୍ଦ କରାଯିବା ସହ କେହି ଘରୁ ନ ବାହାରିବାକୁ କଟକଣା ଜାରି ହୋଇଛି ।
ଏଥିସହ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ସମୁଦାୟ ୧୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୫୦ ଜଣ କ୍ୱାରେଣ୍ଟାଇନ୍ ଥିଲା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍ କେସ୍ ଆସିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୭, ଅନୁଗୁଳ ୬, ନବରଙ୍ଗପୁର ୧, ଜଗତସିଂହପୁର ୪, କଟକ ୧୫, ବରଗଡ଼ ୨, ଭଦ୍ରକ ୫, ଯାଜପୁର ୩, ମାଲକାନଗିରି ୨, ରାୟଗଡ଼ା ୫, କେନ୍ଦୁଝର ୧୮, ଦେବଗଡ଼ ୧, କେନ୍ଦ୍ରାପଡ଼ା ୫ ଏବଂ ମୟୁରଭଞ୍ଜରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅମ୍ଫନ୍ ବାତ୍ୟା ସହାୟତା କାର୍ଯ୍ୟରେ କୋଲକତା ଯାଇଥିବା ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗର ୧୮ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ୧୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ ହୋଇଥିବା ବେଳେ ୩୨୯୭ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୩ । ମୋଟ ମୃତକଙ୍କ ସଂଖ୍ୟା ୧୨

LEAVE A REPLY

Please enter your comment!
Please enter your name here