“ନିଶା ଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ବର୍ତ୍ତମାନ ସମୟରେ ମଦ ପିଇବା ବନ୍ଦ କରି ଦିଅନ୍ତୁ । କାରଣ ଏସବୁ, ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ୍ କରି ଦେଇଥାଏ । ଫଳରେ ସହଜରେ କରୋନା ଆପଣଙ୍କୁ ଆକ୍ରାନ୍ତ କରିନେବ” । ଲକ୍ ଡାଉନ୍ ପ୍ରଥମ ପର୍ଯ୍ୟାୟ ଚାଲୁଥିବା ବେଳେ ରାଜ୍ୟବାସୀଙ୍କ ପ୍ରତି ଏ ଥିଲା କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଉପଦେଶ । କିନ୍ତୁ ଏବେ ସରକାରଙ୍କ ସତ ଉଦ୍ଦେଶ୍ୟ, ଧୀରେ ଧୀରେ ସାମ୍ନାକୁ ଆସୁଥିବା ବେଳେ ବାଗଚୀଙ୍କ ଉପଦେଶ କଣ ଥିଲା ମିଛ କାହାଣୀ ?
କରୋନା ପାଇଁ ଲକ୍ ଡାଉନ୍ । ଆଉ ସାରା ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ମଦ ବିକ୍ରି ନିଷିଦ୍ଧ ହେଲା । ଆମ ରାଜ୍ୟରେ ବି ଅବକାରୀ ବିଭାଗ, ଜଉ ମୁଦ ମାରି ମଦ କାଉଁଟରକୁ ସିଲ୍ କରିଦେଲା । କିନ୍ତୁ ଚୋରାରେ ଚଢ଼ା ଦାମରେ ଯାହାକୁ ଯେତେ ମଦ ମିଳିଲା । ବିରୋଧୀ ଯେତେ ଗର୍ଜିଲେ ବି ସରକାର କିଛି ଶୁଣିଲେନି । ଶେଷରେ ମେ ୨୪ ତାରିଖରୁ ରାଜ୍ୟରେ ମଦର ଅନ୍ ଲାଇନ୍ ହୋମ୍ ଡେଲିଭରି ଘୋଷଣା କଲେ । MRP ଉପରେ ୫୦ ପ୍ରତିଶତ କୋଭିଡ୍ ସେସ୍ ସହ ହଜାରେ ଟଙ୍କାରେ ଶହେ ଟଙ୍କା ଡେଲିଭରି ଚାର୍ଜ ଲାଗୁ କରାଇଲେ । କିନ୍ତୁ ଡେଲିଭରି ଚାର୍ଜକୁ ହାତଛଡ଼ା କରିବାକୁ ଚାହୁଁ ନଥିବା ମଦ ବେପାରୀମାନେ, ଅବକାରୀ ବିଭାଗ ଠାରୁ ଅନୁମତି ପାଇଥିବା ଫୁଡ୍ ଏଗ୍ରିଗେଟର ସଂସ୍ଥାର ବାଟ ଓଗାଳିଲେ । ଅବକାରୀ ବିଭାଗର ନିର୍ଦ୍ଦେଶକୁ ଆଖି ଠାର ମାରି କାଉଁଟର ଆଗରେ ସିନା ତାଲା ଝୁଲାଇଲେ, କିନ୍ତୁ ପଛପଟେ ଡେଲିଭରି ଚାର୍ଜ ରଖି ଗ୍ରାହକଙ୍କୁ ମଦ ବିକିଲେ ।
୫୦ ପ୍ରତିଶତ କୋଭିଡ୍ ସେସ୍, ସାଙ୍ଗକୁ ଡେଲିଭରି ଚାର୍ଜ । ଏମିତି ଦେଖିଲେ ଗ୍ରାହକଙ୍କୁ MRP ଉପରେ ପାଖାପାଖି ୭୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡ଼ିଲା । କରୋନା ବେଳେ ରୋଜଗାର ନଥିବାରୁ ଅଧିକାଂଶ ନିଜ ପକେଟକୁ ଦେଖିଲେ । ପୁଣି ଲକ୍ ଡାଉନ୍ ବେଳେ ଚାପିଚୁପି ହୋଇ ରହିଥିବା କିଛି ସାମୟିକ ମଦ୍ୟପ ମଦକୁ ଛି… କରିଦେଲେ । କହିବାକୁ ଗଲେ, ଏସବୁ ବ୍ୟବସ୍ଥା ଓ ପରିସ୍ଥିତି, ଲୋକଙ୍କୁ ମଦ ପିଇବାକୁ ଏକ ପ୍ରକାର ନିରୁତ୍ସାହିତ କଲା । କିନ୍ତୁ ରାଜସ୍ୱ ଲୋଭରେ ବାୟା ସରକାର, ଧୀରେ ଧୀରେ ଲୋକଙ୍କୁ ପୁଣି ମଦ ଆଡ଼କୁ ଟାଣୁଛନ୍ତି । ଅନ୍ ଲାଇନ୍ ହୋମ୍ ଡେଲିଭରି ସେତେଟା ବେପାର ନଦେବାରୁ ଜୁନ୍ ୩୦ ତାରିଖରୁ କାଉଁଟରରେ ବିକ୍ରି ଆରମ୍ଭ କଲେ । ଯାହା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେଲା । କାରଣ, କାଉଁଟରରୁ କିଣିବା ବେଳେ ଆଉ ଦେବାକୁ ପଡ଼ିଲାନି ଡେଲିଭରି ଚାର୍ଜ ।
ତଥାପି ୫୦ ପ୍ରତିଶତ କୋଭିଡ୍ ସେସ୍ ଯୋଗୁଁ ବେପାର ପୂର୍ବା ଭଳି ହେଲାନି । ମେ ୨୪ରୁ ବର୍ତ୍ତମାନ ଭିତରେ ମଦରୁ ମିଳିଛି ମାତ୍ର ୨ ଶହ କୋଟି ଟଙ୍କା ରାଜସ୍ୱ ! ଏହା ସରକାରଙ୍କ ଆଶା ଠାରୁ କମ୍ ହୋଇଥିବା ବେଳେ ମଦ ବିକ୍ରିକୁ ଆଜି ଠାରୁ କଷ୍ଟୋମର ଫ୍ରେଣ୍ଡଲି କରିଛନ୍ତି ସରକାର । ୫୦ ପ୍ରତିଶତ କୋଭିଡ୍ ସେସରୁ ୩୫ ପ୍ରତିଶତ କାଟି ଦେଇଛନ୍ତି । ଅର୍ଥାତ୍, ଗ୍ରାହକଙ୍କୁ ଆଜି ଠାରୁ MRP ଉପରେ ମାତ୍ର ୧୫ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡୁଛି । ଏବେ ଅପେକ୍ଷା, ବିକ୍ରିକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅବକାରୀ ବିଭାଗ, କେବେ ବାର୍ ଓ ପରିମିଟ୍ ରୁମରେ ଆସର ଜମାଇବାକୁ ଅନୁମତି ଦେଉଛି !
ମଦ ଉପରେ ପ୍ରଥମେ, ସର୍ବାଧିକ ୭୦ ପ୍ରତିଶତ କୋଭିଡ୍ ସେସ୍ ଲଗାଇଥିବା ଦିଲ୍ଲୀ ସରକାର, ପ୍ରଥମେ ହିଁ ତାହା ହଟାଇ ଦେଲେ । ପରେ ପରେ ଆଉ କିଛି ରାଜ୍ୟ ମଧ୍ୟ କୋଭିଡ୍ ସେସ୍ କମାଇ ଦେଲେ । ଆଉ ଏବେ ପଦକ୍ଷେପ ନେଲେ ଓଡ଼ିଶା ସରକାର । ଏହା ସରକାରଙ୍କ ନିଷ୍ପତ୍ତିଗତ ଅଧିକାର ପରିସରଭୁକ୍ତ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଲକ୍ ଡାଉନ୍ କୋହଳ ପର ଠାରୁ ମହାମାରୀ କରୋନା, ଦିନକୁ ଦିନ, ଭୟଙ୍କରରୁ ଅତି ଭୟଙ୍କର ହେଉଥିବା ବେଳେ ମଦକୁ କଷ୍ଟୋମର ଫ୍ରେଣ୍ଡଲି କରାଇବା ପଛର କାରଣ କଣ ହୋଇପାରେ ?
ତା ହେଲେ କଣ ବୁଝିବାକୁ ହେବ ଯେ, କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଥିବା ଉପଦେଶ ଥିଲା ମିଛ କାହାଣୀ… ଆଉ ମଦରୁ ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବା, ସରକାରଙ୍କର ସତ ଉଦ୍ଦେଶ୍ୟ ! କରୋନା ତାର କାୟାକୁ ବ୍ୟାପକ କରିଥିବା ବେଳେ ୫ ମାସ ହେଲା ବିନା ବିଶ୍ରାମରେ ପରିଶ୍ରମ କରୁଛି ପୋଲିସ୍ । ଏବେ ମଦଜନିତ ଅଘଟଣ ଓ ଦୁର୍ଘଟଣା ପାଇଁ ପୋଲିସ୍ ଉପରେ ଅଯଥା ଅତିରିକ୍ତ ଚାପ ପଡ଼ିବନି ତ ?
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କର ଯୋଗାଯୋଗ ନଂ 7008779043)